ମହିଳାମାନେ ଦେଲେ ଚେତାବନୀ: କହିଲେ 'ସରକାର ଋଣ ଛାଡ଼ ନକଲେ ଆମେ ଆତ୍ମାହୁତି ଦେବୁ'

Published By : Prameya-News7 Bureau | June 16, 2020 IST

ନୀଳଗିରି୧୬/୬: ବାଲେଶ୍ଵର ଜିଲ୍ଲା ନୀଳଗିରିର ବିଭିନ୍ନ ଅଞ୍ଚଳରେ ଏବେ ମାଇକ୍ରୋଫାଇନାନ୍ସ ସଂସ୍ଥା ଗୁଡି଼କ ଋଣ କିସ୍ତି ଆଦାୟ ନେଇ ମହିଳାଙ୍କୁ ଶୋଷଣ କରୁଛନ୍ତି।ନୀଳଗିରି ବ୍ଲକ ଅଧିନ ଗରଡି ପଞ୍ଚୟତରେ ଥିବା ୧୧୨ ଟି ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ଶୋଷଣର ଶିକାର ହୋଇ ଆଜି ଏହାର ପ୍ରତିବାଦ ପାଇଁ ମେଳି ବାନ୍ଧିବା ସହ ସ୍ଥାନୀୟ ବିଧାୟକଙ୍କୁ ଡକାଇ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରିବାକୁ ଦାବି କରିଛନ୍ତି। ଯଦି ସରକାର ପ୍ରତିକାର ମୂଳକ ପଦକ୍ଷେପ ନ ନିଅନ୍ତି ତାହେଲେ ବାଧ୍ୟ ହୋଇ ମହିଳାମାନେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି। ନୀଳଗିରି ବ୍ଲକ ଅଧିନ ୨୫ ଟି ପଞ୍ଚାୟତର ହଜାର ହଜାର ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ପରିବାରର ଆର୍ଥିକ ସ୍ବଚ୍ଛଳ ନଥିବା କାରଣରୁ ବିଭିନ୍ନ ମାଇକ୍ରୋଫାଇନାନ୍ସ ସଂସ୍ଥାରୁ ଟଙ୍କା ଋଣ ନେଇଛନ୍ତି।

୧୦ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ମହିଳାମାନେ ଋଣ ନେଇଛନ୍ତି। ଏହି ଟଙ୍କାକୁ ଆଣି ବ୍ୟବସାୟ କରି ପରିବାରକୁ ଚଳାଉଥିଲେ। ହେଲେ ଏବେ କରୋନାର ଲକଡାଉନ ଓ ସଟଡାଉନ କଟକଣା ସମସ୍ତଙ୍କ ଆର୍ଥିକ ମାନଦଣ୍ଡ ଦୋହଲାଇ ଦେଇଛି। ବ୍ୟବସାୟ କରିବା ତ ଦୂରର କଥା ଘରୁ ବାହାରିବା ସମ୍ଭବ ହେଉନାହିଁ।ଏହି ଭଳି ସମୟରେ ମାଇକ୍ରୋଫାଇନାନ୍ସର ସଂସ୍ଥା ଗୁଡି଼କ ଜୋରକରି ଟଙ୍କା ଆଦାୟ କରୁଥିବା ଅଭିଯୋଗ ଉଠିଛି।ଗରଡ଼ିହି ପଂଚାୟତର ମା ମଙ୍ଗଳା, ମା ଗାୟତ୍ରୀ,ଦଧିବାମନ ଜୀଉ,ମା କାଳିକା, ମା,ରକ୍ତ କାଚିନି,ମା ତାରିଣୀ,ଗଡଚଣ୍ଡୀ,ଲଷ୍ମୀନାରାୟଣ,ସାଇବାବା,ସତ୍ୟ ସାଇବାବା,ମା ତାରିଣୀ (୨),ରାଧାକୃଷ୍ଣ,ମା ମଙ୍ଗଳା (୨),ସତ୍ୟ ନାରାୟଣ, ସମେତ ୧୧୨ ଟି ଗ୍ରୁପ ର ମହିଳା ମାନେ ମାଇକ୍ରୋଫାଇନାନ୍ସ ସଂସ୍ଥା ଏସକେଏସ,ଏଲଏଣ୍ଡଟି,ଅର୍ଣ୍ଣପୂରନା, ବନ୍ଧନ,କଲ୍ୟାଣୀ,ଫୁଲଟନ, ଜୀଉ ଆଦି ଫାଇନାନ୍ସ କମ୍ପାନୀ ଠୁଁ ଋଣ ନେଇ ବ୍ୟବସାୟ କରୁଥିଲେ।

