ଶିକାରୀ ଗୁଳିରେ ମହିଳା ଗୁରୁତର : ସଙ୍କଟାପନ୍ନ ଅବସ୍ଥାରେ ଘରେ ବନ୍ଦୀ, ଝିଅକୁ ଉଦ୍ଧାର ପାଇଁ ବାପାଙ୍କ ନିବେଦନ

Published By : Prameya-News7 Bureau | April 19, 2021 IST

ସାନଖେମୁଣ୍ଡି ୧୯।୦୪: ଶିକାରୀ ଗୁଳିରେ ମହିଳା ଗୁରୁତର । ପୋଲିସ କେସ୍ ହେବା ଭୟରେ ସମ୍ପୃକ୍ତ ଶିକାରୀ ସଙ୍କଟାପନ୍ନ ଅବସ୍ଥାରେ ଥିବା ମହିଳାଙ୍କୁ ଘରେ ବନ୍ଦୀ କରି ରଖାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ପାହାଡ ଉପର ଗାଁ କୁଶମଳାରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଖବର । ଗୁରୁତର ମହିଳା ହେଳେ ମମିତା ଭୂୟାଁ । ଏ ନେଇ ତାଙ୍କ ବାପା ଜରଡା ଥାନାରେ ଅଭିଯୋଗ କରିଛନ୍ତି । ଝିଅକୁ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି ବାପା ଦୁର୍ଲଭ କାର୍ଜୀ ।

ଅଭିଯୋଗ ମୁତାବକ ଶନିବାର ଅପରାହ୍ନରେ କୁଶମଳା ଓ ଆଖପାଖ ଗାଁର ପ୍ରାୟ ୧୧ ଜଣ ଶିକାରୀ ଦେଶୀ ବନ୍ଧୁକ ଧରି ବେଆଇନ୍ ଭାବେ ନିକଟସ୍ଥ ଜଙ୍ଗଲକୁ ଶୀକାର ପାଇଁ ଯାଇଥିଲେ । ଶିକାର ବେଳେ ଜଣେ ବନ୍ଧୁକଧାରୀଙ୍କ ଗୁଳି ଜଙ୍ଗଲରେ କାଠ ସଂଗ୍ରହ କରୁଥିବା ମମିତା ଭୂୟାଁଙ୍କ ବେକରେ ବାଜିଥିଲା । ହେଲେ ପୋଲିସ କେସ୍ ହେବା ଭୟରେ କୁଶମଳା ଗାଁର ଜଣେ ଶିକାରୀଙ୍କ ଘରେ ମମିତାଙ୍କୁ ବଳପୂର୍ବକ ରଖାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସତ୍ତ୍ୱେ ତାଙ୍କୁ ମେଡିକାଲ ନିଆଯାଉନି । ଏପରିକି ତାଙ୍କ ଝିଅକୁ ମଧ୍ୟ ତାଙ୍କୁ ଭେଟିବାକୁ ଦିଆଯାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ସେପଟେ ଜରଡା ଥାନା ଅଧିକାରୀ କହିଛନ୍ତି ଯେ ଏଭଳି କୌଣସି ଖବର ତାଙ୍କ ପାଖରେ ନାହିଁ । କେହି ଯଦି ଅଭିଯୋଗ କରନ୍ତି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.