ଯୌତୁକ ଜୁଇରେ ଗଲା ଆଉ ଏକ ଜୀବନ, ମୃତ୍ୟୁ ପୂର୍ବ ଜମାନବନ୍ଦୀରେ ସ୍ୱାମୀ-ନଣନ୍ଦ-ନଣନ୍ଦେଇଙ୍କ କାର୍‌ନାମା କହିଗଲେ ୨ଟି ପିଲାର ମାଆ

Published By : Prameya-News7 Bureau | September 07, 2020 IST

ଯାଜପୁର ୦୭।୦୯: ଯୌତୁକ ଜୁଇରେ ଗଲା ଆଉ ଏକ ଜୀବନ । ବିବାହର ୮ବର୍ଷ ପରେ ବି ଶାଶୁଘର ଲୋକଙ୍କ ନିର୍ଯାତନାର ଶିକାର ହୋଇଛନ୍ତି ଜଣେ ମହିଳା । ଯାଜପୁର ଜିଲ୍ଲା ଟାଉନ୍‌ ଥାନା ଅଞ୍ଚଳରୁ ଆସିଛି ଏପରି ଅଭିଯୋଗ । ଜଣେ ବିବାହିତ ମହିଳା ଓ ୨ସନ୍ତାନର ଜନନୀଙ୍କୁ ନିଆଁରେ ପୋଡି ମାରିଦେଇଥିବାର ଅଭିଯୋଗ ଆସିଛି । ତାହା ପୁଣି ନିଜ ସ୍ୱାମୀ-ନଣନ୍ଦ-ନଣନ୍ଦେଇଙ୍କ ବିରୋଧରେ । ସମସ୍ତେ କିରୋସିନି ଢାଳି ନିଆଁ ଲଗାଇବା ସହ ଘରର କବଟା ବାହାର ପଟୁ ବନ୍ଦ ମଧ୍ୟ କରିଦେଇଥିଲେ । ନିଆଁରେ ପୋଡୁଥିବା ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟଲୋକ ଯାଇ ଘରର କବଟା ଖୋଲି ମହିଳାଙ୍କୁ ଉଦ୍ଧାର କରିଥିଲେ ବୋଲି ମୃତ୍ୟୁ ପୂର୍ବରୁ ସରସ୍ୱତୀ କହିଯାଇଛନ୍ତି ।

୮ବର୍ଷ ତଳେ ଯାଜପୁର ଟାଉନ୍‌ ଥାନ ଧନିପୁର ଗାଁର ସ୍ୱର୍ଗତ ବିଶ୍ୱନାଥ ପଣ୍ଡାଙ୍କ ଝିଅ ମାର୍କଣ୍ଡପୁର ଗାଁ ସ୍ୱର୍ଗତ ନରେନ୍ଦ୍ର ପାଣିଙ୍କ ପୁଅ ରବିନ୍ଦ୍ରଙ୍କ ସହିତ ଅନୁଷ୍ଠିତ ହୋଇଥିଲା । ହିନ୍ଦୁ ରୀତି ଅନୁସାରେ ଉଭୟଙ୍କ ବାହାଘର ହୋଇଥିଲା ।  ବିବାହ ସମୟରେ ବରପକ୍ଷରୁ ଥିବା ଦାବି ମୁତାବକ କନ୍ୟାଘରର ଲୋକେ ସମସ୍ତ ଯୌତୁକ ଦେଇଥିଲେ । କିନ୍ତୁ ରୁଣ ଭାରେରେ ବୁଡି ରହିଥିବା ରବିନ୍ଦ୍ର ଅଧିକ ଯୌତୁକ ପାଇଁ ଦାବି କରିଆସୁଥିଲେ । ଯାହାଫଳରେ ସେ ପ୍ରତିଦିନ ସରସ୍ୱତୀଙ୍କ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଆସୁଥିଲେ । ଏନେଇ ସମସ୍ତ ଘଟଣାସଂପର୍କରେ ସରସ୍ୱତୀ ନିଜ ବାପଘର ଲୋକଙ୍କ ଜଣାଇଥିଲେ ।

