ବିଶ୍ବକପ୍ କ୍ରିକେଟ୍ : ଆଜି ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଟକ୍କର
27/06/2019 at 9:20 AM

ଲଣ୍ଡନ ୨୭|୬: ଆଜି ଭାରତ-ଇଣ୍ଡିଜ୍ ଲଢ଼େଇ । କ୍ରିକେଟ୍ ବିଶ୍ବକପରେ ଆଜି ଭାରତ ଦୁଇ ଥର ବିଜେତା ୱେଷ୍ଟଇଣ୍ଡିଜ୍ କୁ ଭେଟିବ। ଭାରତ ମଧ୍ୟ ତା’ର ଅପରାଜୟ ଧାରା ଅତୁଟ ରଖିବା ଆଶାରେ ରହିବ । ଭାରତ ପାଞ୍ଚଟି ମୁକାବିଲାରୁ ୪ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ବାତିଲ ମ୍ୟାଚ୍ ରୁ ୧ ପଏଣ୍ଟ ପାଇଛି । ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିବା ଲାଗି କୋହଲି ବାହିନୀକୁ ଆଉ ଦୁଇଟି ବିଜୟ ଦରକାର ରହିଛି ।
ଅନ୍ୟ ପକ୍ଷରେ ୱେଷ୍ଟଇଣ୍ଡିଜ୍ ମାତ୍ର ଗୋଟିଏ ବିଜୟ ହାସଲ କରିଥିଲା ବେଳେ ୪ଟି ହାରିଛି । ଇଣ୍ଡିଜର ପେସ ଆଟାକ୍ ଏବଂ ଭାରତର ଟପ୍ ବ୍ୟାଟିଂ ଲାଇନ୍ ଅପ୍ ମଧ୍ୟରେ ଲଢେଇ ହେବ । ଭାରତ ପାଇଁ ଚିନ୍ତାର କାରଣ ମଧ୍ୟକ୍ରମ ବ୍ୟାଟିଂ ଲାଇନ୍ । ଆଜିର ମ୍ୟାଚରେ ବିଜୟ ଶଙ୍କର ନଖେଳିଲେ ଋଷଭ ପନ୍ଥ ସୁଯୋଗ ପାଇପାରନ୍ତି । ସେହିପରି ଆହତ ଭୁବନେଶ୍ୱର କୁମାର ସୁସ୍ଥ ହୋଇସାରିଥିଲେ ମଧ୍ୟ ଆଜିର ମ୍ୟାଚ୍ ଖେଳିବା ନେଇ ସନ୍ଦେହ ରହିଛି ।
ପ୍ରଥମ ମ୍ୟାଚରେ ହ୍ୟାଟ୍ରିକ୍ ନେଇଥିବା ମହମ୍ମଦ ସାମିଙ୍କୁ ପୁଣି ରିପିଟ୍ କରିପାରେ ଦଳ । ଆଜି ସମସ୍ତଙ୍କ ନଜର ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ରହିବ। ଆଫଗାନିସ୍ତାନ ବିପକ୍ଷରେ ମନ୍ଥର ବ୍ୟାଟିଂ କରି ଧୋନି ସମାଲୋଚିତ ହୋଇଥିଲେ। ଏପରିକି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ତାଙ୍କ ବ୍ୟାଟିଂକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେପଟେ ସେମିଫାଇନାଲ୍ ଦୌଡରୁ ଇଣ୍ଡିଜ ବାଦ୍ ପଡି ସାରିଛି ।
ଶେଷ କିଛି ମ୍ୟାଚ୍ ଜିତି ଦଳ ସମ୍ମାନର ସହ ବିଶ୍ବକପ୍ ଶେଷ କରିବା ଲକ୍ଷ୍ୟରେ ରହିବ । ଦୁର୍ଦ୍ଦଷ ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍ ବାଦ୍ ପଡିବା ଦଳ ପାଇଁ ବଡ ଝଟକା ହୋଇଛି । ତେବେ ପେସ୍ ବୋଲର କରଟେଲ୍ ଓ ଥୋମାସ, ଭାରତ ପାଇଁ ଚିନ୍ତାର କାରଣ ସାଜିପାରନ୍ତି । ବିଶ୍ବକପ୍ ରେ କିନ୍ତୁ ଭାରତ ପଲ୍ଲା ଭାରି ରହିଛି ।
ଉଭୟ ଦଳ ବିଶ୍ବକପ୍ ରେ ୮ଥର ମୁହାଁମୁହିଁ ହୋଇଥିଲା ବେଳେ ୧୯୮୩ ବିଶ୍ବକପ୍ ର ଚର୍ଚ୍ଚିତ ଫାଇନାଲ୍ ସହ ଭାରତ ୫ଟି ମ୍ୟାଚ୍ ଜିତିଛି । ଇଣ୍ଡିଜ୍ ୩ ବିଜୟରେ ସନ୍ତୁଷ୍ଟ ରହିଛି। ମୋଟ ଏକଦିବସୀୟ ମୁହାଁମୁହିଁରେ ଇଣ୍ଡିଜ୍ ସାମାନ୍ୟ ଆଗୁଆ ଅଛି । ୧୨୬ ମ୍ୟାଚ୍ ରୁ ଭାରତ ୫୯ଟି ଜିତିଥିଲା ବେଳେ ଇଣ୍ଡିଜ୍ ୬୨ଟିରେ ବିଜୟୀ ହୋଇଛି।