ଗୁରଗାଓଁରେ ଏମଏନସି ଓ ଆଇଟି ସେକ୍ଟରରେ ଜୁଲାଇ ୩୧ ଯାଏଁ ଓ୍ୱାର୍କ ଫ୍ରମ୍ ହୋମ୍ ! ସରକାରୀ ଅଧିକାରୀ ଦେଲେ ମତ

Published By : Prameya-News7 Bureau | April 27, 2020 IST

ଗୁରଗାଓଁ, ୨୭|୦୪:   ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ମେ ୩ ତାରିଖ ଯାଏଁ ଲକଡାଉନ୍ ଘୋଷଣା କରାଯାଇଛି । ଏଥିପାଇଁ ଅନେକ କାର୍ଯ୍ୟାଳୟ ସେମାନଙ୍କ କର୍ମଚାରୀଙ୍କୁ ଘରେ ରହି କାମ କରିବା ପାଇଁ କହିଛନ୍ତି । କର୍ମଚାରୀମାନେ ମଧ୍ୟ ଓ୍ୱାର୍କ୍ ଫ୍ରମ୍ ହୋମ୍ କରୁଛନ୍ତି । ତେବେ ଗୁରଗାଓଁରେ ବହୁରାଷ୍ଟ୍ରୀୟ କମ୍ପାନୀ, ବିପିଓ ଓ ଆଇଟି ସେକ୍ଟର ସେମାନଙ୍କ କର୍ମଚାରୀଙ୍କୁ ଜୁଲାଇ ୩୧ ଯାଏଁ ଘରେ ରହି କାମ କରିବା ପାଇଁ ଅନୁମତି ଦେଇପାରନ୍ତି । ଏନେଇ ଗୁରଗାଓଁ ମେଟ୍ରୋପୋଲିଟାନ୍ ଡେଭଲପମେଣ୍ଟ ଅଥରିଟୀର ସିଇଓ ଭିଏସ କୁଣ୍ଡୁ ସୂଚନା ଦେଇଛନ୍ତି । ତେବେ ଏହା ତାଙ୍କର ବ୍ୟକ୍ତିଗତ ମତାମତ ବୋଲି ସେ କହିଛନ୍ତି । କୁଣ୍ଡୁ ହରିୟାଣାର ଉପ ମୁଖ୍ୟ ଶାସନ ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି ।

ସେ କହିଛନ୍ତି ଯେ, ଅନେକ ରିଅଲ୍ ଇଷ୍ଟେଟ୍ ପ୍ରୋଜେକ୍ଟକୁ ସର୍ତ୍ତମୂଳକ ଭାବେ କାମ କରିବା ପାଇଁ ଅନୁମତି ମିଳି ସାରିଛି । ପୂର୍ବରୁ ଗୁରଗାଓଁ ଜିଲ୍ଲା ପ୍ରଶାସନ ଏକ ଆଡଭାଇଜାରୀ ଜାରି କରି କର୍ମଚାରୀଙ୍କୁ ଘରେ ରହିବା ପାଇଁ କମ୍ପାନୀମାନଙ୍କୁ କହିଥିଲା । ଏହାକୁ ଜୁଲାଇ ୩୧ ଯାଏଁ କମ୍ପାନୀମାନେ ଘୁଞ୍ଚାଇବା ଆବଶ୍ୟକ । ଏହା ଶିଳ୍ପାନୁଷ୍ଠାନ ପାଇଁ ସମ୍ଭବ ନହେଲେ ମଧ୍ୟ ଯେଉଁ ସେକ୍ଟରରେ ସମ୍ଭବ ସେଠାରେ ଲାଗୁ ହେଉ ବୋଲି ସେ ମତ ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଗୁରୁଗାଓଁରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରାଯାଉଛି । କେବେ ଦେଶ ଓ ରାଜ୍ୟ ସ୍ୱାଭାବିକ ଅବସ୍ଥାକୁ ଫେରିବ ତାହା କେହି କହିପାରୁ ନାହାଁନ୍ତି । ଏହି ଅଞ୍ଚଳ ଅଟୋମୋବାଇଲ ଶିଳ୍ପ ପାଇଁ ପ୍ରସିଦ୍ଧ । ଏଠାରେ ୫୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୫ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ରେଡ୍ ଜୋନରେ ରଖାଯାଇଛି । କାରଣ ନୁହ, ପଲଓ୍ୱାଲ, ଫରିଦାବାଦ ଭଳି ଏଠାରେ ସ୍ଥିତି ଖରାପ ରହିଛି । ଗୁରଗାଓଁରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣାର ୨ ଦିନ ପୂର୍ବରୁ ମାର୍ଚ୍ଚ ୨୨ରୁ ଲକଡାଉନ୍ ଲାଗୁ ହୋଇଥିଲା ।

ସୂଚନାଯୋଗ୍ୟ, ହରିୟାଣାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮୯ରେ ପହଁଚିଛି । ଏହା ମଧ୍ୟରୁ ୧୭୬ଜଣ ସୁସ୍ଥ ହୋଇଥିବା ବେଳେ ୩ଜଣ ପ୍ରାଣ ହରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.