ଯୁବକ ହଇରାଣ କରୁଥିଲା ବୋଲି ଇଂଜିନିୟର ଯୁବତୀ ନିଜ ସାଙ୍ଗମାନଙ୍କ ସହ ମିଶି ଏମିତି ସବକ ଶିଖାଇଲେ ଯୁବକଙ୍କୁ

Published By : Prameya-News7 Bureau | February 02, 2019 IST

ହାଇଦ୍ରାବାଦ ୨/୨ : ହାଇଦ୍ରାବାଦରୁ ଆସିଛି ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା | ଜଣେ ସଫ୍ଟୱେୟାର ଇଂଜିନିୟରକୁ ପୋଲିସ ଗିରଫ କରିଛି | ସଫ୍ଟୱେୟାର ଇଂଜିନିୟର ଯୁବକ ନୁହଁ ଜଣେ ଯୁବତୀ | ଜଣେ ଯୁବକଙ୍କୁ ଅପହରଣ କରିଥିବା ଅଭିଯୋଗରେ ପୋଲିସ ଯୁବତୀଙ୍କୁ ଗିରଫ କରିଛି | ଯୁବତୀ ଜଣକ ଜଣେ ଯୁବକଙ୍କୁ କାହିଁକି ଅପହରଣ କରିଥିଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ | ଯୁବତୀ ଏକ ମଲ୍ଟିନ୍ୟାସନାଲ କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାମ କରନ୍ତି | ଯୁବକଙ୍କୁ ଏକ ସବକ ଶିଖାଇବା ପାଇଁ ଯୁବତୀ ତାଙ୍କୁ ଅପହରଣ କରିଥିଲେ | କାରଣ ଯୁବକ ଜଣକ ଗତ କିଛି ଦିନ ହେଲା ଯୁବତୀଙ୍କୁ ହଇରାଣ ହରକତ କରୁଥିଲେ |

ଯୁବତୀ ନିଜର ୫ଜଣ ସାଙ୍ଗଙ୍କ ସହ ମିଶି ଯୁବକଙ୍କୁ ଅପହରଣ କରିଥିଲେ | ଯୁବକଙ୍କ ବୟସ ୨୩ ବର୍ଷ | ନିଜର ଜଣେ ସାଙ୍ଗ ଘରେ ଯୁବକ ଯୁବତୀଙ୍କୁ ଦେଖିଥିଲେ | ଯୁବକ କାହାଠାରୁ ଯୁବତୀଙ୍କ ଫୋନ ନମ୍ବର ସଂଗ୍ରହ କରିଦେଇଥିଲେ | ନମ୍ବର ମିଳିଯିବା ପରେ ଯୁବକ ଯୁବତୀଙ୍କୁ ସବୁବେଳେ ଫୋନ କରି ହଇରାଣ ହରକତ କରୁଥିଲେ |


ଫୋନ କଲ ଏବଂ ମେସେଜ ବାରମ୍ବାର ଆସିବାରୁ ଯୁବତୀ ବିରକ୍ତ ହୋଇ ଭାବିଲେ ଯୁବକକୁ ଗୋଟିଏ ସବକ ଶିଖାଇବା ନିହାତି ଆବଶ୍ୟକ | ସେ ନିଜ ୫ଜଣ ସାଙ୍ଗଙ୍କ ସହ ମିଶି ଯୁବକକୁ ଅପହରଣ କରିବା ପାଇଁ ପ୍ଲାନ କଲେ | ଯୁବତୀ ଫୋନ କରି ଯୁବକଙ୍କୁ ସିକନ୍ଦରାବାଦର ଏକ କଲେଜ ପାଖକୁ ସାକ୍ଷାତ କରିବା ପାଇଁ ଡାକିଲେ | ଯୁବକ ସାଇ କୁମାର ଠିକ ସମୟରେ ଆସି କଲେଜ ପାଖରେ ପହଂଚି ଯାଇଥିଲେ | ଯୁବକ ପହଂଚିବା ପରେ ତାଙ୍କୁ ମାଡ ମାରି ଏକ ଶୂନଶାନ ଜାଗାକୁ ଅପହରