୧୦ ମାସର ଶିଶୁକୁ ଚିକିତ୍ସା ପାଇଁ ହସ୍ପିଟାଲ ନେଇ ଯାଉଥିବା ବାଟରେ ମା' ଉପରେ ପଡିଲା ପଥର, ମହିଳାଙ୍କ ମୃତ୍ୟୁ

Published By : Prameya-News7 Bureau | August 25, 2020 IST

ସୁନ୍ଦରନଗର ୨୫/୦୮ : ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲା ଉପମଣ୍ଡଳ ସୁନ୍ଦରନଗରର ଦୁର୍ଗମ ପଞ୍ଚାୟତ ଧନୟାରା ବାଢ଼ୁ ଗାଁରେ ପାଣି ପିଉଥିବା ବେଳେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି | ସୂଚନା ଅନୁଯାୟୀ, ମହିଳା ଜଣକ ଘରୁ ଅନ୍ୟ ୫ ଜଣ ମହିଳାଙ୍କ ସହ ନିଜର ୧୦ ମାସର ଅସୁସ୍ଥ ଶିଶୁକୁ ନେଇ ଚିକିତ୍ସା ପାଇଁ ବାହାରିଥିଲେ | ରାସ୍ତାରେ ସେ ନିଜ ଶିଶୁକୁ ଆଉ ଜଣେ ମହିଳାଙ୍କୁ ଦେଇ ପାଣି ପିଇବାକୁ ନଇଁଲେ | ଠିକ ସେତିକିବେଳେ ଏକ ବଡ ପଥର ଆସି ତାଙ୍କ ଉପରେ ପଡିଥିଲା | ଫଳରେ ମହିଳା ଖାଲ ଆଡକୁ ଥିବା ଏକ ବୁଦାରେ ଯାଇ ଫସିଗଲେ | ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ମହିଳାଙ୍କୁ ବଡ କଷ୍ଟରେ ବୁଦାରୁ ବାହାର କରାଯାଇଥିଲା ଏବଂ ହସ୍ପିଟାଲ ନିଆଯାଇଥିଲା | ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ମହିଳାଙ୍କୁ ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସ ଡକାଯାଇଥିଲା | କିନ୍ତୁ ଗାଁକୁ ରାସ୍ତା ନଥିବାରୁ ତାଙ୍କୁ କାନ୍ଧରେ ବୋହି ରାସ୍ତା ଯାଏଁ ନିଆଯାଇଥିଲା | ଏଥିପାଇଁ ପାଖାପାଖି ଘଣ୍ଟେ ସମୟ ଲାଗିଥିଲା | ସେତିକି ସମୟରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା |

ମୃତ ମହିଳା ଜଣକ ହେଲେ ୨୭ ବର୍ଷ ବୟସ୍କ ପୁନମ ଦେବୀ | ସୁନ୍ଦରନଗର ଏସଡ଼ିଏମ ରାହୁଲ ଚୌହାନ ରାଜସ୍ବ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି | ମହିଳାଙ୍କ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.