ଭାରତକୁ ବିଶ୍ବ ବ୍ୟାଙ୍କର ଝଟକା : ବିକାଶ ହାରକୁ ୬% ହ୍ରାସ କଲା ବିଶ୍ବବ୍ୟାଙ୍କ

Published By : Prameya-News7 Bureau | October 13, 2019 IST

ନୂଆଦିଲ୍ଲୀ ୧୩/୧୦: ମାନ୍ଦାବସ୍ଥାର ସାମ୍ନା କରୁଥିବା ଭାରତ ପାଇଁ ବିଶ୍ବ ବ୍ୟାଙ୍କ ଦେଇଛି ଆଉ ଏକ ଝଟକା । ଭାରତର ଆନୁମାନିକ ବିକାଶ ହାରକୁ ବିଶ୍ବବ୍ୟାଙ୍କ ହ୍ରାସ କରି ୬ପ୍ରତିଶତ କରି ଦେଇଛି । ୨୦୧୮-୧୯ ଆର୍ଥିକ ବର୍ଷରେ ଦେଶର ବିକାଶ ହାର ୬.୯ପ୍ରତିଶତ ଥିଲା ।

ତେବେ ଦକ୍ଷିଣ ଏସିଆ ଇକନୋମିକ୍ ଫୋକସ୍ ରିପୋର୍ଟ ଅନୁଯାୟୀ ୨୦୨୧ରେ ଭାରତ ପୁଣି ଥରେ ୬.୯ ପ୍ରତିଶତ ବିକାଶ ହାର ଛୁଇଁପାରିବ । ଲଗାତର ଦୁଇ ବର୍ଷ ଧରି ଭାରତର ବିକାଶ ହାର ହ୍ରାସ ପାଇଛି । ୨୦୧୭-୧୮ରେ ବିକାଶ ହାର ୭.୨ପ୍ରତିଶତ ଥିବା ବେଳେ ୨୦୧୮-୧୯ରେ ବିକାଶ ହାର ୬.୮ପ୍ରତିଶତକୁ ଖସି ଆସିଛି । ଏହା ଆଗରୁ କ୍ରେଡିଟ୍ ରେଟିଙ୍ଗ ଏଜେନସି ମୁଡିଜ୍, ଭାରତର ଜିଡିପି ହାରକୁ ହ୍ରାସ କରି ଦେଇଥିଲା ।

ମୁଡିଜ୍ ଅନୁଯାୟୀ ୨୦୧୯-୨୦୨୦ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ହାର ୫.୮ପ୍ରତିଶତ ରହିପାରେ । ଏହାସହ ଦେଶର ଅର୍ଥ ବ୍ୟବସ୍ଥା ନେଇ ଗମ୍ଭୀର ଚିନ୍ତା ପ୍ରକାଶ କରିଛି । ମୁଡିଜ୍ କହିଛି, ଯଦି ଅର୍ଥ ବ୍ୟବସ୍ଥା ନସୁଧୁରେ ତେବେ ବିତ୍ତୀୟ ନିଅଣ୍ଟ ଭରଣା କରିବାରେ ସରକାରଙ୍କୁ ଝଟକା ଲାଗିପାରେ । ଏହାସହ ଋଣ ବୋଝ ବି ବଢିବ । କେବଳ ସେତିକି ନୁହେଁ ଏପଟେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ମଧ୍ୟ ଚଳିତ ଆର୍ଥିକ ବର୍ଷରେ ବିକାଶ ହାର ଅନୁମାନ ୬.୧ପ୍ରତିଶତକୁ ହ୍ରାସ କରିଛି ।

ଆଗରୁ RBI ୬.୯ପ୍ରତିଶତ ବିକାଶ ହାର ଅନୁମାନ କରିଥିଲା । ମାତ୍ର କିଛି ମାସ ଭିତରେ ଜିଡିପି ହାର ଅନୁମାନ ୦.୮ପ୍ରତିଶତ ହ୍ରାସ କରିଛି RBI । ସେହିପରି ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି- IMF ମଧ୍ୟ ଚେତାବନୀ ଦେଇ କହିଛି ବିଶ୍ବ ମାନ୍ଦାବସ୍ଥାର ପ୍ରଭାବ ଭାରତ ଭଳି ବିକାଶଶୀଳ ଦେଶ ଉପରେ ସର୍ବାଧିକ ପଡିବାର ଆଶଙ୍କା ରହିଛି । ଜୁନ ମାସ ସୁଦ୍ଧା ତ୍ରୈମାସିକ ଜିଡିପି ହାର ୫ପ୍ରତିଶତକୁ ଖସି ଆସବା ପରଠୁ ସତର୍କ ଘଣ୍ଟି ବାଜିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.