ମହିଳାଙ୍କ ପାଇଁ ବିପଦ କରୋନାର ଦ୍ବିତୀୟ ଲହର ! ବିହାରରେ ସର୍ବାଧିକ ମହିଳା କୋଭିଡ୍‌ ସଂକ୍ରମିତ, ଝାଡ଼ଖଣ୍ଡରେ ସର୍ବନିମ୍ନ

Published By : Prameya-News7 Bureau | May 10, 2021 IST

ନୂଆଦିଲ୍ଲୀ ୧୦/୫: ମହିଳାମାନଙ୍କ ପାଇଁ କରୋନାର ଦ୍ବିତୀୟ ଲହର ଭୟ ବଢ଼ାଇଛି । ଗତବର୍ଷ ଅପେକ୍ଷା ୨୦୨୧ରେ ମହିଳାମାନଙ୍କ ପ୍ରତି କରୋନା ବିପଦ ଅଧିକ ରହିଛି। ମେ ପହିଲା ସୁଦ୍ଧା ୩୬ ପ୍ରତିଶତ ମହିଳା ସଂକ୍ରମିତ ହୋଇଥିବା ବେଳେ ୬୪.୬ ପ୍ରତିଶତ ପୁରୁଷ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଜାତୀୟ ସ୍ତରରେ  ଲିଙ୍ଗ ଆଧାରରେ ସଂକ୍ରମଣକୁ ନେଇ ଜାରି କରାଯାଇଥିବା ଡାଟା ଅନୁସାରେ ବିହାରର ମହିଳା କରୋନାରେ ଅଧିକ ଆକ୍ରାନ୍ତ ହେଉଛନ୍ତି । ରାଜ୍ୟରେ ୪୨ ପ୍ରତିଶତ ମହିଳା କୋଭିଡ-୧୯ ଭାଇରସ୍‌ରେ ସଂକ୍ରିମତ ହୋଇଛନ୍ତି ।

ମହାରାଷ୍ଟ୍ରରେ ୩୮ ପ୍ରତିଶତ, କର୍ଣ୍ଣାଟକରେ ୩୬ ପ୍ରତିଶତ ଏବଂ ତାମିଲନାଡୁରେ ୩୨% ମହିଳା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଝାଡ଼ଖଣ୍ଡରେ ସବୁଠୁ କମ୍‌ ୨୫ ପ୍ରତିଶତ ମହିଳା ସଂକ୍ରମିତ ହୋଇଛନ୍ତି। ଟାଇମ୍ସ ଅଫ୍‌ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ ତେଲେଙ୍ଗାନାରେ ମହିଳାଙ୍କ ମଧ୍ୟରେ ସଂକ୍ରମଣ ଅଧିକ ବ୍ୟାପୁଛି। ଏଠାରେ ସଂକ୍ରମଣ ୩୮.୫ ପ୍ରତିଶତ ରହିଛି। ଗତବର୍ଷ ସଂକ୍ରମଣ ୩୪ ପ୍ରତିଶତ ଥିଲା।

ହାଇଦ୍ରାବାଦର ନିଜାମାବାଦ ସରକାରୀ ହସ୍ପିଟାଲରେ ଆଇସିୟୁରେ ଅଧିକରୁ ଅଧିକ ମହିଳା ସଂକ୍ରମିତ ଭର୍ତ୍ତି ହେଉଥିବା ଦେଖିବାକୁ ମିଳୁଛି। କିନ୍ତୁ ମୃତ୍ୟୁ ହାର ଗତବର୍ଷ ସହ ସମାନ ରହିଛି। ଆଇସିୟୁରେ ଭର୍ତ୍ତି ମହିଳା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି। ପ୍ରଥମେ ୩୩ ପ୍ରତିଶତ ମହିଳା ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ଏବେ ଏହା ୩୯ ପ୍ରତିଶତରେ ପହଞ୍ଚିଛି।

ଭାରତରେ ମହିଳାଙ୍କ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯାଉନାହିଁ। ମହିଳାଙ୍କୁ ବିଳମ୍ବରେ ଚିକିତ୍ସା ମିଳୁଛି ଏବଂ ଏହି ସବୁ କାରଣ ପାଇଁ ଏବେ ଆଇସିୟୁରେ ମହିଳା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ନେଇ ହସ୍ପିଟାଲର ଡାକ୍ତର କିରଣ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.