ମହିଳାମାନେ ସବୁବେଳେ ନିଜ ମୋବାଇଲରେ ରଖନ୍ତୁ ଏହି ୫ଟି ଆପ୍ : ଦରକାର ସମୟରେ ଆସିବ କାମରେ
25/09/2019 at 2:16 PM

ନୂଆଦିଲ୍ଲୀ ୨୫/୯: ଭାରତରେ ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧକୁ ଆଖି ଆଗରେ ରଖି ସରକାରଙ୍କ ପାଇଁ ମହିଳା ସୁରକ୍ଷା ଏକ ସର୍ବୋଚ୍ଚ ପ୍ରାଥମିକତା ହୋଇ ସାରିଛି। ଏଥିପାଇଁ ମହିଳାଙ୍କ ସୁରକ୍ଷା ପାଇଁ ଅନେକଗୁଡ଼ିଏ ସୁରକ୍ଷା ଆପ୍ ପ୍ରସ୍ତୁତ କରାଯାଇଛି ଯାହା ଦ୍ବାରା ମହିଳା ଯେଉଁଠି ବି ଥାଆନ୍ତୁ ନା କାହିଁକି ସୁରକ୍ଷିତ ରହିବେ। ଖାସ୍ କଥା ହେଉଛି ଏହା ଯେ ଏହି ମହିଳା ସୁରକ୍ଷା ଆପ୍ ତାଙ୍କ ମୋବାଇଲରେ ପ୍ଲେ ଷ୍ଟୋରରେ ରହିଛି। ଯଦି ସେ କେଉଁଠି ଫସି ଯାଉଛନ୍ତି ତେବେ ଏହି ଆପ୍ ଜରିଆରେ ନିଜ ପରିବାର ଲୋକଙ୍କୁ ନିଜ ସ୍ଥାନ ସହ ଜଡ଼ିତ ସମସ୍ତ ସୂଚନା ପଠାଇ ପାରିବେ। ଫଳରେ ପୋଲିସ୍ ଏବଂ ପରିବାର ଲୋକେ ଘଟଣାସ୍ଥଳରେ ଠିକ୍ ସମୟରେ ତାଙ୍କ ସାହାଯ୍ୟ ପାଇଁ ସେଠାରେ ପହଞ୍ଚି ପାରିବେ।
ମହିଳା ସୁରକ୍ଷା ପାଇଁ କରାଯାଇଥିବା ବିଭିନ୍ନ ପ୍ରକାରର ଆପ୍ ପ୍ଲେ ଷ୍ଟୋରରେ ରହିଛି। ଅଧିକାଂଶ ଆପର ମୂଳ କଥା ସମାନ ଥାଏ। ସେହି ଆପ୍ ଗୁଡ଼ିକ ହେଲା :

୧.ସେଫଟି ପିନ୍ ଆପ୍ : ମହିଳାଙ୍କ ସୁରକ୍ଷା ପାଇଁ ସେଫଟି ପିନ୍ ଏକ ଉତ୍ତମ ବିକଳ୍ପ ଭାବେ ଜଣାଯାଏ। ଏହି ଆପ୍ଲିକେସନକୁ କରିବା ସମୟରେ ବ୍ୟକ୍ତିଗତ ସୁରକ୍ଷାର ଅବଧାରଣାକୁ ଧ୍ୟାନରେ ରଖାଯାଇଛି। ଏହି ଆପରେ ସମସ୍ତ ଆବଶ୍ୟକୀୟ ସୁବିଧା ଯେପରିକି ଜିପିଏସ୍ ଟ୍ରାକିଙ୍ଗ,ଜରୁରୀକାଳୀନ ଯୋଗାଯୋଗ ନମ୍ବର,ସୁରକ୍ଷିତ ସ୍ଥାନ ପାଇଁ ନିର୍ଦେଶ ଆଦି ରହିଛି। ଏହି ଆପ୍ ବ୍ୟବହାରକାରୀଙ୍କୁ ଅସୁରକ୍ଷିତ ସ୍ଥାନରେ ପିନ୍ କରିବା ସହ ଅନ୍ୟର ସାହାଯ୍ୟ କରିବାରେ ସକ୍ଷମ ହୋଇଥାଏ। ଏହି ଆପ୍ ଇଂରାଜୀ ବ୍ୟତୀତ ହିନ୍ଦୀ ଏବଂ ସ୍ପାନିଶରେ ଉପଲବ୍ଧ ରହିଛି।

୨.ରକ୍ଷା ଆପ୍ : ମହିଳାମାନେ ସବୁବେଳେ ,ସବୁ ସ୍ଥାନରେ ନିରାପଦ ରହିବା ପାଇଁ ରକ୍ଷା ଆପକୁ ପ୍ରସ୍ତୁତ କରାଯାଇଛି। ଏହି ଆପ୍ ବଟନ ଯୁକ୍ତ,ଯାହା ବିପଦକାଳରେ ଆପଣଙ୍କ ପରିବାର ଲୋକଙ୍କୁ ଆପଣଙ୍କ ସ୍ଥାନ ସହିତ ଆଲର୍ଟ ପଠାଇବ। ଆପଣ ସେହି ନମ୍ବରଗୁଡ଼ିକୁ ବାଛିପାରିବେ ଯେଉଁମାନେ ଆପଣଙ୍କ ସ୍ଥାନକୁ ଦେଖିବାରେ ସକ୍ଷମ। ଏହା ବ୍ୟତୀତ,ଯଦି ଆପ୍ ବନ୍ଦ ଅଛି କିମ୍ବା କାମ କରୁନାହିଁ, ତେବେ ମଧ୍ୟ ଆପଣ ଭଲ୍ୟୁମ କି ପ୍ରେସ୍ କରି ନିଜ ପରିବାର ଲୋକଙ୍କୁ ଆଲର୍ଟ ପଠାଇବାରେ ସକ୍ଷମ ହେବେ। ଏହି ଆପ୍ଲିକେସନରେ ଏସଓଏସ୍ ମଧ୍ୟ ରହିଛି। ଆପଣ ଯଦି କୌଣସି ସ୍ଥାନରେ ଫସିଯାଇଛନ୍ତି ଯେଉଁଠି ଇଣ୍ଟରନେଟ୍ କାମ କରୁନାହିଁ ସେଠାକୁ ମଧ୍ୟ ଆପଣ ଏସଏମଏସ ପଠାଇ ପାରିବେ।

