ମହିଳାଙ୍କୁ ମିଳିବ ଏକାଧିକ ସ୍ଵାମୀର ଅଧିକାର ! ଏହି ଦେଶ ଦେଇଛି ସରକାରଙ୍କୁ ପ୍ରସ୍ତାବ ...

Published By : Prameya-News7 Bureau | June 30, 2021 IST

ପ୍ରେଟୋରିଆ ୩୦।୦୬: ମହିଳା ରଖି ପାରିବେ ଏକାଧିକ ସ୍ଵାମୀ। ମହିଳାଙ୍କୁ ଏମିତି ଅଧିକାର ଦେବା ପାଇଁ ଦକ୍ଷିଣ ଆଫ୍ରିକା ସରକାର ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବକୁ ନେଇ ପୂରା ଦେଶରେ ବିତର୍କ ଆରମ୍ଭ ହୋଇଛି। ଏପରି ପ୍ରସ୍ତାବ ଗ୍ରହଣୀୟ କି ନୁହେଁ, ତା’କୁ ନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଇବାରେ ଲାଗିଛି।

ଦକ୍ଷିଣ ଆଫ୍ରିକା ଏପରି ଏକ ରାଷ୍ଟ୍ର ଯେଉଁଠାରେ ଲିଙ୍ଗଗତ ଭେଦଭାଵ ଦୂର କରିବା ପାଇଁ ସମଲିଙ୍ଗୀ ବିବାହକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି । ସେହିପରି ପୁରୁଷମାନେ ଏକାଧିକ ସ୍ତ୍ରୀଙ୍କୁ ରଖିପାରିବେ ବୋଲି ଦେଶରେ ଆଇନଗତ ଅଧିକାର ମିଳିଛି। ଏବେ ଲିଙ୍ଗଗତ ଅଧିକାର ଉପରେ କାମ କରୁଥିବା ସ୍ୱେଚ୍ଛାସେବୀମାନେ ମହିଳାଙ୍କୁ ଏକାଧିକ ସ୍ୱାମୀ ରଖିବାର ଅଧିକାର ଦେବାକୁ ଦାବି କରିଛନ୍ତି। ଏହାକୁ ଆଇନର ମାନ୍ୟତା ଦେବାକୁ ସେମାନେ ସରକାରଙ୍କୁ ମଧ୍ୟ ଦାବିପତ୍ର ଦେଇଛନ୍ତି। ସମାନତା ଓ ଇଚ୍ଛାର ଅଧିକାର ଆଧାରରେ ସେମାନେ ମହିଳାଙ୍କ ପାଇଁ ଏକାଧିକ ସ୍ୱାମୀ ରଖିବାରୁ ଅନୁମତି ଦେବାକୁ ପ୍ରସ୍ତାବ ଦେଇଛନ୍ତି।

ଅନ୍ୟପଟେ ସରକାର ଏହି ପ୍ରସ୍ତାବ ପରେ ବିବାହ ବ୍ୟବସ୍ଥାକୁ ଅଧିକ ସହଜ କରିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି। ମହିଳାମାନଙ୍କୁ ଏକାଧିକ ସ୍ୱାମୀ ରଖିବାର ଅଧିକାର ଦେବା ପ୍ରକ୍ରିୟାକୁ ଦକ୍ଷିଣ ଆଫ୍ରିକା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆଗକୁ ନେଇଛି। ଏଥିପାଇଁ ଗୋଟିଏ ଗ୍ରୀନ ପେପର ଜାରି କରାଯାଇଛି।

ତେବେ କିଛି ମାତ୍ରାରେ ଧାର୍ମିକ ସଂଗଠନ ଓ ରାଜନୈତିକ ଦଳର ନେତାମାନେ ଏହାକୁ ବିରୋଧ କରିଛନ୍ତି। ଦେଶର ବିଭିନ୍ନ ଟିଭି ବିତର୍କରେ ଭାଗ ନେଉଥିବା ମୁସା ମେସେଲକୁ ନାମକ ଜଣେ ବ୍ୟକ୍ତି ଏହି ପ୍ରସ୍ତାବକୁ ନେଇ ବିରୋଧ କରିଛନ୍ତି। ମୁସାଙ୍କ ୪ ଜଣ ପତ୍ନୀ ଅଛନ୍ତି। ହେଲେ ସେ ମହିଳାଙ୍କୁ ଏକାଧିକ ସ୍ୱାମୀ ରଖିବାର ଅଧିକାର ଦେବା ପ୍ରସ୍ତାବକୁ ବିରୋଧ କରିଛନ୍ତି।

ଏହା ସହ ସେ କହିଛନ୍ତି, ଏହି ବ୍ୟବସ୍ଥା ଦକ୍ଷିଣ ଆଫ୍ରିକାରର ସଂସ୍କୃତିକୁ ଧ୍ୱଂସ କରିଦେବ। ଏପରି ଲୋକଙ୍କ ପିଲାମାନଙ୍କ ଅବସ୍ଥା କ’ଣ ହେବ? ସେମାନେ କେମିତି ନିଜର ପରିଚୟ ହାସଲ କରିବେ? ବର୍ତ୍ତମାନ ସମୟରେ ମହିଳାମାନେ କେବେ ହେଲେ ପୁରୁଷମାନଙ୍କ ଭୂମିକା  ନେଇପାରିବେ ନାହିଁ। ଅନ୍ୟପଟେ ଆଫ୍ରିକାନ ଖ୍ରୀଷ୍ଟିଆନ ଡେମୋକ୍ରାଟିକ ପାର୍ଟି ଓ ଇସଲାମିକ ଅଲ ଜାମା ପାର୍ଟି ପକ୍ଷରୁ ମଧ୍ୟ ଏହାକୁ ବିରୋଧ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.