କ୍ୱାରେଣ୍ଟାଇନ୍‌ରୁ ଫେରିଥିବା ମହିଳାଙ୍କ ମୃତ୍ୟୁ, ଦାହସଂସ୍କାର ପାଇଁ ମନା କଲେ ଗ୍ରାମବାସୀ

Published By : Prameya-News7 Bureau | July 08, 2020 IST

ଫୁଲବାଣୀ ୦୮।୦୭:  କ୍ୱାରେଣ୍ଟାଇନ୍‌ରୁ ଫେରି ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ଗ୍ରାମବାସୀମାନେ ଶବସତ୍କାର ପାଇଁ ସହଯୋଗ କରୁନାହାନ୍ତି । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା  ତୁମୁଡିବନ୍ଧ ଅଞ୍ଚଳରେ । ଘଟଣାସ୍ଥଳରେ ସରପଞ୍ଚ ଓ ବିଡିଓ ପହଞ୍ଚି ଲୋକଙ୍କ ବୁଝାସୁଝା କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ଦେଢମାସ ତଳେ ଚେନ୍ନାଇରୁ ଫେରି ୧୪ ଦିନ ପାଇଁ କ୍ୱାରେଣ୍ଟାଇନ୍‌ରେ ରହିଥିଲା ମହିଳା । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ  କ୍ୱାରେଣ୍ଟାଇନ୍ ରହିଥିଲେ ଚକାପାଦ ବ୍ଳକ ବେହେରାଗାଁ ସୁନାପାଙ୍ଗାର ମହିଳା ନମିତା ମଲ୍ଲିକ । ୧୪ କ୍ୱାରେଣ୍ଟାଇନ୍ ପରେ ଗତ ଜୁନ ୪ରେ ସେ ଘରକୁ ଫେରିଥିଲେ। ତାଙ୍କର କୌଣସି କରୋନା ଲକ୍ଷଣ ନଥିବାରୁ ସ୍ୱାବ ପରୀକ୍ଷା ହୋଇନଥିଲା।  ତେବେ  ଦୁଇଦିନ ହେଲା ତାଙ୍କର ପେଟ କାଟିବା ସହ ବାନ୍ତି ମଧ୍ୟ ହେଉଥିଲା।

 ଘରୋଇ ଉପଚାରରେ ଭଲ ନହେବାରୁ ଡାକ୍ତରଖାନା ନେବାକୁ ପରିବାର ଲୋକେ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏହା ଜାଣିବା ପରେ ମହିଳାଙ୍କ କରୋନା ଯୋଗୁଁ ମୃତ୍ୟୁ ସନ୍ଦେହରେ ଗ୍ରାମବାସୀ ଦାହ ସଂସ୍କାରରେ ସହଯୋଗ କରିବାକୁ ମନା କରିଦେଇଥିଲେ। ତେବେ ସରପଞ୍ଚ ପ୍ରକାଶ ପ୍ରଧାନ ଏଥିରେ ହସ୍ତକ୍ଷେପ କରି ଲୋକଙ୍କୁ ବୁଝାସୁଝା କରାଉଛନ୍ତି । ଏଥିସହ ଖବର ପାଇ ବିଡିଓ ଅନୀଲ ପଟ୍ଟନାୟକ ମେଡିକାଲ ଟିମ୍ କୂ ସେଠାକୁ ପଠାଇଛନ୍ତି  ମୃତ୍ୟୁର କାରଣ ଜାଣିବା ପାଇଁ । ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.