ସ୍ତ୍ରୀକୁ ୩ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଆଣିଥିଲା ସ୍ବାମୀ, ଗ୍ୟାଙ୍ଗର ପର୍ଦ୍ଦାଫାସ କଲା ପୋଲିସ

Published By : Prameya-News7 Bureau | September 10, 2020 IST

ପାଟଣା ୧୦/୦୯: ବିହାରର ରାଜଧାନୀ ସ୍ଥିତ  କୈମୁରରେ ଯୁବତୀଙ୍କୁ ବିକ୍ରି କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୋଲିସ । ପୋଲିସ ଚଢ଼ାଉ କରି ୩ ମହିଳାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି । ଏହାସହ ୨୦ ହଜାର ଟଙ୍କା ଓ ୧୧ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତମାନେ ପାଟଣା, ରାଜସ୍ଥାନର ଜୟପୁର ଓ ୟୁପି ବାରଣସୀର ଥିବା ଜଣାପଡ଼ିଛି ।  ଧରାପଡ଼ିଥିବା ଗ୍ୟାଙ୍ଗର ଚେର କେବଳ ପାଟଣା ନୁହେଁ ଉତ୍ତର ଭାରତକୁ ଲମ୍ବିଥିବା ପୋଲିସ କହିଛି ।

କୈମୁର ଏସପି ଦିଲନବାଜ ଅହମଦ କହିଛନ୍ତି, ଯୁବତୀଙ୍କୁ ଚାକିରୀ ଓ ଭଲ ସ୍ଥାନରେ ବିବାହ ଦେବାର ଲୋଭ ଦେଖାଇ ଏହି ଗ୍ୟାଙ୍ଗ ବିକ୍ରି କରୁଥିଲା । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଜୟପୁରର ମଞ୍ଜୁ ଦେବୀ, ବାରଣସୀର ଅଜୟ କୁମାର ଥିବା ଜଣାପଡ଼ିଛି ।

କୈମୁରର ଅକୋଢ଼ି ଗାଁର ଆଜାଦ ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ବିକ୍ରି କରିବାକୁ ଆଣିଥିବା ବେଳେ ପୋଲିସ ଏହାର ସୁରାକ ପାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିବା ସହ ସ୍ଥାନୀୟ ଲୋକଙ୍କୁ ଏନେଇ ପଚରା ଉଚରା କରିଥିଲା । ସେଠାରେ ଜଣେ ମହିଳାଙ୍କୁ ସିଗାରେଟ୍‌ ଟାଣୁଥିବା ଦେଖି ପୋଲିସର ସନ୍ଦେହ ଦୃଢ଼ିଭୁତ ହୋଇଥିଲା ।

 ଏନେଇ ଲୋକଙ୍କୁ ପଚାରିବାରୁ ସେମାନେ ଗାୟତ୍ରୀ ଫାଉଣ୍ଡେସନ୍କୁ ଅନେକ ଲୋକ ଆସିଥିବା ନେଇ କହିଥିଲେ । ଏହାପରେ ଜଣାପଡ଼ିଥିଲା ଯେ ସିଗାରେଟ୍‌ ଟାଣୁଥିବା ମହିଳାଙ୍କ ନାଁ ସୁନୀତା ଦେବୀ ଓ ଅନ୍ୟ ଜଣେ ମହିଳା ପୂଜା ଥିଲେ । ଯାହାଙ୍କୁ ତାଙ୍କ ସ୍ବାମୀ ବିକ୍ରି କରିବାକୁ ଆଣିଥିଲେ । ତେବେ ଗାୟତ୍ରୀ ଫାଉଣ୍ଡେସନ୍ ନାଁରେ ସେଠାରେ ଯୁବତୀଙ୍କ କିଣା ବିକା ଚାଲୁଥିଲା । ତାପରେ ବିବାହ ନାଁରେ ସେମାନଙ୍କୁ ହରିୟାଣା, ରାଜସ୍ଥାନ ଓ ପଞ୍ଚାବରେ ବିକ୍ରି କରାଯାଉଥିଲା ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.