ଚୋରା କାଠ ବେପାରରେ ମହିଳା ଫରେଷ୍ଟ ଗାର୍ଡ ! ଖବର ଚାପିବାକୁ ସାମ୍ବାଦିକଙ୍କୁ ଯାଚିଲେ ଲାଞ୍ଚ

Published By : Prameya-News7 Bureau | June 06, 2021 IST

ପାଟଣା, ୦୬।୦୬: ଚୋରା କାଠ ବେପାରରେ ମାତିଛନ୍ତି ମହିଳା ଫରେଷ୍ଟ ଗାର୍ଡ। କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ରେଞ୍ଜର ଗୋରାଣ୍ଡିଯୋଡି ବିଟ୍ ର କାର୍ଯ୍ୟରତ ଫରେଷ୍ଟ ଗାର୍ଡ ରୂପଶ୍ରୀ ସାହୁ ଜଙ୍ଗଲକୁ ସୁରକ୍ଷା ଦେବା ବଦଳରେ ଚୋରା କାଠ ବେପାରରେ ମାତିଥିବାର ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ଏନେଇ ଖବର ପ୍ରସାରଣ ନକରିବାକୁ ମଧ୍ୟ କାର୍ଯ୍ୟରତ ସମ୍ବାଦିକଙ୍କୁ ଟଙ୍କା ଯାଚୁଛନ୍ତି। ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ସରକାର ମୋଟା ଅଙ୍କର ଦରମା ଦେଇ ବନ ବିଭାଗ କର୍ମଚାରୀଙ୍କୁ ନିଯୁକ୍ତ କରିଥିବା ବେଳେ ଜଙ୍ଗଲ ଉଜାଡୁଛନ୍ତି ଖୋଦ୍ ଫରେଷ୍ଟ ଗାର୍ଡ।

ଖବର ଅନୁଯାୟୀ , ତଣ୍ଡ ଗ୍ରାମରୁ ଏକ ପିକଅପ୍ ଗାଡିରେ ଶଙ୍ଖୁଆ ଗ୍ରାମର ବୁଢ଼ାବଣ ଗ୍ରାମର ଜଣେ କାଠ ମାଫିଆଙ୍କ ଘରକୁ ମୂଲ୍ୟବାନର ଶାଗୁଆନ କାଠ ଚାଲାଣ ହେଉଥିଲା। ଖବର ପାଇ ସ୍ଥାନୀୟ ଲୋକେ ଫରେଷ୍ଟର ମୋହିନୀ ମହାନ୍ତଙ୍କୁ ଖବର ଦେଇଥିଲେ । ପରେ ଫରେଷ୍ଟର ସାହାରପଡା ପୋଲିସର ସହାୟତା ମାଗିଥିଲେ। ଫରେଷ୍ଟର ମୋହିନୀ ମହାନ୍ତ ଓ ସାହାରପଡା ଫାଣ୍ଡି ଅଧିକାରୀ ଶିବପ୍ରସାଦ ଆଇଚ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ପିକଅପ ଭ୍ୟାନକୁ ଜବତ କରିଥିଲେ। ତେବେ ପିକଅପ ଚାଳକ ଓ କର୍ମଚାରୀଙ୍କୁ ପୋଲିସ ପଚରାଉଚରା କରିବା ପରେ ଫରେଷ୍ଟ ଗାର୍ଡ ରୂପଶ୍ରୀ ସାହୁଙ୍କ ନାଁ ପଦାକୁ ଆସିଥିଲା।

ଫରେଷ୍ଟ ଗାର୍ଡ ରୂପଶ୍ରୀ ସାହୁଙ୍କ ଉପସ୍ଥିତିରେ କାଠ ଗାଡିରେ ବୋଝେଇ କରାଯାଇ ସେ କହିଥିବା ସ୍ଥାନକୁ ନିଆଯାଉଥିଲା। ଏପରିକି ମହିଳା ଫରେଷ୍ଟ ଗାର୍ଡ ଓ ତାଙ୍କ ସ୍ଵାମୀ କାଠ ବୋଝେଇ ପିକଅପ ଭ୍ୟାନକୁ ସୁରକ୍ଷା ମଧ୍ୟ ଦେଉଥିଲେ। ପିକଅପ ଭ୍ୟାନ ଚାଳକ ପୋଲିସ ଓ ବନ ବିଭାଗ ନିକଟରେ ଏହା କହିଛନ୍ତି। ଏହାର ଭିଡିଓ ଏବେ ସମାଜିକ ଗଣମାଧ୍ୟମରେ ଭାଇରଲ ହେବାରେ ଲାଗିଛି ।

ତେବେ ଘଟଣା ଜଣା ପଡିବା ପରେ କେନ୍ଦୁଝର ଡିଏଫଓ ସ୍ୱୟଂମ୍ ମଲ୍ଲିକ ଘଟଣାର ତଦନ୍ତ ପାଇଁ ପାଟଣା ରେଞ୍ଜର ଟିକେଶ୍ୱର ମହାନ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଚାକରି ଯିବା ଭୟରେ ଖବରକୁ ଆଉ ପ୍ରସାରଣ ନକରିବା ପାଇଁ କାର୍ଯ୍ୟରତ ସାମ୍ବାଦିକଙ୍କୁ ଟଙ୍କା ଯାଚୁଛନ୍ତି ଫରେଷ୍ଟ ଗାର୍ଡ ରୂପଶ୍ରୀ ସାହୁ। କାଠ ଚୋରି ଘଟଣାକୁ ଚପାଇବା ପାଇଁ ସାମ୍ବାଦିକଙ୍କୁ ଟଙ୍କା ଯାଚିବା ଘଟଣା ତାଙ୍କ କାଠ ଚୋରିକୁ ପ୍ରମାଣିତ କରୁଛି।

ଘଟଣା ସମ୍ପର୍କରେ ପାଟଣା ରେଞ୍ଜର ଟିକେଶ୍ବର ମହାନ୍ତଙ୍କୁ ପଚାରିବାରୁ ଡିଏଫଓଙ୍କ ଠାରୁ ନିର୍ଦ୍ଦେଶ ପାଇବା ପରେ ସେ ତଦନ୍ତ ଚଳାଇଥିବା କହିଛନ୍ତି । ଅପର ପକ୍ଷରେ ସାହାରପଡା ଅଞ୍ଚଳବାସୀ ଫରେଷ୍ଟଗାର୍ଡଙ୍କୁ ଚାକରିରୁ ବହିଷ୍କୃତ କରିବା ପାଇଁ ଦାବି କରୁଥିବା ବେଳେ ଡିଏଫଓ ଫରେଷ୍ଟଗାର୍ଡଙ୍କ ଉପରେ କି କାର୍ଯାନୁଷ୍ଠାନ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.