ଆଖିକୁ ମାତ୍ର ୧୫ ପ୍ରତିଶତ ଦେଖାଯାଏ ତଥାପି UPSC ପରୀକ୍ଷାରେ କୃତକାର୍ଯ୍ୟ ହେଲେ ପୂଜା କାଡାମ୍‌

Published By : Prameya-News7 Bureau | September 25, 2021 IST

ଲକ୍ଷ୍ନୌ ୨୫/୦୯ : ଇଚ୍ଛା ଶକ୍ତି ଆଗରେ ହାରମାନିଥାଏ ସବୁ ବାଧାବିଘ୍ନ । ଦୃଢ ଇଚ୍ଛାଶକ୍ତି ମଣିଷକୁ ସବୁବେଳେ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ । ଏହା ଜ୍ବଳନ୍ତ ଉଦାହରଣ ହେଉଛନ୍ତି ମହାରାଷ୍ଟ୍ର ଲାଟୁରର ପୂଜା କାଡାମ୍‌ । ଆଖିକୁ କମ ଦେଖାଯାଏ ତଥାପି ପାଠପଢା ପ୍ରତି ପ୍ରବଳ ଆଗ୍ରହ ଏବଂ ଦୃଢ ଇଚ୍ଛାଶକ୍ତି ବଳରେ ସେ ଆଜି ସର୍ବଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।

୩୦ ବର୍ଷୀୟ ପୂଜା କାଡାମ୍‌ଙ୍କ ଆଖିର ଦୃ​‌ଷ୍ଟି ଶକ୍ତି ମାତ୍ର ୧୫ ପ୍ରତିଶତ । ପୂର୍ବରୁ ଥରେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଦେଇ ଅକୃତକାର୍ଯ୍ୟ ହୋଇଥିଲେ ବି ନିରାଶ ହୋଇନଥିଲେ ପୂଜା । କଠୋର ପରିଶ୍ରମ କରିଥିଲେ । ଦ୍ବିତୀୟ ଥର ପାଇଁ ପରୀକ୍ଷା ଦେଇ ସେ ସର୍ବଭାରତୀୟ ସ୍ତରରେ ୫୭୭ ରାଙ୍କ୍‌ ହାସଲ କରିଛନ୍ତି ।

ସେ ପୁଣେର ଫର୍ଗ୍ୟୁସୋନ୍‌ କଲେଜରୁ ଗ୍ରାଜୁଏସନ୍‌ ପାସ କରିବା ପରେ ଦିଲ୍ଲୀର ଇନ୍ଦିରା ଗାନ୍ଧି ନେସନାଲ ଓପନ୍‌ ୟୁନିଭରସିଟିରେ ରାଜନୀତି ବିଜ୍ଞାନରେ ପୋଷ୍ଟ ଗ୍ରାଜୁଏସନ୍‌ କରିଥିଲେ । ପୂଜାଙ୍କ ବାପା ଜଣେ ଶିକ୍ଷକ ହୋଇଥିବା ବେଳେ ପରିବାରର ସାନ ଝିଅ ହେଉଛନ୍ତି ​‌ସେ ।

ଶୁକ୍ରବାର ଘୋଷଣା ହୋଇଥିବା ୟୁନିଅନ୍‌ ପବ୍ଲିକ୍‌ ସର୍ଭିସ୍‌ କମିସନ ପରୀକ୍ଷା ଫଳାଫଳରେ ସର୍ବଭାରତୀୟ ସ୍ତରରେ ଶୁଭମ କୁମାର ଟପ୍ପର ହୋଇଛନ୍ତି । ମୋଟ ୭୬୧ ଜଣ ୟୁପିଏସ୍‌ସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେହିଭଳି ଜାଗ୍ରତି ଅଗସ୍ତି ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.