ମହିଳା କମିଶନ ସଦସ୍ୟାଙ୍କ ବିବାଦୀୟ ବୟାନ, କହିଲେ- ‘ଝିଅମାନେ ପୁଅମାନଙ୍କ ସହ ଫୋନ୍‌ରେ କଥା ହୋଇ ଫେରାର ହୋଇଯାଆନ୍ତି ’

Published By : Prameya-News7 Bureau | June 10, 2021 IST

ଲକ୍ଷ୍ନୌ ୧୦/୬: ନାରୀ ସଶକ୍ତିକରଣ ଉପରେ ସରକାର ଗୁରୁତ୍ବ ଦେଇଆସୁଥିବା ବେଳେ ସେମାନଙ୍କ ପ୍ରତି ଅତ୍ୟାଚାର ମଧ୍ୟ ବୃଦ୍ଧି ପାଉଛି। ଦୁଷ୍କର୍ମ, ହତ୍ୟା, ଅପହରଣ ଆଦି ମାମଲା ମଧ୍ୟ ବଢ଼ୁଛି। ଏସବୁ ଘଟଣା କମ୍‌ କରିବାକୁ ବିଭିନ୍ନ ସମୟରେ ବିଭିନ୍ନ ଦାବି କରାଯାଉଛି। ବେଳେ ବେଳେ ମହିଳାଙ୍କ ପୋଷାକ ପରିଧାନ ଶୈଳୀ ଉପରେ କେହି ପ୍ରଶ୍ନ କରୁଛନ୍ତି ତ କେତେବେଳେ ପାଶ୍ଚାତ୍ୟ ଜୀବନ ଶୈଳୀ ଯୋଗୁ ନାରୀ ନିର୍ଯାତନା  ବଢ଼ୁଥିବା ନେଇ ଯୁକ୍ତି ବାଢ଼ୁଛନ୍ତି ତଥାକଥିତ ସମାଜସେବୀ । କିନ୍ତୁ ପ୍ରକୃତରେ ଭୁଲ କେଉଁଠି ତାହା ଏବେ ବି ସ୍ପଷ୍ଟ ହୋଇପାରି ନାହିଁ। ତେବେ ଏହାରି ଭିତରେ ଉତ୍ତରପ୍ରଦେଶ ମହିଳା କମିଶନର ଜଣେ ସଦସ୍ୟା ଝିଅମାନଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି।

 ମହିଳା କମିଶନ ସଦସ୍ୟା ମୀନା କୁମାରୀଙ୍କ ମତରେ ଝିଅମାନଙ୍କୁ ମୋବାଇଲ୍‌ ଫୋନ୍‌ ଆଦୌ ଦେବା କଥା ନୁହେଁ । ଏଥିପାଇଁ ହିଁ ଦୁଷ୍କର୍ମ ମାମଲା ବଢ଼ୁଛି। ଅଲିଗଡ଼ ଜିଲ୍ଲାରେ ମହିଳାଙ୍କ ଅଭିଯୋଗ ସମ୍ପର୍କିତ ମାମଲାର ଶୁଣାଣି କରୁଥିବା ବେଳେ ଏହି ମନ୍ତବ୍ୟ ଦେଇଛନ୍ତି ମୀନା କୁମାରୀ । ଏହା ସହ ଝିଅମାନେ ଫୋନ୍‌ରେ ପୁଅମାନଙ୍କ ସହ ଘଣ୍ଟା ଘଣ୍ଟା କଥା ହୁଅନ୍ତି ଏବଂ ସେମାନଙ୍କ ସହ ଲୁଚି ପଳାନ୍ତି ବୋଲି ସେ କହିଛନ୍ତି। ଏତେ ପରେ ବି ଝିଅର ମୋବାଇଲ୍‌ ଫୋନ୍‌ ଯାଞ୍ଚ ବାପା-ମା କରନ୍ତି ନାହିଁ ବୋଲି କହିବା ସହ ଅଭିଭାବକ ଝିଅମାନଙ୍କ କାର୍ଯ୍ୟ ଶୈଳୀ ଉପରେ ନଜର ଦିଅନ୍ତି ନାହିଁ ବୋଲି ମୀନା କୁମାରୀ କହିଛନ୍ତି।

ମୀନା ଆହୁରି ମଧ୍ୟ କହିଛନ୍ତି ଯେ ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧ ଓ ହିଂସାକୁ ସମାଜ ଗୁରୁତର ସହ ନେବା ଉଚିତ୍। ବିଶେଷ କରି ଜଣେ ମାଆର ଝିଅ ପ୍ରତି ଗୁରୁ ଦାୟିତ୍ବ ରହିଛି। ସେ ଝିଅ ଉପରେ ନଜର ରଖିବା ଦରକାର। ବର୍ତ୍ତମାନ ଯଦି ଝିଅମାନେ ଅବହେଳିତ ହେଉଛନ୍ତି ସେଥିପାଇଁ ମାଆମାନେ ହିଁ ଦାୟୀ ବୋଲି ସେ କହିଛନ୍ତି ।  ମୀନା କୁମାରୀଙ୍କ କଥାରେ ସହମତି ପ୍ରକାଶ କରିନାହାନ୍ତି ମହିଳା କମିଶନ ଉପାଧ୍ୟକ୍ଷ ଅନୁଜ ଚୌଧୁରୀ । ମୋବାଇଲ୍ ଫୋନ୍ ଦେବା କି ନଦେବା ତାହା ସମାଧାନ ନୁହେଁ ବୋଲି ସେ କହିଛନ୍ତି । ତେବେ ମୀନା କୁମାରୀଙ୍କ ବୟାନକୁ ନେଇ କଂଗ୍ରେସ, ଏସପି, ବିଏସପିର ନାରୀ ନେତ୍ରୀମାନେ ତୀବ୍ର ବିରୋଧ କରିଛନ୍ତି। ମହିଳା କମିଶନ ସଦସ୍ୟା ନିଜର ଭାବନ ପରିବର୍ତ୍ତନ କରିବା ଦରକାର ବୋଲି କହିବା ସହ ଯଦି ମୋବାଇଲ ପାଇଁ ଝିଅମାନେ ବିଗୁଡ଼ୁଛନ୍ତି ତେବେ ପୁଅମାନଙ୍କୁ ଖରାପ କରିବା ପଛରେ କିଏ ରହିଛି ବୋଲି ସେମାନେ ପଚାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.