ଅଙ୍ଗନବାଡି ଓ ମଦ ପାଇଁ ଗାଁରେ ମହାଭାରତ, ଥାନାରେ ପହଞ୍ଚିଲେ ମହିଳା, ଦେଲେ ଚେତାବନୀ

Published By : Prameya-News7 Bureau | October 11, 2020 IST

ନୀଳଗିରି,୧୧/୧୦: ନୀଳଗିରି ଥାନା ଅଧିନ ଦକ୍ଷିଣ କୁଅଁରପୁର ଗାଁରେ ମଦ ବିକ୍ରିପାଇଁ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଅଙ୍ଗନବାଡି କେନ୍ଦ୍ରରେ ଅନିୟମିତତାର ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଦିନକୁ ଦିନ ଘଟଣା ଉଗ୍ରରୂପ ନେଉଛି। ଆକ୍ଷେପ ପ୍ରତି ଆକ୍ଷେପ ପାଇଁ ଉଭୟଙ୍କ ପକ୍ଷଙ୍କ ତରଫରୁ ଥାନାରେ ମାମଲା ହୋଇଥିବା ବେଳେ କେହି କାହାରିକୁ ଆକ୍ରମଣ କରିବାକୁ ପଛାଇ ନାହାନ୍ତି। ପୂର୍ବରୁ ଅଭିଯୋଗ ସତ୍ଵେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ମହିଳା ମାନେ ଥାନାର ଦ୍ୱାରସ୍ଥ ହୋଇ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି।

ସୂଚନା ଅନୁଯାୟୀ ନୀଳଗିରି ଥାନା ଔପଦା ବ୍ଲକ ବାଉଁଶବଣିଆ ପଂଚାୟତ ଅଧିନ ଦକ୍ଷିଣ କୁଅଁରପୁର ଗ୍ରାମର ଥିବା ଅଙ୍ଗନବାଡି କେନ୍ଦ୍ରରେ ଅନିୟମିତତା ନେଇ ପୂର୍ବରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଅଙ୍ଗନବାଡି କର୍ମୀଙ୍କ ସ୍ୱାମୀ କମଳାକାନ୍ତ ଓ ତାଙ୍କ ସାନଭାଇ ସୁଦର୍ଶନ ଦେଶୀ ଓ ବିଦେଶୀ ମଦ ବେଆଇନ ଭାବେ ଚୋରାରେ ବିକ୍ରି କରୁଥିବା ଅଭିଯୋଗ ଉଠିଛି। ଏନେଇ ଗ୍ରାମବାସୀ ମାନେ ୧୭.୧.୨୦୨୦ ରିଖରେ ନୀଳଗିରି ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ପୁଣି ଫେବୃଆରୀ ମାସ ୨୫ ତାରିଖ ଦିନ ଉପଜିଲ୍ଲାପାଳ ଓ ଅବକାରୀ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ସବୁ ବିଭାଗ ଚୁପ୍ ହୋଇ ବସିଥିବା ଅଭିଯୋଗ ହୋଇଛି।

ଗତ ୮ ତାରିଖ ଦିନ ସୁଦର୍ଶନ ବେହେରାଙ୍କ ସ୍ତ୍ରୀ ରଶ୍ମିତା (୩୦)ଙ୍କୁ ସେହି ଗାଁର କୃଷ୍ନଚନ୍ଦ୍ର ବେହେରା ଗାଳିଗୁଲଜ କରିବା ସହ ସେହି ଗ୍ରାମର କିଛି ଗ୍ରାମବାସୀ ତାଙ୍କୁ ଅତି ଅମାନୁଷିକ ଭାବେ ମାଡ଼ମାରିବା ଅଭିଯୋଗ ଥାନାରେ ଅଭିଯୋଗ ହୋଇଛି। ପୁଣି ଆଜି ଅଭିଯୋଗ କରିଥିବା ମହିଳାଙ୍କ ସ୍ୱାମୀ ସୁଦର୍ଶନ ଓ ତାଙ୍କ ଭାଇ କମଳାକାନ୍ତଙ୍କ ବିରୁଦ୍ଧରେ ଚୋରା ମଦକାରବାର କରିବା ଘଟଣାର କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଗାଁର ମହିଳା ମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୋଲିସକୁ ହାତ ବାରିସୀ କରି ବେଆଇନ ମଦ ବିକ୍ରି କରିବା ସହ ଅଙ୍ଗନବାଡି କର୍ମୀ ଜଣଙ୍କ ମିଥ୍ୟା ମୋକଦ୍ଦମା କରୁଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଯଦି ପୋଲିସ ନିରପେକ୍ଷ ତଦନ୍ତ ନକରେ ତାହେଲେ ଆନ୍ଦୋଳନ ଶେଷ ରାସ୍ତା ବୋଲି ଗାଁର ମହିଳାମାନେ ଚେତାବନୀ ଦେଇଛନ୍ତି। ତେବେ ଘଟଣା ଉଗ୍ରରୂପ ଧାରଣ କରିବା ପୂର୍ବରୁ ଘଟଣାକୁ ନେଇ ପ୍ରଶାସନ ର ହସ୍ତକ୍ଷେପ ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.