ରାଇରଙ୍ଗପୁରରେ ଅଧ୍ୟାପିକାଙ୍କ ଆତ୍ମହତ୍ୟା ମାମଲା : ମୃତ ଅଧ୍ୟାପିକାଙ୍କ ପରିବାରକୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା

ବାରିପଦା ୩।୧୨: ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡକ୍ଟର ମିନତୀ ବେହେରା ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଛନ୍ତି । ମୃତ ଅଧ୍ୟାପିକାଙ୍କ ପରିବାରଲୋକଙ୍କୁ ଭେଟିଛନ୍ତି କମିଶନ ଅଧ୍ୟାକ୍ଷା । ମହିଳା କମିଶନ ଅଧ୍ୟକ୍ଷାଙ୍କ ସମେତ ଅତିରିକ୍ତ ପୋଲିସ ଏସପି ବିଜୟା ବାରୱ। ଏବଂ ନିର୍ବାହୀ ଅଧିକାରୀ ଅରବିନ୍ଦ ପଟ୍ଟନାୟକଙ୍କ ସହ ଏକ ତିନି ଜଣିଆ ଟିମ୍ ଘଟଣାର ତଦନ୍ତ ପାଇଁ ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚିଛନ୍ତି । ମୟୂରଭଞ୍ଜ ଏସପି ସ୍ମିଥ ପି ପରମାରଙ୍କ ସହ ଆଲୋଚନା କରିଛନ୍ତି।

ଆଜି କମିଶନ ପୀଡିତାଙ୍କ ପରିବାରକୁ ଭେଟିବା ସହିତ ରାଇରଙ୍ଗପୁର ଏବଂ ଝାରପୋଖରିଆ ଥାନାରେ ହୋଇଥିବା ମାମଲାର ସମୀକ୍ଷା କରିଛନ୍ତି । ଏ ମାମଲାରେ ମୃତ ଅଧ୍ୟାପିକାଙ୍କ ପରିବାରକୁ ତୁରନ୍ତ ନ୍ୟାୟ ମିଳିବା ଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ।

ସୂଚନାଯୋଗ୍ୟ ଯେ, ରାଇରଙ୍ଗପୁର କଲେଜର ଫିଜିକ୍ସ ଅଧ୍ୟାପିକା କଲେଜ ପରିସରରେ ଥିବା ଛାତ୍ରୀ ନିବାସରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ମୃତ ଅଧ୍ୟାପିକାଙ୍କ ଘର ଝାରପୋଖରିଆ ଥାନା ପାନ୍ଧଡା ଅଂଚଳରେ । ଅକ୍ଟୋବର ୨୭ ତାରିଖରେ କେନ୍ଦୁଝରରେ ତାଙ୍କର ଜଣେ ସମ୍ପର୍କୀୟ ତାଙ୍କୁ ଅସଦାଚରଣ କରିଥିବାର ସେ ଝାରପୋଖରିଆ ଥାନାରେ ଏକ ଏତଲା ଦେଇଥିଲେ। ତେବେ ପୋଲିସ ନ୍ୟାୟ ଦେବା ବଦଳରେ ଅଭିଯୁକ୍ତକୁ ଖସାଇବାକୁ ଉଦ୍ୟମ କରିଥିଲା, ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ।

ଅଧ୍ୟାପିକା ଆତ୍ମହତ୍ୟା କରିବାର କିଛି ଘଣ୍ଟା ଭିତରେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ। ଏ ଘଟଣାରେ ଝାରପୋଖରିଆ ଥାନା ଅଧିକାରୀ ଶରତ ମହାଳିକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ ଏଏସଆଇ ପ୍ରଶାନ୍ତ ସ୍ବାଇଁକୁ ନିଲମ୍ବିତ କରିଥିଲେ ମୟୁରଭଂଜ ଏସପି।
118 Views