ଦେବଗଡ: ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ, ସ୍ଵାମୀ ଅଟକ

Published By : Prameya-News7 Bureau | September 18, 2020 IST

ଦେବଗଡ ୧୮।୦୯: ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଶରଣକୋଟ ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ବେଳେ ପରିବାର ପକ୍ଷରୁ ଏହାକୁ ହତ୍ୟା ଅଭିଯୋଗ କରାଯାଇଛି। ପୋଲିସ ମାମଲା ରୁଜୁ କରି ଜଙ୍ଗଲରେ ପୋତା ହୋଇଥିବା ଅବସ୍ଥାରେ ଶବକୁ ଜବତ କରିଛି। ଏଥିସହ ସ୍ଵାମୀଙ୍କୁ ଅଟକ ରଖି ପୋଲିସ ପଚରା ଉଚୁରା କରୁଛି।

ଶରଣକୋଟ ଗ୍ରାମର ରମେଶ ବେହେରା ପାଞ୍ଚ ବର୍ଷ ତଳେ କେନ୍ଦୁଝର ଜିଲ୍ଲା ରାଇସୁଆଁ ଥାନା ଅନ୍ତର୍ଗତ କୁମୁଣ୍ଡି ଗ୍ରାମର କ୍ଷେତ୍ରବାସୀ ଦେହୁରୀଙ୍କ ଝିଅ ଭାନୁମତୀ ଦେହୁରୀଙ୍କୁ ପ୍ରେମ ବିବାହ କରିଥିଲେ। ପୂର୍ବରୁ ରମେଶ ବିବାହିତ ହୋଇଥିବା ବେଳେ ଘରେ ତାଙ୍କର ପ୍ରଥମ ପତ୍ନୀ ଓ ଜଣେ ପୁଅ ଥିଲେ। ଚଳିତ ମାସ ୧୩ ତାରିଖରେ ରମେଶ  ଅନ୍ୟ ଜଣେ ଯୁବକ ତପନ ମହାକୁଡ ଓ ଭାନୁମତୀ କୁମୁଣ୍ଡି ଗ୍ରାମକୁ ଯାଇ ୧୫ ତାରିଖରେ ଫେରୁଥିବା ବେଳେ ବଂପରଡା ଗ୍ରାମ ନିକଟରେ ଭାନୁମତୀ ବାଇକ୍‌ରୁ ଖସି ପଡିଥିଲେ। ପରେ ୧୭ ତାରିଖରେ ଭାନୁମତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଶୁକ୍ରବାର ତାଙ୍କ ବାପଘର ପକ୍ଷରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ପୂର୍ବରୁ ମଧ୍ୟ ଭାନୁମତୀଙ୍କୁ ସ୍ବାମୀ ରମେଶ ମାଡପିଟ କରୁଥିଲେ ଓ ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ଏହାର ମୀମାଂସା କରାଯାଇଥିଲା ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଶୁକ୍ରବାର ବାପଘର ପକ୍ଷରୁ ଅଭିଯୋଗ ପାଇବା ପରେ ବାରକୋଟ ପୋଲିସ ଏକ ମାମଲା ରୁଜୁ କରିବା ସହ ଭାନୁମତୀଙ୍କ ଶବକୁ ଜଙ୍ଗଲ ମଧ୍ୟରେ ପୋତାଯାଇଥିବା ଅବସ୍ଥାରେ ଉଦ୍ଧାର କରିଛନ୍ତି। ବାପଘର ପକ୍ଷରୁ ଏହାକୁ ହତ୍ୟା କାଣ୍ଡ ଅଭିଯୋଗ ହୋଇଥିବା ବେଳେ ରମେଶଙ୍କ ପ୍ରଥମ ସ୍ତ୍ରୀଙ୍କ କହିବା କଥା ୧୫ ତାରିଖ ଭାନୁମତୀ ବାଇକରୁ ଖସି ପଡିବା ପରେ ତାଙ୍କୁ ବଂପରଡା ଡାକ୍ତରଖାନାରେ ଚିକିତ୍ସା କରାଯାଇ ଘରକୁ ଅଣାଯାଇଥିଲା ।

ପରେ ୧୭ ତାରିଖରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପୁଣିଥରେ ପାଲଲହଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଠାରେ ପ୍ରଶ୍ନ ଉଠୁଛି ଦୁର୍ଘଟଣାରେ ଚିକିତ୍ସା ହୋଇ ମୃତ୍ୟୁ ଘଟିଥିଲେ ପୋଷ୍ଟମର୍ଟମ କରିବା ନିୟମ ଥିବା ବେଳେ ଡାକ୍ତରଖାନାରୁ ବିନା ପୋଷ୍ଟମର୍ଟମରେ କିଭଳି ଶବ ଛାଡି ଦିଆଗଲା। ବାରକୋଟ୍ ପୋଲିସ ରମେଶ, ତାଙ୍କ ବଡଭାଇ ବାଣେଶ୍ଵର ବେହେରା, କାକା ଦୁଃଖୁ ବେହେରାଙ୍କୁ ଅଟକ ରଖି ପଚରାଉଚୁରା କରିବା ସହ ଅଧିକ ତଦନ୍ତ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.