ଦିନ ଗଡିବା ସହ ନିର୍ଯାତନା ମଧ୍ୟ ବଢିଚାଲିଥିଲା । ପ୍ରତିଦିନ ଅସହ୍ୟ ଯନ୍ତ୍ରଣାରେ ଜୀବନ ଅତିବାହିତ କରୁଥିଲେ ସରସ୍ୱତୀ । ଯାହାଫଳରେ କି ସେ ଅଧିକାଂଶ ସମୟ ନିଜର ଦୁଇଟି ସନ୍ତାନକୁ ନେଇ ବାପଘରକୁ ଚାଲିଯାଉଥିଲେ । କିଛି ଦିନ ଧର ସରସ୍ୱତୀ ନିଜ ଶାଶୁ ଘରକୁ ନଫେରିବାରୁ ଅଗଷ୍ଟ ୨୪ତାରିଖରେ ରବିନ୍ଦ୍ର ବାଧ୍ୟ ହୋଇ ଧନିପୁରରେ ପହଞ୍ଚିଥିଲା ।  ଧନିପୁର ଗାଁଲୋକ ଓ ଜନପ୍ରତିନିଧି ବସି ସମସ୍ତକୁ ସମାଧାନ କରିଥିଲେ । ଯାହାପରେ ରବିନ୍ଦ୍ର ତାଙ୍କ ସ୍ତ୍ରୀ ସରସ୍ୱତୀ ଓ ୨ ସନ୍ତାନକୁ ନେଇ ଗାଁକୁ ଫେରିଥିଲେ । କିନ୍ତୁ ୨୮ତାରିଖ ଦିନ ସରସ୍ୱତୀ ନିଆଁରେ ପୋଡି ଯାଇଥିବା ଖବର ପରିବାର ଲୋକେ ଜାଣିବାକୁ ପାଇଥିଲେ ।

ଝିଅର ପୋଡିଯାଇଥିବା ଖବର ପାଇ ବାପଘର ମାର୍କେଣ୍ଡପୁରରେ ପହଞ୍ଚିଥିଲେ । ସେଠାରୁ ସରସ୍ୱତୀଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ସରସ୍ୱତୀ ପୋଡିନାହିଁ ବରଂ ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରାଯାଇଛି ବୋଲି ସାନଭାଇ ଦୀପକ ପଣ୍ଡା ଅଭିଯୋଗ କରିଥିଲେ । ଏନେଇ ସେ ଯାଜପୁର ଥାନାରେ ଏକ ଅଭିଯୋଗ କରିଥିଲେ । ସରସ୍ୱତୀଙ୍କ ସାନଭାଇ ଦୀପକଙ୍କ ଅଭିଯୋଗ ପତ୍ରନୁସାରେ, ସରସ୍ୱତୀଙ୍କୁ କିରୋସିନି ଢାଳି ହତ୍ୟା ଉଦ୍ୟମ କରାଯାଇଛି । ସ୍ୱାମୀ-ଶାଶୁ-ନଣନ୍ଦ-ନଣନ୍ଦେଇ ଏହି କାର୍ଯ୍ୟରେ ଲିପ୍ତ ରହିଛନ୍ତି । ତେବେ ଗୋଟିଏ ପଟେ ଆରୋପ ପ୍ରତ୍ୟାରୋପର ଅଭିଯୋଗ ଚାଲିଥିବା ବେଳେ ଆଉ ଗୋଟିଏ ପଟେ ଚିକିତ୍ସାଧୀନ ସରସ୍ୱତୀଙ୍କର ମେଡିକାଲରେ ମୃତ୍ୟୁ ହୋଇଯାଇଛି ।   

ସରସ୍ୱତୀଙ୍କ ଭାଇ ଦୀପକଙ୍କ ଅଭିଯୋଗକୁ ଭିତ୍ତି କରି ଟାଉନ ପୁଲିସ ୩୧୯/୨୦, ଦଫା ୪୯୮(ଏ)/୩୨୩/୩୦୭/୫୦୬/୩୪ ଆଇପିସି/୪ ଡିପି ଆକ୍ଟରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ମୃତ୍ୟୁ ପୂର୍ବରୁ ସରସ୍ୱତୀଙ୍କ ଜମାନବନ୍ଦୀ ରେକର୍ଡ କରିଛି ପୋଲିସ । ପୁଲିସ ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସ୍ୱାମୀ, ନଣନ୍ଦ ଓ ନଣନ୍ଦେଇ ତାକୁ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ ବୋଲି ବୟାନ ଦେଇଥିଲେ ସରସ୍ୱତୀ । ପୋଲିସ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ସ୍ୱାମୀ ରବିନ୍ଦ୍ର ପାଣିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଅନ୍ୟ ଅଭିଯୁକ୍ତମାନେ ଫେରାର ରହିଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.