୩.ହିମ୍ମତ ଆପ୍ : ହିମ୍ମତ ଆପ୍ ଦିଲ୍ଲୀ ପୋଲିସଙ୍କ ଦ୍ବାରା ମହିଳାଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ଆପ୍ ଅଟେ। ଏହି ଆପକୁ ବ୍ୟବହାର କରିବା ପାଇଁ ବ୍ୟବହାରକାରୀ ଦିଲ୍ଲୀ ପୋଲିସଙ୍କ ଓ୍ବେବସାଇଟରେ ରେଜିଷ୍ଟେସନ କରିବାକୁ ପଡ଼ିବ। ଥରେ ରେଜିଷ୍ଟେସନ ହୋଇଗଲେ ବ୍ୟବହାରକାରୀଙ୍କ ପାଖକୁ ଏକ ଓଟିପି ଯିବ। ଏହା ଆପ୍ଲିକେସନ କନଫିଗରେସନ ପାଇଁ ଆବଶ୍ୟକ ହୋଇଥାଏ।ଯଦି କୌଣସି ବିପଦ ସ୍ଥିତିରେ ବ୍ୟବହାରକାରୀ ଆପରୁ ଏସଓଏସ ଆଲର୍ଟ ଉଠାଇଥାଏ,ତେବେ ସେହି ସ୍ଥାନର ସୂଚନା ଏବଂ ଅଡିଓ ,ଭିଡିଓ ସିଧାସଳଖ ଦିଲ୍ଲୀ ପୋଲିସ୍ ନିୟନ୍ତ୍ରଣ ରୁମରେ ପହଞ୍ଚିଯାଇଥାଏ। ଏହା ପରେ ପୋଲିସ୍ ସେହି ସ୍ଥାନରେ ତୁରନ୍ତ ପହଞ୍ଚିଯାଇଥାଏ।

୪.ମହିଳା ସୁରକ୍ଷା ଆପ୍ : ଯଦି ଆପଣ କେବେ ଅସୁରକ୍ଷିତ ସ୍ଥାନରେ ଫସି ଯାଇଛନ୍ତି ତେବେ ଏହି ଆପ୍ ଆପଣଙ୍କ ପରିବାର ଲୋକ କିମ୍ବା ପ୍ରିୟଜନଙ୍କୁ ସୂଚିତ କରିଥାଏ ଏବଂ ଅପଡେଟ୍ କରିଥାଏ।ଏହି ଆପରେ କେବଳ ବଟନକୁ ଥରେ ପ୍ରେସ୍ କଲେ ଆପଣଙ୍କ ସ୍ଥାନ ସମ୍ପର୍କିତ ସୂଚନା ଆପଣଙ୍କ ପ୍ରିୟଜନଙ୍କ ପାଖକୁ ପହଞ୍ଚିଯାଇଥାଏ। ଏହି ଆପ୍ ଆପଣଙ୍କ ସ୍ଥାନ ଏବଂ ଗୁଗଲ ମ୍ୟାପସ୍ ଦ୍ବାରା ପ୍ରି କନଫିଗର କରାଯାଇଥିବା ନମ୍ବରରେ ଏକ ମ୍ୟାସେଜ ପଠାଇବ। ଆପ୍ ଫ୍ରଣ୍ଟ ଏବଂ ରିୟର କ୍ୟାମେରା ସହ ଦୁଇଟି ଫଟୋ ପଠାଇବ ଯାହା ସିଧା ସର୍ଭରରେ ଅପଲୋଡ ହେବ।

୫. ସେକ୍ ଟୁ ସେଫଟି : ସେକ୍ ଟୁ ସେଫଟି ଏକ ସବୁଠୁ ସହଜ ଆପ୍ ଯାହାକୁ ବ୍ୟବହାର କରିବା ଅତ୍ୟନ୍ ସହଜ ହୋଇଥାଏ। ବ୍ୟବହାରକାରୀଙ୍କୁ କେବଳ ନିଜ ସ୍ମାର୍ଟଫୋନରେ ହଲାଇବାର ଆବଶ୍ୟକତା ରହିଛି। କିମ୍ବା ଏସଓଏସକୁ ଏସଏମଏସ୍ ପଠାଇବା ପାଇଁ ୪ଥର ପାଓ୍ବାର ବଟନ୍ ପ୍ରେସ୍ କରନ୍ତୁ।
ଏହି ଆପର ବ୍ୟବହାର ଦୁର୍ଘଟଣା,ନିର୍ଯ୍ୟାତନା,ଡକାୟତି କିମ୍ବା କୌଣସି ପ୍ରାକୃତିକ ବିପର୍ଯ୍ୟୟ ଘଟଣାରେ ମଧ୍ୟ କରାଯାଇପାରିବ।