ପାଣି ପାଇଁ ରାସ୍ତାରେ ମହିଳା : ଗରା, ବାଲ୍‌ଟି ଧରି ୫୩ନଂ ଜାତୀୟ ରାଜପଥ କଲେ ଅବରୋଧ

Published By : Prameya-News7 Bureau | April 26, 2021 IST

କାମାକ୍ଷାନଗର ୨୬।୪: ପାଣି ପାଇଁ ଜାତୀୟ ରାଜପଥ ଅବରୋଧ କଲେ ରଙ୍ଗମାଟିଆ ବନ୍ୟାସାହି ଗ୍ରାମବାସୀ । ସୋମବାର ସକାଳୁ ଗ୍ରାମର ଶତାଧିକ ମହିଳା ଗରା, ବାଲଟି ଧରି ଜାତୀୟ ରାଜପଥ ୫୩ର ରଙ୍ଗମାଟିଆ ଛକଠାରେ ରାସ୍ତା ଅବରୋଧ କରିଛନ୍ତି । ଯାହା ଫଳରେ କାମାକ୍ଷାନଗର-ଯାଜପୁର ରୋଡରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଫଳରେ ଉଭୟ ପାର୍ଶ୍ବରେ ଶତାଧିକ ଗଡି ଅଟକି ରହିଥିଲା।  

{"id":444296,"width":840,"height":378,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ରଙ୍ଗମାଟିଆ ବନ୍ୟାସାହିରେ ଗୋଟିଏ କୂଅ ଓ ଗୋଟିଏ ନଳକୂଅ ଉପରେ ସାହିର ପ୍ରାୟ ୧୫୦ଟି ପରିବାର ନିର୍ଭର କରିଥାନ୍ତି । କିନ୍ତୁ ଗ୍ରାମ ପାଖରେ NH ସମ୍ପ୍ରସାରଣରେ ନିୟୋଜିତ ଥିବା ବାଲାଜୀ କମ୍ପାନୀର ଡକୟାର୍ଡରୁ ନିର୍ଗତ ଦୂଷିତ ଗୁଣ୍ଡ ପାଖରେ ଥିବା କୂଅ ଓ ପୋଖରୀରେ ପଡି ପାଣି ଗାଧୋଇବା ଓ ପିଇବାକୁ ଉପଯୋଗ ହେଉନାହିଁ । ଯେଉଁ ଗୋଟିଏ ନଳକୂଅ ଅଛି ସେଥିରେ ଭଲରେ ପାଣି ଆସୁନାହିଁ। ଗ୍ରାମର ମହିଳାମାନେ ପାଣି ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ବାରମ୍ବାର ବିଡିଓ, ସରପଞ୍ଚ ଓ ବାଲାଜୀ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା ନ ହେବାରୁ ସୋମବାର ଶତାଧିକ ମହିଳା ରଙ୍ଗମାଟିଆ ଛକଠାରେ ରାସ୍ତାରୋକ କରିଥିଲେ । ଖବର ପାଇ କାମାକ୍ଷାନଗର ଥାନା ଅଧିକାରୀ ଓ ସରପଞ୍ଚ  ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି ପାଣି ଦେବାର ପ୍ରତିଶ୍ରୁତି ମିଳିବା ପରେ ପ୍ରାୟ ୨ ଘଣ୍ଟା ପରେ ରାସ୍ତାରୋକ ହଟିଥିଲା । ଯାତାୟତ ସ୍ବାଭାବିକ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.