କେରଳ ସବରିମାଳା ମନ୍ଦିରରେ ଉତ୍ତେଜନା, ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ବିରୋଧ

Published By : Prameya-News7 Bureau | October 17, 2018 IST

ଥିରୁବନନ୍ତପୁରମ୧୭|୧୦: କେରଳର ପ୍ରସିଦ୍ଧ ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ବିରୋଧ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କେରଳର ଏଲଡିଏଫ୍ ସରକାର କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଥିବା ବେଳେ ଆୟାପ୍ପା ଭକ୍ତଙ୍କ ସହ ମିଶି ବିରୋଧକୁ ତୀବ୍ର କରିଛନ୍ତି ବିଜେପି ଓ କଂଗ୍ରେସ । ବହୁକଷ୍ଟରେ ସବରିମାଳା ମନ୍ଦିରର ପ୍ରବେଶ ସ୍ଥାନ ନିଲାକାଲାକୁ କବଜାକୁ ନେଇଛି ପୋଲିସ୍ । ସେପଟେ ଏଭଳି ଏକ ପରିସ୍ଥିତିକୁ ନେଇ କେରଳ ଜଳୁଥିବା ବେଳେ ୟୁଏଇ ଗସ୍ତରେ ଚାଲିଗଲେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ।କେରଳ ସବରିମାଳା ମନ୍ଦିରରେ ଉତ୍ତେଜନା । ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମକୋର୍ଟ ରାୟ ଦେବା ପରେ ଏଭଳି ପରିସ୍ଥିତି । ସର୍ବୋଚ୍ଚ କୋର୍ଟଙ୍କ ରାୟ ବିରୋଧରେ, ଆଉ ଶହ ଶହ ବର୍ଷର ପ୍ରଥା ଓ ପରମ୍ପରାକୁ ସମର୍ଥନ କରି ଆଗକୁ ବାହାରିଛନ୍ତି ଆୟାପ୍ପା ଭକ୍ତ । ସ୍ଥାନୀୟ ମହିଳା ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରିଛନ୍ତି । କୌଣସି ପରିସ୍ଥିତିରେ ମହିଳାଙ୍କୁ ମନ୍ଦିର ମଧ୍ୟରେ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ସେମାନେ ଜିଦ୍ ଧରିଥିଲେ । ମନ୍ଦିର ଠାରୁ ୨୦ କିଲୋମିଟର ଦୂର ନିଲାକାଲ ଓ ପାମ୍ବାରେ ଟେଣ୍ଟ ମାରି ବିରୋଧ ପ୍ରଦର୍ଶନ କରୁଥିଲେ । ହେଲେ ବହୁ କଷ୍ଟରେ ପୋଲିସ୍ ବିକ୍ଷୋଭକାରୀଙ୍କୁ ଘଉଡ଼ାଇ ନିଲାକାଲ ଓ ପାମ୍ବାକୁ କବଜାକୁ ନେଇଛି ।ସାବରିମାଳା ମନ୍ଦିରରେ ମହିଳାମାନେ ପ୍ରବେଶ କରିପାରିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ପ୍ରଥମ ଥର ପାଇଁ ଖୋଲିଛି ମନ୍ଦିର ।  ଯେଉଁଥି ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରର ଶହ ଶହ ମହିଳା, ସ୍ବାମୀ ଆୟାପ୍ପାଙ୍କ ଦର୍ଶନ ଅଭିମୁଖେ ବାହାରିଥିଲେ । ହେଲେ ବିରୋଧକାରୀମାନେ, ରାସ୍ତାରେ ସେମାନଙ୍କୁ ଅଟକାଇଥିଲେ । କିଛି ମହିଳଙ୍କୁ ଜୋରଜବରଦସ୍ତ ଅଧା ବାଟରୁ ଫେରାଇ ଦେଇଥିଲେ । ଆନ୍ଧ୍ରପ୍ରଦେଶ କାକିନାଡ଼ାରୁ ଆସିଥିବା ୪୫ ବର୍ଷୀୟ ମାଧବୀ ପୋଲିସ୍ ସୁରକ୍ଷା ବଳୟରେ ମନ୍ଦିର ପାଖକୁ ଯିବାକୁ ଦୁଃସାହାସ କରିଥିଲେ । କିନ୍ତୁ ୨ ଶହ / ୩ ଶହ ମିଟର ଯିବା ପରେ ଭୟ ଅନୁଭବ କରି ଫେରି ଆସିଥିଲେ । ମହିଳା ସାମ୍ବାଦିକମାନେ ମଧ୍ୟ ବିରୋଧକାରୀଙ୍କ ଦାଉରୁ ବର୍ତ୍ତି ପାରି ନଥିଲେ । ଆୟାପ୍ପା ଭକ୍ତମାନେ ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।ସାବରିମାଳା ମନ୍ଦିରରେ ମହିଳାମାନେ ପ୍ରବେଶ କରିପାରିବେ ବୋଲି ସୁପ୍ରିମକୋର୍ଟ, ଯେତେବେଳେ ନିର୍ଦ୍ଦେଶ ଦେଲେ, ସେତେବେଳେ ଉଭୟ ବିଜେପି ଓ କଂଗ୍ରେସ ସମର୍ଥନ କରିଥିଲେ । କିନ୍ତୁ ନିର୍ଦ୍ଦେଶ କାର୍ଯ୍ୟକାରୀ ବେଳକୁ ଉଭୟ ଦଳ ଭୋଟ୍ ବ୍ୟାଙ୍କ ପଲିଟିକ୍ସ ଆରମ୍ଭ କରି ଦେଇଛନ୍ତି । ସେପଟେ ପୋଲିସ୍ ଓ ପ୍ରଶାସନ ହାତରେ ହାତରେ ପରିସ୍ଥିତିକୁ ଛାଡ଼ି ଦେଇ ୟୁଏଇ ଚାଲି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.