ବିଶ୍ବ ଏଡ୍‌ସ ଦିବସ : ରାଜ୍ୟରେ ଏବେ ୪୬ହଜାର ଏଡ୍‌ସ ଆକ୍ରାନ୍ତ-ୟୁନିସେଫ୍

Published By : Prameya-News7 Bureau | December 01, 2018 IST

ଭୁବନେଶ୍ବର ୦୧|୧୨: ଆଜି ବିଶ୍ବ ଏଡସ ଦିବସ । ଚଳିତ ବର୍ଷ ବାର୍ତ୍ତା ରହିଛି  ‘ସମସ୍ତେ ଏଚଆଇଭି  ପରୀକ୍ଷା କରିବା’ ।  ସାରା ବିଶ୍ବରେ ଭାରତରେ ସର୍ବାଧିକ ଶିଶୁ ଏବଂ କିଶୋର ଏଚଆଇଭି ଆକ୍ରାନ୍ତ ବୋଲି ୟୁନିସେଫ୍ ରିପୋର୍ଟରୁ ଜଣାପଡ଼ିଛି । ରାଜ୍ୟରେ ଏବେ ୪୬ହଜାର ଏଡ୍‌ସ ଆକ୍ରାନ୍ତ ରହିଛନ୍ତି । ଗଞ୍ଜାମ ଜିଲ୍ଲା ଏଡ୍‌ସ ଆକ୍ରାନ୍ତଙ୍କ ମଧ୍ୟରେ ଆଗରେ ରହିଛି । ୨୦୧୪ରେ ୨୧୦, ୨୦୧୫ରେ ୧୭୭, ୨୦୧୬ରେ ୧୮୫, ୨୦୧୭ରେ ୨୨୭ ଚଳିତବର୍ଷ ଜୁନ୍ ମାସ ପର୍ଯ୍ୟନ୍ତ ୯୪ଜଣଙ୍କୁ ଚିହ୍ନଟ କରାଯାଇଛି । ତେବେ ରାଜ୍ୟରେ ପ୍ରତିବର୍ଷ ନୂତନ ଏଚ୍‌ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୦୦୭ରେ ରାଜ୍ୟରେ ୧୦ହଜାର ୧ଶହ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨୦୧୭ରେ ଏହା ୨୪୨୨କୁ ଖସି ଆସିଛି। ଗତବର୍ଷ ୧୨ଲକ୍ଷ ଲୋକଙ୍କ ଏଚ୍‌ଆଇଭି ପରୀକ୍ଷା ହୋଇଛି ଓ ୩୩୦୧ଜଣଙ୍କୁ ଏଆରଭି ଚିକିତ୍ସା ଯୋଗାଇ ଦିଆଯାଇଛି। ସେହିପରି ରାଜ୍ୟରେ ଏଡ୍‌ସ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି। ୨୦୦୭ରେ ୬୬୦୦ଲୋକ ଏଥିରେ ପ୍ରାଣ ହରାଇଥିବା ବେଳେ ୨୦୧୭ରେ ଏହା ଖସିଆସି ୧୩୮୯ରେ ପହଞ୍ଚିଛି । ଏଚ୍‌ଆଇଭି ନିରାକରଣ ଦିଗରେ ଯଦି ବଳିଷ୍ଠ ପଦକ୍ଷେପ ଗ୍ରହଣ କରାନଯାଏ ତାହାଲେ ୨୦୩୦ ସୁଦ୍ଧା ଏହା ଅତି ଭୟଙ୍କର ରୂପ ନେବ ।   ୟୁନିସେଫ୍ ଦ୍ବାରା ପ୍ରକାଶିତ ଚିଲଡ୍ରେନ୍ ଏଚ୍‌ଆଇଭି ଆଣ୍ଡ୍  ଏଡସ୍ ଦି ୱାର୍ଲ୍ଡ  ଇନ୍ ୨୦୩୦ ରିପୋର୍ଟରେ ଏଭଳି ସଙ୍କଟ ଜନକ ସ୍ଥିତି ସମ୍ପର୍କରେ ଉଲ୍ଲେଖ  କରାଯାଇଛି ।   ଏଯାବତ୍ ଏଚ୍‌ଆଇଭି ନିରାକରଣ ଦିଗରେ ଯେତିକି ବ୍ୟାପକ ପଦକ୍ଷେପ ନେବା ଉଚିତ୍ ତାହା ହୋଇପାରୁନି ଏବଂ ମା’ ଠାରୁ ଶିଶୁକୁ ଏଚ୍‌ଆଇଭି ସଂକ୍ରମଣର ମାତ୍ରା ଅଧିକ ରହୁଛି ।  ଏଚ୍‌ଆଇଭି ଆକ୍ରାନ୍ତ କିଶୋରମାନଙ୍କ ମଧ୍ୟରେ ଦୁଇ ତୃତୀୟାଂଶ ବାଳିକା ଥିବା ରିପୋର୍ଟରେ ଦର୍ଶାଯାଇଛି  । ବିଶ୍ବ ଏଡସ୍ ଦିବସରେ ସଚେତନତା ଲାଗି ରାଜ୍ୟର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଶିଶୁଭବନରୁ ରାଜମହଲ ଯାଏଁ ପଦଯାତ୍ରା ଆୟୋଜନ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.