‘ମହିଳାଙ୍କୁ ଏକାଧିକ ସ୍ୱାମୀଙ୍କ ସହ ରହିବାକୁ ସୁଯୋଗ ଦିଆଯାଉ’

Published By : Prameya-News7 Bureau | June 13, 2020 IST

ନୂଆଦିଲ୍ଲୀ ୧୩।୦୬: ଚୀନ୍‌ର ଜଣେ ଅର୍ଥନୀତିଜ୍ଞ ପ୍ରସ୍ତାବ ଦେଇଛନ୍ତି କି ଦେଶର ମହିଳାମାନଙ୍କୁ ଏକାଧିକ ସ୍ୱାମୀ ରଖିବା ପାଇଁ ସୁଯୋଗ ଦିଆଯାଉ । ଫୁଦାନ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ପ୍ରଫେସର ୟୁ କ୍ୱାଙ୍ଗ ଏନଜି କହିଛନ୍ତି ଯେ ଚୀନ୍‌ରେ ଏବେ ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ସଂଖ୍ୟା କମି କମି ଯାଉଛି । ଏହାଯୋଗୁ ବହୁ ପୁରୁଷ ବିବାହ କରିବା ପାଇଁ ଝିଅ ଯୋଗାଡ କରିପାରୁନାହାନ୍ତି । ଏକ ଆକଳନ ଅନୁଯାୟୀ, ୨୦୨୦ ମସିହା ସୁଦ୍ଧା ଚୀନ୍‌ରେ ୩୫ରୁ ୫୯ ବର୍ଷ ଭିତରେ ପ୍ରାୟ ୧୫ ନିୟୁତ ନିଜ ପାଇଁ ଯୋଗ୍ୟ ପାତ୍ରୀ ନପାଇବା କାରଣରୁ ଅବିବାହିତ ରହିବେ । ୨୦୫୦ ମସିହା ସୁଦ୍ଧା ଏହା ୩୦ ନିୟୁତରେ ପହଞ୍ଚିବ । ଏପରି ହେଲେ ସାମାଜିକ ବିଶୃଙ୍ଖଳା ଦେଖାଦେବ ।

ଯଦି ଏତେ ସଂଖ୍ୟକ ଲୋକ ନିଜର ପ୍ରାକୃତିକ ଏବଂ ମନସ୍ତାତ୍ତ୍ୱିକ ଆବଶ୍ୟକତା ପୂରଣ କରିବା ପାଇଁ ସୁଯୋଗ ପାଇବେ ନାହିଁ, ତାହାହେଲେ ସେମାନେ ଅବସାଦଗ୍ରସ୍ତ ହେବେ । ତା’ଛଡା ଝିଅଙ୍କ ସଂଖ୍ୟା କମ୍‌ ଥିବାରୁ ବିବାହ କରିବା ପାଇଁ ପୁରୁଷମାନଙ୍କ ଭିତରେ ପ୍ରତିଯୋଗିତା ଆରମ୍ଭ ହେବ । ମଧ୍ୟ-ବୟସ୍କ ଲୋକେ ଏଥିପାଇଁ ଯୁବକମାନଙ୍କ ସହିତ ପ୍ରତିଦ୍ୱନ୍ଦିତା କରିପାରିବେ ନାହିଁ । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଦେଶରେ ବେଶ୍ୟାବୃତ୍ତିକୁ ଆଇନସମ୍ମତ କରାଯାଉ କିମ୍ବା ମହିଳାମାନଙ୍କୁ ଏକାଧିକ ସ୍ୱାମୀ ରଖିବାକୁ ସୁଯୋଗ ଦିଆଯାଉ । ମୂଳରୁ ବାହା ନହେବା ଅପେକ୍ଷା ଜଣେ ମହିଳାଙ୍କୁ ବାହାହେବା ପାଇଁ ପୁରୁଷମାନେ ପସନ୍ଦ କରିବେ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.