Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତିନି ବର୍ଷର ଝିଅ ସହ ନଈକୁ ଡେଇଁଛନ୍ତି ମହିଳା ! ରାତିସାରା ଘଣ୍ଟାଚକଟା ପରେ ପାଇନାହାନ୍ତି ଅଗ୍ନିଶମ ଟିମ୍‌ : ବ୍ରିଜ ଉପରେ ସ୍କୁଟି ଓ ଚପଲ, ତଥାପି ସନ୍ଦେହ…

30/06/2020 at 9:04 AM

ସମ୍ବଲପୁର ୩୦।୦୬:  ଧମା ଥାନା ଅଞ୍ଚଳର ଜଣେ ମହିଳାଙ୍କ ସହ ତାଙ୍କର ୩ ବର୍ଷର ଝିଅ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି । ପ୍ରଥମେ ମା’-ଝିଅଙ୍କ ନିଖୋଜ ଖବର ଆସିଥିବା ବେଳେ ପରେ ମହାନଦୀ ସେତୁରୁ ସ୍କୁଟି ଏବଂ ଚପଲ ଉଦ୍ଧାର ହେବା ପରେ ତଳକୁ ଡେଇଁ ପଡ଼ିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ପୁଲିସ ଏବଂ ଅଗ୍ନିଶମ ବିଭାଗର ଟିମ୍‌ ଛାନ୍‌ଭିନ୍‌ କରୁଥିବା ବେଳେ ରାତି ଯାଏ ଉଭୟଙ୍କ ପତ୍ତା ବି ମିଳିନାହିଁ । ଦୀର୍ଘ ୧୦ଘଣ୍ଟାରୁ ଅଧିକ ସମୟ ହେଲା ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛନ୍ତି । କିନ୍ତୁ ଅଗ୍ନିଶମ ବିଭାଗ ନଦୀ ଭିତରେ ଆଦୌ ଖୋଜାଖୋଜି କରିନଥିବାର ଅଭିଯୋଗ ଆଣି ପରିବାର ଏବଂ ସଂପର୍କୀୟ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ସୂଚନା ଅନୁସାରେ, ଧମା ଥାନା ଅଞ୍ଚଳର ପୂଜା ଅଗ୍ରୱାଲ କିଛି ବର୍ଷ ତଳେ କଳାହାଣ୍ଡି କେସିଙ୍ଗା ଅଞ୍ଚଳର ବରୁଣ ଅଗ୍ରୱାଲଙ୍କୁ ବିବାହ କରିଥିଲେ । ଗତ ସପ୍ତାହରେ ସେ ଧମା ସ୍ଥିତ ନିଜ ବାପା ସରଜୁ ଅଗ୍ରୱାଲଙ୍କ ଘରକୁ ବୁଲି ଆସିଥିଲେ। ସୋମବାର ଦିନ ପ୍ରାୟ ୧୨ଟାରେ ସେ ନିଜର ୩ ବର୍ଷର ଝିଅକୁ ପାଖ ମାର୍କେଟରେ ବୁଲାଇ ଆଣିବା କହି ସ୍କୁଟି ଧରି ବାହାରିଥିଲେ। ହେଲେ ଦୀର୍ଘ ସମୟ ଧରି ଘରକୁ ଫେରିନଥିଲେ । ପରେ ତାଙ୍କର ସ୍କୁଟି ଏବଂ ହଳେ ଚପଲ ଟାଉନ ଥାନା ଅନ୍ତର୍ଗତ ମହାନଦୀ ଚାଉଁରପୁର ସେତୁ ଉପରୁ ସ୍ଥାନୀୟ ଲୋକେ ସନ୍ଦେହଜନକ ଭାବେ ଦେଖିଥିଲେ । ଘଟଣା ବେଳେ ହୀରାକୁଦ ବନ୍ଧର ୧୨ଟି ଗେଟ୍‌ ଖୋଲାଥିବାରୁ ଏହି ପୋଲ ତଳେ ପାଣିର ସ୍ରୋତ ଅତ୍ୟନ୍ତ ପ୍ରଖର ରହିଛି । ଆଉ ଯଦି ମା’, ଝିଅ ପୋଲ ତଳକୁ ଡେଇଁଥିବେ ତାହେଲେ ଏମାନଙ୍କ ଉଦ୍ଧାର କାଠିକର ପାଠ ବୋଲି କୁହାଯାଉଛି ।ଘଟଣାସ୍ଥଳରେ ପୁଲିସ ଏବଂ ଅଗ୍ନିଶମ ବିଭାଗର ଏକ ଟିମ୍‌ ପହଞ୍ଚି ଛାନ୍‌ଭିନ କରିଛନ୍ତି । ପୋଲ ନିକଟରେ ସ୍କୁଟି ଏବଂ ଚପଲ ରଖାଯାଇଥିବା ବେଳେ ମହିଳା ଜଣଙ୍କ ତାଙ୍କ ୩ ବର୍ଷର ଝିଅକୁ ଧରି ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି । କିଭଳି ପରିସ୍ଥିତିରେ ସେ ସମ୍ବଲପୁରରେ ପହଞ୍ଚିଲେ ତାକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି ।

ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ଟାଉନ ଥାନା ଆଇଆଇସି ରମେଶ ଦୋରା, ଧମା ଥାନା ଅଧିକାରୀ ରାଜେଶ୍ୱରୀ ଭୋଇ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ପହଞ୍ଚି ଘଟଣାର ତନାଘନା କରିଛନ୍ତି । ପୁଲିସ ଘଟଣାସ୍ଥଳରୁ ଏକ ସ୍କୁଟି, ମହିଳାଙ୍କ ଚପଲ, ଏବଂ ମୋବାଇଲ ଫୋନ୍‌ ଉଦ୍ଧାର କରିଛି । ହେଲେ ପାଣି ଭିତରେ ଅଗ୍ନିଶମ ବିଭାଗ ଆଦୌ ଖୋଜାଖୋଜି କରିନଥିବାରୁ ପରିବାର ତଥା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

   Related Posts