ମହିଳା ଟି୨୦ ବିଶ୍ୱକପ: ‘ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦିଅ’, ଭାରତୀୟ ଖେଳାଳିଙ୍କୁ ମାଷ୍ଟର ବ୍ଲାଷ୍ଟରଙ୍କ ସନ୍ଦେଶ
6/03/2020 at 5:08 PM

ଭୁବନେଶ୍ୱର ୦୬|୦୩ ଭାରତୀୟ ମହିଳା କ୍ରିକେଟ ଦଳ ଟି୨୦ ବିଶ୍ୱକପ ଫାଇନାରେ ପହଁଚିଛି। ଦଳ ଆସନ୍ତା ରବିବାର ଦିନ ଫାଇନାଲେ ଅଷ୍ଟ୍ରେଲିଆକୁ ଭେଟିବ। ତେବେ କ୍ରିକେଟର ଭଗବାନ ଭାବେ ପରିଚିତ ସଚିନ ତେନ୍ଦୁଲକର ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଦଳର ସେ ସଫଳତା କାମନା କରିଛନ୍ତି। ଭାରତ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି।

ସଚିନ କହିଛନ୍ତି ଯେ, ଭଲ ଖେଳି ଦଳକୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ। ଖେଳାଳିମାନେ କୌଣସି ଚାପ ନେବା ଅନୁଚିତ। ସେମାନଙ୍କୁ ବାହାର ଦୁନିଆ ସହ ସମୟ ବିତାଇବା ଏତେ ଜରୁରୀ ନୁହେଁ। ସେମାନଙ୍କ ପ୍ରଦର୍ଶନ ଅନେକ ଯୁବକଙ୍କୁ ପ୍ରେରଣା ଯୋଗାଇଛି। ଏହା ଦେଶ ପାଇଁ ଗୌରବ ଆଣିବାର ସମୟ। ଏହି ମ୍ୟାଚର ଆନନ୍ଦ ଉଠାନ୍ତୁ ବୋଲି ସଚିନ ଖେଳାଳିଙ୍କୁ କହିଛନ୍ତି।

ଭାରତ ଆସନ୍ତା ରବିବାର ଦିନ ୪ ଥରର ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବ। କଙ୍ଗାରୁ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫ ରନରେ ପରାସ୍ତ କରିଥିଲା। ପ୍ରଥମ ସେମିଫାଇନାଲ ବର୍ଷା ପାଇଁ ରବ୍ଦ ହେବାରୁ ଗ୍ରୁପ ପର୍ଯ୍ୟାୟରେ ଶୀର୍ଷରେ ଥିବା କାରଣରୁ ସିଧାସଳଖ ଇଂଲଣ୍ଡକୁ ହଟାଇ ଭାରତ ଫାଇନାଲରେ ପ୍ରବେଶ କରିଥିଲା।