ହୋଲି ଅବସରରେ ରଙ୍ଗ ଲଗାଇବା ବାହାନାରେ ମହିଳାଙ୍କ ସହ ଦୁର୍ବ୍ୟବହାର କଲେ ମିଳିବ ଏହି ଦଣ୍ଡ
21/03/2019 at 2:56 PM

ଭୁବନେଶ୍ୱର ୨୧/୩ : ହୋଲିର ପର୍ବ ରଙ୍ଗ ଏବଂ ଖୁସିର ପର୍ବ | ହୋଲିରେ ଲୋକେ ରଙ୍ଗ ଖେଳିବା ସହ ବହୁତ ମସ୍ତି କରିଥାନ୍ତି | ପିଲାଠୁ ଆରମ୍ଭ କରି ବୃଦ୍ଧ ଯାଏଁ ଏବଂ ମହିଳାଙ୍କଠୁ ଆରମ୍ଭ କରି ପୁରୁଷମାନେ ଏହି ପର୍ବକୁ ଖୁବ ଉପଭୋଗ କରିଥାନ୍ତି | ପରସ୍ପରକୁ ରଙ୍ଗ ଲଗାଇ ହୋଲି ପର୍ବ ପାଳନ କରିଥାନ୍ତି ଲୋକେ | ଏହି ପର୍ବରେ ଆପଣ ଅଜାଣତରେ କୌଣସି ସମସ୍ୟାରେ ମଧ୍ୟ ପଡିପାରନ୍ତି | ରଙ୍ଗ ଲଗାଇବା ବେଳେ ଯଦି କୌଣସି ମହିଳାଙ୍କୁ କୌଣସି ପୁରୁଷ ଜୋର ଜବରଦସ୍ତି କରନ୍ତି କିମ୍ବା ଆପତ୍ତିଜନକ ଭାବେ ମହିଳାମାନଙ୍କୁ ଛୁଇଁବାକୁ ଚେଷ୍ଟା କରନ୍ତି ତାହେଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ |

ଭାରତୀୟ ଦଣ୍ଡ ବିଧାନ ଅର୍ଥାତ ଆଇପିସି ମହିଳାମାନଙ୍କୁ ବିଶେଷ ସୁରକ୍ଷା ପ୍ରଦାନ କରିଥାଏ | ସେଥିପାଇଁ କୌଣସି ପର୍ବପର୍ବାଣିରେ ମହିଳାମାନଙ୍କୁ ଦୁର୍ବ୍ୟବହାର କରିବା ମହଙ୍ଗା ପଡିଥାଏ | ମହିଳାଙ୍କ ଛଡା ଶିଶୁଙ୍କ ସହ ମଧ୍ୟ ଜୋର ଜବରଦସ୍ତି କିମ୍ବା ଅସଦାଚରଣ ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ | ମହିଳାଙ୍କ ସହ ହେଉଥିବା ଏହିସବୁ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ୩୫୪ ଧାରା ଅନୁଯାୟୀ ମୋକଦ୍ଦମା ରୁଜ୍ଜୁ କରାଯାଇଥାଏ |

କ’ଣ ୩୫୪ ଧାରା ?
ଯେଉଁଠି ମହିଳାଙ୍କ ମର୍ଯ୍ୟାଦା ଏବଂ ମାନ ସମ୍ମାନକୁ କ୍ଷତି ପହଂଚାଇବା ସହ ଜୋର ଜବରଦସ୍ତି କରାଯାଇଥାଏ ସେଠାରେ ଆଇପିସି ଧାରା ୩୫୪ ଲାଗୁ ହୋଇଥାଏ | ମହିଳାଙ୍କୁ ଆପତ୍ତିଜନକ ଭାବେ ଛୁଇଁବା, ତାଙ୍କୁ ଖରାପ ମନ୍ତବ୍ୟ ଦେବା ଆଦି ଏହି ଅନ୍ତର୍ଭୁକ୍ତ | ଆଇପିସି ଧାରା ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ମହିଳାଙ୍କ ମର୍ଯ୍ୟାଦା ଭଙ୍ଗ କରିଥାଏ ତାହେଲେ ଅଭିଯୁକ୍ତ ଉପରେ ୩୫୪ ଧାରା ଲଗାଯାଇଥାଏ | ଅଭିଯୁକ୍ତର ଦୋଷ ସାବ୍ୟସ୍ତ ହେବାପରେ ତାକୁ ୨ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିଥାଏ କିମ୍ବା ଜୋରିମାନା ଦେବାକୁ ପଡିଥାଏ |
ଶିଶୁଙ୍କ ମାମଲାରେ ଜୋରଜବରଦସ୍ତି କିମ୍ୱା ଯୌନ ଉତ୍ପୀଡ଼ନ ମାମଲାରେ ପୋକସୋ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ | ଏହି ଆକ୍ଟ ଅନୁଯାୟୀ, ଶିଶୁଙ୍କ ସହିତ ହେଉଥିବା ଯୌନ ଅପରାଧ ଏବଂ ଅସଦାଚରଣ ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ | ଏହି ଆକ୍ଟ ଶିଶୁଙ୍କୁ ଯୌନ ଉତ୍ପୀଡ଼ନ, ଦୁଷ୍କର୍ମ ଏବଂ ପର୍ଣ୍ଣଗ୍ରାଫି ଭଳି ଗମ୍ଭୀର ଅପରାଧରୁ ସୁରକ୍ଷା ପ୍ରଦାନ କରିଥାଏ | ପୋକସୋ ଆକ୍ଟର ଧାରା ୫ ଏଫ, ୬, ୭, ୮ ଏବଂ ୧୭ କୌଣସି ଶିକ୍ଷାଗତ ସଂସ୍ଥାରେ ହେଉଥିବା ଶିଶୁ ଯୌନ ଉତ୍ପୀଡ଼ନ ମାମଲା ଅନ୍ତର୍ଭୁକ୍ତ | ପୋକସୋ ଆକ୍ଟ ମାମଲାରେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଇଥାଏ | ଅଭିଯୁକ୍ତକୁ ଜମାନତ ମଧ୍ୟ ମିଳିନଥାଏ |

ଭାରତୀୟ ଦଣ୍ଡ ସଂହିତା ବା ଆଇପିସି ୧୮୬୨ ମସିହାରେ ବ୍ରିଟିଶ ଶାସନକାଳରେ ଲାଗୁ ହୋଇଥିଲା | ଏହାପରେ ମଝି ମଝିରେ ଏହି ନିୟମରେ ସଂଶୋଧନ କରାଯାଇଥାଏ | ଭାରତ ସ୍ୱାଧୀନ ହେବାପରେ ଏହି ଧାରାରେ ଅନେକ ପରିବର୍ତ୍ତନ କରାଯାଇଥିଲା | ପାକିସ୍ତାନ ଏବଂ ବାଙ୍ଗଲାଦେଶ ମଧ୍ୟ ଭାରତୀୟ ଦଣ୍ଡ ବିଧାନକୁ ଆପଣେଇଛନ୍ତି |