ପ୍ରେମ-ବାହାଘର- ସଂସାର, ତା'ପରେ ସ୍ବାମୀ କଲା ପର: ସ୍ବାମୀ ଓ ଶାଶୁଘର ଲୋକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ମହିଳା

Published By : Prameya-News7 Bureau | June 22, 2020 IST

ଭୁବନେଶ୍ବର୨୨/୬: ଷ୍ଟେଜ୍‌ରେ ଆରମ୍ଭ ହୋଇଥିଲା ପ୍ରେମ। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କ ବିବାହରେ ପରିଣତ ହୋଇଥିଲା। ବିବାହ କରି ଖୁସିରେ ରଖିବେ ବୋଲି କଥା ଦେଇଥିବା ପ୍ରତାରକ ସ୍ବାମୀ ଏବେ ଫେରାର ଅଛନ୍ତି। ଭୁବନେଶ୍ବର ଲିଙ୍ଗରାଜ ଅଞ୍ଚଳରେ ସ୍ତ୍ରୀଙ୍କୁ ଏକୁଟିଆ ଛାଡ଼ି ଧୋକାବାଜ ସ୍ବାମୀ ଗାଁରେ ରହୁଛନ୍ତି। ଜନୈକ ମହିଳାଙ୍କ କହିବା ଅନୁସାରେ, ବର୍ଷେ ତଳେ ସୌମ୍ୟ ରଞ୍ଜନ ଶତପଥୀଙ୍କୁ ନୋଟାରି ମ୍ୟାରେଜ୍ କରିଥିଲେ।

ଏହି ବିବାହରେ ସୌମ୍ୟଙ୍କ ଘର ଲୋକଙ୍କ ସମର୍ଥନ ମଧ୍ୟ ରହିଛି।  ଘର କାମ ଶେଷ ହେବା ପରେ ଘର ବୋହୂକୁ ନେଇ ନେଇଯିବେ ବୋଲି ସୌମ୍ୟଙ୍କ ପରିବାର ଲୋକ ଭରସା ଦେଇଥିଲେ। ପରିବାର ଲୋକଙ୍କ କଥାରେ ବିଶ୍ବାସ କରି ଜନୈକ ଯୁବତୀ ପ୍ରେମିକ ସୌମ୍ୟଙ୍କ ସାଙ୍ଗରେ ଗୋଟିଏ ଘରେ ରହିଥିଲେ।  କିନ୍ତୁ ଏକାସାଙ୍ଗରେ ରହିବା ପରେ ସୌମ୍ୟ କୌଣସି କାମ ଧନ୍ଦା କରୁ ନଥିଲେ। ତାଙ୍କ ସ୍ତ୍ରୀ ଯାହା କାମ କରନ୍ତି, ସେଥିରେ ସୌମ୍ୟ ଏବଂ ତାଙ୍କ  ସାନ ଭାଇ ଚଳନ୍ତି। ଯାଜପୁର ଦଶରଥପୁର ବ୍ଲକର ଚଷାଖଣ୍ଡ ଗାଁର ବାସିନ୍ଦା ନରେନ୍ଦ୍ର କୁମାର ଶତପଥୀଙ୍କୁ ପୁଅ ହେଉଛନ୍ତି  ସୌମ୍ୟ ରଞ୍ଜନ ଶତପଥୀ।  ରୀତି-ରିବାଜରେ ଘରକୁ ବୋହୂ କରି ନେଇଯିବେ ବୋଲି କଥା ଦେଇଥିବା ପରିବାର ଆଜି ତାଙ୍କ ପୁଅକୁ ଶିଖାଇ, ବୁଝାଇ ନିର୍ଯାତନା ଦେଉଥିବା ଜନୈକ ମହିଳା ଅଭିଯୋଗ କହିଛନ୍ତି। ପୀଡିତାଙ୍କ କହିବା ଅନୁସାରେ, ସେ ଗର୍ଭବତୀ ଥିବା ଅବସ୍ଥାରେ ତାଙ୍କ ଗର୍ଭପାତ କରିବାକୁ ସୌମ୍ୟ ଓ ତାଙ୍କ ପରିବାର ଲୋକେ ବାଧ୍ୟ କରିଥିଲେ।

ଏ ନେଇ ଜନୈକ ମହିଳା ରାଜି ହୋଇ ନଥିଲେ। ଏ ନେଇ ସୌମ୍ୟ ଏବଂ ସାନ ଭାଇ ସ୍ମୃତି ରଞ୍ଜନ ଶତପଥୀ ମିଶି ତାଙ୍କୁ ମାଡ଼ ଗାଳି  କରିଥିଲେ। ଏମିତି କି ରାଜି ନ ହେବାରୁ ମୁଣ୍ଡ ବିନ୍ଧା ଟାବଲେଟ୍‌ କହି ଗର୍ଭପାତ କରିବାକୁ ଚେଷ୍ଟା କରିଥିଲେ। ପୁଣି ସୌମ୍ୟଙ୍କ ପରିବାର ଲୋକଙ୍କ ଧମକରେ ଭୟଭୀତ ହୋଇ ଭୁବନେଶ୍ବରସ୍ଥିତ କଳ୍ପନାଛକରେ ଥିବା ଏକ ଘରୋଇ ନର୍ସିଂହୋମ୍‌ରେ ତାଙ୍କ ଗର୍ଭପାତ କରିଥିଲେ। ଏହି ଘଟଣା ପରେ ସୌମ୍ୟ ତାଙ୍କୁ ମାଡ଼ ଗାଳି ଦେଉଥିଲେ। ଏପରି କି ତାଙ୍କ ନଣନ୍ଦ ସୌମ୍ୟା ଶତପଥୀ ଫୋନ୍ ମାଧ୍ୟମରେ ତାଙ୍କୁ ଗାଳି ଗୁଲଜ କରନ୍ତି। ଲକ୍‌ଡାଉନ୍‌ ସମୟରେ ସୌମ୍ୟ ତାଙ୍କୁ ଛାଡ଼ି ନିଜ ଗାଁ ଚଷାଖଣ୍ଡକୁ ପଳାଇଛନ୍ତି। ଭୁବନେଶ୍ବର ଥିବା ତାଙ୍କ ସାନ ଭାଇ ସ୍ମୃତି ଜନୈକ ମହିଳାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି। ଏ ନେଇ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡିତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.