୧୦୦ ଟଙ୍କାରେ ଲଟେରୀ ଟିକଟ୍ କିଣିଥିଲେ, ଜିତିଲେ ୧ କୋଟି, କହିଲେ- 'ମୋ ପରିବାର ଏବେ ଭଲରେ ବଞ୍ଚିବ'

Published By : Prameya-News7 Bureau | February 26, 2021 IST

ଚଣ୍ଡିଗଡ, ୨୬/୦୨କୁହାଯାଏ ଭଗବାନ ଯେତେବେଳେ ଦିଅନ୍ତି ମନଖୋଲି ଦିଅନ୍ତି । ଯାହାକୁ ଭଗବାନଙ୍କ ଏହି ଉପହାର ମିଳିଥାଏ ସେ ଖୁସିରେ ଆତ୍ମବିଭୋର ହୋଇଯାଏ। ଏପରି କିଛି ଘଟିଛି ପଞ୍ଜାବରେ । ପଞ୍ଜାବର ଜଣେ ମହିଳା ଲଟେରୀ ଜିତି ରାତାରାତି କୋଟିପତି ପାଲଟିଛନ୍ତି । ମହିଳାଜଣଙ୍କ ହେଲେ ରେଣୁ ଚୌହାନ । ସେ ଜଣେ ଗୃହିଣୀ । ନିକଟରେ ସେ ୧୦୦ ଟଙ୍କା ଦେଇ ଏକ ଲଟେରୀ କିଣିଥିଲେ । ଏହାପରେ ତାଙ୍କ ଭାଗ୍ୟ ଚମକିଥିଲା । ସେ ଏଥିରେ ୧ କୋଟି ଟଙ୍କା ଜିତିଥିଲେ ।

ପଞ୍ଜାବ ସରକାରଙ୍କ ତରଫରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ବିଜେତା ରେଣୁ ଚୌହାନ ଗୁରୁବାର ନିଜର ଟିକେଟ୍ ଓ ଆବଶ୍ୟକୀୟ ଦସ୍ତାବିଜ ଲଟେରୀ ବିଭାଗକୁ ପ୍ରଦାନ କରିଛନ୍ତି । ତାଙ୍କୁ ଅତିଶୀଘ୍ର ଲଟେରୀ ରାଶି ପ୍ରଦାନ କରାଯିବ । ଲଟେରୀ ଟଙ୍କା ଜିତିବା ପରେ ରେଣୁ କହିଛନ୍ତି ଯେ, ସେ ମଧ୍ୟବିତ୍ତ ଶ୍ରେଣୀର ଅଟନ୍ତି । ଏହି ଲଟେରୀ ତାଙ୍କ ପାଇଁ ବହୁ ଲାଭଦାୟକ ହେବ । ସେ ଓ ତାଙ୍କ ପରିବାର ଲୋକେ ବହୁତ ଖୁସି ଅଛନ୍ତି ।

ରେଣୁଙ୍କ ସ୍ୱାମୀ ଅମୃତସରରେ ପୋଷାକ ଦୋକାନ ଦେଇଛନ୍ତି । ଏତେ ଟଙ୍କା ତାଙ୍କ ପରିବାରକୁ ଆସିବା ପରେ ସେମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ହେବ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବ । ପଞ୍ଜାବ ସରକାରଙ୍କ କହିବାନୁସାରେ, ପଞ୍ଜାବ ଷ୍ଟେଟ୍ ଡିଅର ୧୦୦ ପ୍ଲସ୍ ମାସିକ ଲଟେରୀର ବିଜେତାଙ୍କ ନାମ ଗତ ୧୧ ତାରିଖରେ ଘୋଷଣା କରାଯାଇଥିଲା ।

ସରକାରୀ ଅଫିସରଙ୍କ କହିବାନୁସାରେ, ରେଣୁ ଯେଉଁ ଟିକେଟ୍ କିଣିଥିଲେ ତାହା ଡି-୧୨୨୨୮ ଥିଲା । ଫେବ୍ରୁଆରୀ ୧୧ରେ ହୋଇଥିବା ଲକି ଡ୍ରରେ ରେଣୁ ବିଜେତା ଘୋଷିତ ହୋଇଥିଲେ । ଏବେ ରେଣୁ ସମସ୍ତ ଆବଶ୍ୟକୀୟ କାଗଜପତ୍ର ପ୍ରଦାନ କରିଛନ୍ତି । ଅତିଶୀଘ୍ର ତାଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.