ଆସନ୍ତାକାଲି ତୃତୀୟ ସୋମବାର : ଜାଣନ୍ତୁ କାହିଁକି ଦିନକୁ ଦିନ ବଢୁଛି ମହିଳା କାଉଡିଆଙ୍କ ସଂଖ୍ୟା, ପୋଲିସ କଲାଣି ସ୍ବତନ୍ତ୍ର ବ୍ୟବସ୍ଥା…
4/08/2019 at 5:59 PM

କଟକ ୪|୮: ଏବେ ବୋଲ୍ ବମ୍ ରେ ଅଧିକରୁ ଅଧିକ ମହିଳା ବାହୁଙ୍ଗି ଧରି ଶୈବ ପୀଠ ଯାଉଥିବାର ଦେଖିବାକୁ ମିଳୁଛି । ମହିଳା କାଉଡିଆଙ୍କ ସଂଖ୍ୟା କ୍ରମଶଃ ବଢିବାରେ ଲାଗିଛି । ତେବେ କେଉଁ କାରଣରୁ ଅବଳା, ଦୁର୍ବଳା କୁହାଯାଉଥିବା ଏହି ମହିଳା ମାନେ ଖରା ବର୍ଷାରେ ଦୀର୍ଘ ପଥ ଚାଲି ଚାଲି ଶୈବ ପୀଠକୁ ଯିବା ପାଇଁ ଗୋଡ କାଢିଛନ୍ତି, ତାହା ଜାଣିବା ପାଇଁ ଚେଷ୍ଟା କରିଥିଲା ନ୍ୟୁଜ୍ ସେଭେନ୍ ଟିମ୍ ।

ରଙ୍ଗ ବଦଳୁଛି ଶ୍ରାବଣୀ ଯାତ୍ରାର । ପୂର୍ବରୁ କେବଳ ପୁରୁଷମାନେ ହିଁ ଶହ ଶହ କିଲୋମିଟର ଦୀର୍ଘ ପଥ ଚାଲି ଚାଲି ପାଣି ନେଇ ଶୈବ ପୀଠକୁ ଯାଉଥିଲେ । ଏବେ କିନ୍ତୁ କଟକ ଗଡଗଡିଆ ଘାଟକୁ ଗଲେ ଏ ଟ୍ରେଣ୍ଡରେ ପରିର୍ତ୍ତନ ହେବା ସ୍ପଷ୍ଟ ବାରିହେଇ ପଡୁଛି । ପୁରୁଷଙ୍କ ତୁଳନାରେ ଯଥେଷ୍ଟ ସଂଖ୍ୟାରେ ମହିଳା କାଉଡିଆ ବି ମହାନଦୀର ଏହି ପବିତ୍ର ଘାଟରୁ ଜଳ ନେଇ ବିଭିନ୍ନ ଶୈବ ପୀଠ ଅଭିମୁଖେ ବାହାରିଛନ୍ତି ।

ତେବେ ସାଧାରଣତଃ ନାରୀ ମାନଙ୍କୁ ଅବଳା ଆଉ ଦୁର୍ବଳା ବୋଲି କୁହାଯାଏ । ମାତ୍ର ଶିବ ଭକ୍ତି ଏହି ନାରୀ ମାନଙ୍କୁ ଘରୁ ଗୋଡ କାଢି ଖରା ବର୍ଷାରେ ଶହ ଶହ କିଲୋମିଟର ଚାଲି ଚାଲି ଯିବା ପାଇଁ ପ୍ରେରଣା ଦେଇଛି ବୋଲି କହନ୍ତି ଏହି ମହିଳା ମାନେ ।

ଚଳିତ ବର୍ଷ ଗଡଗଡିଆ ଘାଟରେ ଏକାଠି ହୋଇଥିବା କାଉଡିଆଙ୍କ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ମହିଳା କାଉଡିଆ ରହିଛନ୍ତି । ବିଭିନ୍ନ ମାନସିକ ପୂରଣ ପାଇଁ ଓ କିଛି ମାନସିକ ପୁରଣ ହେଇଥିବାରୁ ଏହି ମହିଳା ମାନେ ଗଡଗଡିଆ ଘାଟରୁ ପାଣି ଉଠାଇ ବିଭିନ୍ନ ଶୈବ ପୀଠ ଅଭିମୁଖେ ଯାଉଥିବା କହିଛନ୍ତି ।

ମହିଳା କାଉଡିଆଙ୍କ ସଂଖ୍ୟା ବଢିବାକୁ ଓ ରାତିରେ ଏମାନେ ଦୀର୍ଘ ପଥ ଚାଲି ଚାଲି ଯାଉଥିବାରୁ ମହିଳା ପୋଲିସ୍ ଙ୍କୁ ନେଇ ସୁରକ୍ଷା ବ୍ୟବସ୍ଥା ବି କଡା କଡି କରାଯାଇଛି ।