ହେଲେ ଏବେ ଲକଡାଉନ୍ ଯୋଗୁଁ ଟଙ୍କା ପାଖରେ ନଥିବା ବେଳେ ଋଣ କିସ୍ତି ଦେଇ ପାରୁନାହାନ୍ତି। କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ୍ ଅନୁସାରେ ୬ ମାସ ଋଣ କିସ୍ତି କିମ୍ବା ସୁଧ ଆଦାୟ କରିବା ନେଇ କଟକଣା ଲଗାଯାଇଥିବା ବେଳେ ଏହାକୁ ଉଲଂଘନ କରି ମାଇକ୍ରୋଫାଇନାନ୍ସ ସଂସ୍ଥା ଜୋର କରି ଟଙ୍କା ମାଗୁଥିବାରୁ ପାଖରେ ଟଙ୍କା ନଥିବା କାରଣରୁ ପରିବାରରେ ଅଶାନ୍ତି ଲାଗିରହିଛି। କୌଣସି କାମ ଧନ୍ଦା ନପାଇ ପରିବାର ର ପେଟ ପୋଷିବା ତ ଦୂରର କଥା ଋଣ କିସ୍ତି ଦେବା ଅସମ୍ଭବ ମନେ ହେଉଛି। ସେପଟେ ଫାଇନାନ୍ସ କମ୍ପାନୀ କର୍ମଚାରୀ ପ୍ରତିଦିନ ଆସି ଘରେ ଟଙ୍କା ନେବାପାଇଁ ପହଂଚିବାରୁ ଫାଇନାନ୍ସ କମ୍ପାନୀ କର୍ମଚାରିଙ୍କ ଜୁଲମ ସହିନପାରି ଆଜି ନୀଳଗିରି ବ୍ଲକ ଅଧିନ ଗରଡ଼ିହି ଅଂଚଳରେ ଶତାଧିକ ମହିଳା ଏକଜୁଟ ହୋଇ ମେଳି ବାନ୍ଧିଥିଲେ। ସ୍ଥାନୀୟ ବିଧାୟକ ସୁକାନ୍ତ କୁମାର ନାୟକଙ୍କୁ ଡକାଇ ନିଜର ଅସହାୟ ପ୍ରକାଶ କରିବା ସହ ଋଣ କିସ୍ତି ସହ ସୁଧ ଛାଡ଼ କରିବାକୁ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରିବାକୁ କହିଥିଲେ।

ଏଥିରେ ମଧ୍ୟ ସ୍ଥାନୀୟ ସମିତି ସଭ୍ୟ ଭାଗିରଥି ସିଂ ଉପସ୍ଥିତ ଥିଲେ। ରାଜ୍ୟରେ ନବୀନ ସରକାର ମହିଳା ମାନଙ୍କ ପ୍ରତି ବହୁ ଯୋଜନା ଯୋଗାଇବା ସହ ମହିଳାଙ୍କୁ ସମ୍ମାନ ଦେବା କହି ଆସୁଥିବା ବେଳେ ଚାଷୀଙ୍କୁ ଯେପରି ଅସୁବିଧା ସମୟରେ ଋଣ କିମ୍ବା ସୁଧ ଛାଡ଼ କରନ୍ତି ସେହିଭଳି ମାଇକ୍ରୋଫାଇନାନ୍ସ ସଂସ୍ଥାରୁ ଋଣ ଆଣିଥିବା ମହିଳାଙ୍କୁ ଋଣ ଛାଡ କରିବାକୁ ଦାବି କରିଥିଲେ। ଯଦି ସରକାର ଦାବି ନମାନନ୍ତି ଆଉ ଏହି ସଂସ୍ଥା ମାନେ ମହିଳାଙ୍କୁ ଶୋଷଣ କରନ୍ତି ତାହେଲେ ସମୂହ ମହିଳା ବାଧ୍ୟ ହୋଇ ଆତ୍ମାହୁତି ଦେବେ ବୋଲି ଉମାମଣି ବିଶୋଇ,ଭଗବତୀ ମହାନ୍ତି,ରଞ୍ଜିତା ମହାନ୍ତି,ଗୀତା ମହାପାତ୍ର,ସସ୍ମିତା ପଲେଇ, ମିନତୀ ବିଶୋଇ,ସୁମତି ସେଠି,ପାର୍ବତୀ ପଲେଇ, ମିନତୀ ପଲେଇ ପ୍ରମୁଖ ଚେତାବନୀ ଦେଇଛନ୍ତି।ସେପଟେ ସ୍ଥାନୀୟ ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଘଟଣାକୁ ନେଇ ପ୍ରଶାସନ ଓ ସରକାର ଙ୍କ ଦୃଷ୍ଟିଆକର୍ଷଣ କରିବେ ବୋଲି କହିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.