ଲର୍ଡ୍ସ ୮/୭ : ଇଂଲଣ୍ଡରେ ଖେଳା ଯାଉଥିବା ବିଶ୍ୱକପର ଶେଷ ୩ଟି ମ୍ୟାଚ ବାକି ଅଛି । ଦୁଇଟି ସେମିଫାଇନାଲ ମ୍ୟାଚ ଏବଂ ଫାଇନାଲ ମ୍ୟାଚ । ବିଶ୍ୱକପର ପ୍ରଥମ ସେମିଫାଇନାଲ ଆସନ୍ତାକାଲି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଦ୍ୱିତୀୟ ସେମିଫାଇନାଲ ଜୁଲାଇ ୧୧ ତାରିଖରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ଫାଇନାଲ ମ୍ୟାଚ ଜୁଲାଇ ୧୪ ତାରିଖରେ ଲର୍ଡ୍ସରେ ଖେଳାଯିବ ।
ତେବେ ଫାଇନାଲ କେଉଁ ଟିମ ଜିତିବ ତାହା ୧୪ ତାରିଖରେ ଜଣାପଡିବ । ପ୍ରଥମ ଓ ଦ୍ୱିତୀୟ ସେମିଫାଇନାଲ ଜିତିଥିବା ଟିମ ଫାଇନାଲ ଖେଳିବ । ତେବେ ଫାଇନାଲ ବିଜୟୀ ଟିମକୁ ପୁରସ୍କାର ରାଶି କେତେ ମିଳିବ ଜାଣିଛନ୍ତି କି ?
ଇଂଲଣ୍ଡ ୱେଲ୍ସରେ ମେ ୩୦ ତାରିଖରୁ ଆରମ୍ଭ ହୋଇଥିବା ଆଇସିସି ବିଶ୍ୱକପ ମ୍ୟାଚ ପାଇଁ ମୋଟ ୭୦ କୋଟି ଟଙ୍କା ପୁରସ୍କାର ରାଶି ବାଜି ଲାଗିଛି । ବିଶ୍ୱକପ ବିଜୟୀ ଟିମକୁ ଏହି ରାଶିରୁ ୪ ମିଲିୟନ ଡଲାର ଅର୍ଥାତ ପାଖାପାଖି ୨୮ କୋଟି ଟଙ୍କା ପୁରସ୍କାର ମିଳିବ । ଫାଇନାଲରେ ହାରିଯାଇଥିବା ଟିମକୁ ମଧ୍ୟ ପୁରସ୍କାର ମିଳିବ । ହାରିଯାଇଥିବା ଟିମକୁ ୨ ମିଲିୟନ ଡଲାର ଅର୍ଥାତ ପାଖାପାଖି ୧୪ କୋଟି ଟଙ୍କା ମିଳିବ ।
ଆଇସିସି ଅନୁଯାୟୀ, ଲଣ୍ଡନ ଲର୍ଡ୍ସର ଐତିହାସିକ ମୈଦାନରେ ହେବାକୁ ଥିବା ଫାଇନାଲ ମ୍ୟାଚ ବିଜେତା ଟିମକୁ ଟ୍ରଫି ସହ ୨୮ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ଏହାଛଡା ସେମିଫାଇନାଲରେ ହାରିଯାଇଥିବା ଦୁଇଟି ଟିମକୁ ୫.୫ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ । କ୍ରିକେଟ ବିଶ୍ୱକପ ଇତିହାସରେ ପ୍ରଥମଥର ପାଇଁ ଏତେ ବଡ ରାଶି ପୁରସ୍କାର ଦିଆଯିବ ।