ଚୋରା ମଦ ବେପାରକୁ ବିରୋଧ କରି ଥାନା ଆଗରେ ମହିଳାଙ୍କ ଧାରଣା, ପୋଲିସ ସହ ମୁହାଁମୁହିଁ

Published By : Prameya-News7 Bureau | July 25, 2019 IST

ଆନନ୍ଦପୁର ୨୫|୭: ଗୋଟିଏ ପଟେ ଗାଁ ଗହଳିରେ ଚୋରା ମଦ ବେପାରୀଙ୍କ ବିରୋଧରେ ପୋଲିସର ନିଜ ଆଡୁ ଆକ୍ସନ ଜିରୋ । ଅନ୍ୟପଟେ ମଦ ବିରୋଧୀ ମହିଳାମାନେ ନିର୍ଦ୍ଦିଷ୍ଟ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ କରୁନି ପୋଲିସ । ଓଲଟା ଅଭିଯୋଗକାରୀ ମହିଳାଙ୍କୁ ପୋଲିସ ନାଲି ଆଖି ଦେଖାଇଥିବାର ଗୁରୁତର ଅଭିଯୋଗ ହୋଇଛି । ଫଳରେ ପୋଲିସର କାର୍ଯ୍ୟଶୈଳୀକୁ ବିରୋଧ କରି ଆଜି ଥାନା ପରିସରରେ ମଦ ବିରୋଧୀ ମହିଳା ଓ ପୋଲିସଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।

{"id":137179}

ଆନନ୍ଦପୁର ଥାନାଠାରେ ଏଭଳି ଘଟଣା ଦେଖିବାକୁ ମିଳିଥିବାବେଳେ ଥାନା ଅନ୍ତର୍ଗତ ଦଧିବାମନପୁର ଗାଁର ମଦ ବିରୋଧୀ ମହିଳାମାନେ ଥାନା ପରିସରରେ ଧାରଣାରେ ବସିଥିଲେ । ଧାରଣାରେ ବସିବାକୁ ଆସିଥିବା ଏହି ମହିଳାଙ୍କୁ ପୋଲିସ ଥାନା ହତା ବାହାରକୁ ବାହାରିଯିବାକୁ କହିଥିଲା। ଚଳିତ ମାସ ୧୪ ତାରିଖ ସଂଧ୍ୟାରେ ଗାଁରେ ଜନୈକ ବ୍ୟକ୍ତି  ନିଜ ସହଯୋଗୀଙ୍କୁ ନେଇ ଚୋରା ମଦ ବ୍ୟବସାୟ କରୁଥିବାବେଳେ ମହିଳାମାନେ ସେଠାରେ ପହଞ୍ଚି ପ୍ରତିବାଦ କରିବାରୁ ମଦ ବ୍ୟବସାୟୀ ଜଣଙ୍କ ସଂପୃକ୍ତ ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିବା ଥାନାରେ ଅଭିଯୋଗ ହୋଇଥିଲା ।

{"id":137180}

ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଅଭିଯୁକ୍ତ ଏବେ ସଂପୃକ୍ତ ମହିଳା ଓ ତାଙ୍କ ପରିବାରଙ୍କୁ ବିଭିନ୍ନ ସମୟରେ ଧମକ ଚମକ ଦେଉଥିବା ଅଭିଯୋଗ କରିଛନ୍ତି ମଦ ବିରୋଧୀ ମହିଳା। ଉଚିତ୍ କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ ଥାନା ସମ୍ମୁଖରେ ବସିରହିବେ ବୋଲି ଚେତାବନୀ ଦେଇଛନ୍ତି ମଦ ବିରୋଧୀ ମହିଳା । ହେଲେ ଆଇଆଇସି କହୁଛନ୍ତି ତଦନ୍ତ ଚାଲିଛି ପ୍ରମାଣ ମିଳିଲେ ହେବ କାର୍ଯ୍ୟାନୁଷ୍ଠାନ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.