‘ନିରଞ୍ଜନ ପଟ୍ଟନାୟକ ଶକୁନୀ, ମହିଳାଙ୍କ ଲୁହରେ ଭାସିଯିବେ’ …

Published By : Prameya-News7 Bureau | April 08, 2019 IST

ଭୁବନେଶ୍ବର୮|୪: ପ୍ରଦେଶ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବର୍ଷି ଆସୁଥିବା ମହିଳା କଂଗ୍ରେସର ସଭାନେତ୍ରୀ ଇସ୍ତଫା ଦେବେନି ବୋଲି ଆଜି ଘୋଷଣା କରିଛନ୍ତି । ଗତକାଲି କହିଥିଲେ ଯେ, ମହିଳାଙ୍କ ପ୍ରତି ପ୍ରଦେଶ କଂଗ୍ରେସ ଅବହେଳା ପ୍ରତିବାଦରେ ସେ ଦଳରୁ ଇସ୍ତଫା ଦେବେନି । ଦଳ ଭିତରେ ରହି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନଙ୍କ ସହ ଲଢିବେ ବୋଲି ଆଜି କହିଛନ୍ତି । ସେ କହିଛନ୍ତି ଯେ, ପିସିସି ସଭାପତି ଓ ତାଙ୍କ ପୁଅ ଶକୁନୀ । ଶକୁନୀ ଯେମିତି ମହିଳାଙ୍କ ଲୁହରେ ଭାସିଯାଇଥିଲେ ନିରଞ୍ଜନ ମଧ୍ୟ ଭାସିଯିବେ ବୋଲି ସୁମିତ୍ରା କହିଛନ୍ତି ।

ଅପରପକ୍ଷରେ ସୁମିତ୍ରାଙ୍କ ଏଭଳି ବିବୃତ୍ତିର କୌଣସି ପ୍ରତିକ୍ରୀୟା ରଖିବାକୁ ନିରଞ୍ଜନ ମନା କରିଦେଇଛନ୍ତି । ସୁମିତ୍ରା ଆଜି ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଖୋଜି ଖୋଜି ଖଣି ଓ ମଦ ବ୍ୟବସାୟୀଙ୍କୁ ନିରଞ୍ଜନ ଟିକେଟ ଦେବହାରେ ଲାଗିଛନ୍ତି । ଅସଲରେ ୨୦୧୨ ମସିହାରେ ନିରଂଜନ କଂଗ୍ରେସରେ ଯେଉଁଭଳିଭାବେ ଅପମାନିତ ହୋଇଥିଲେ ତାର ପ୍ରତିଶୋଧ ନେବାପାଇଁ ଏବେ ପିସିସି ସଭାପତି ହୋଇଛନ୍ତି । ସେ କଂଗ୍ରେସକୁ ବୁଡେଇବେ ।

ମେ ୨୩ ତାରିଖରେ ଭୋଟ ଗଣତିପରେ ନିରଞ୍ଜନ ଆପେ ଆପେ ଜବାବ ପାଇଯିବେ ବୋଲି ସୁମିତ୍ରା କହିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଅତି ବେଶୀରେ ୫ଟି ବା ୬ଟି ବିଧାନସଭା ଆସନ ପାଇବ । ଯଦିଓ ରାହୁଲ ଗାନ୍ଧୀ ମହିଳାଙ୍କୁ ସମ୍ମାନ ଦେଉଛନ୍ତି କିନ୍ତୁ ରାଜ୍ୟ କଂଗ୍ରେସରେ ମହିଳାମାନେ ସୁରକ୍ଷିତ ନୁହନ୍ତି ବୋଲି ସୁମିତ୍ରା ଅଭିଯୋଗ କରିବା ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଜାଣତରେ ହିଁ ଜଣେ ବାହାରିଆ ମହିଳା ତାଙ୍କ ଉପରେ ଆକ୍ରମଣ କରିବାରେ ସକ୍ଷମ ହେଲା ବୋଲି ସୁମିତ୍ରା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ମହିଳା କଂଗ୍ରେସର ସଭାନେତ୍ରୀ ସୁମିତ୍ରା ଭଦ୍ରକ ବିଧାନସଭା ପାଇଁ ଆଶାୟୀ ଥିଲେ । ତେବେ ତାଙ୍କୁ ଟିକେଟ ନଦେଇ ଦଳ ଭଦ୍ରକ ବିଧାନସଭା ପାଇଁ ନଳିନୀକାନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ୫୨ଜଣ ମହିଳାଙ୍କୁ ଚଳିତ ନିର୍ବାଚନରେ ପ୍ରାର୍ଥୀ କରିବା ପାଇଁ ସୁମିତ୍ରା ମହିଳା କଂଗ୍ରେସର ସଭାନେତ୍ରୀ ହିସାବରେ ସୁପାରିଶ କରିଥିଲେ ମଧ୍ୟ ଦଳ ଏହାକୁ ନଜରଆନ୍ଦାଜ କରିଥିଲା ବୋଲି ସେ ଅଭିଯୋଗ କରିଥିଲେ । ଏପରିକି ସୁମିତ୍ରା କଂଗ୍ରେସଭବନରେ ସାରା ରାତି ଅନଶନରେ ବସିଥିଲେ ।

ମହିଳା କଂଗ୍ରେସଭଳି ଗତକାଲି ଯୁବକଂଗ୍ରେସ ପକ୍ଷରୁ ମଧ୍ୟ ନିରଞ୍ଜନଙ୍କ ବିରୋଧରେ ସମାନ ଅଭିଯୋଗ ଆସିଛି । ଯୁବ କଂଗ୍ରେସର ସଭାପତି ଲୋକନାଥ ମହାରଥା ଟିକଟ ନମିଳିବାନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଯୁବ କଂଗ୍ରେସର କୌଣସି କର୍ମକର୍ତ୍ତାଙ୍କୁ ଟିକେଟ ମିଳିନାହିଁ ବୋଲି ସେ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.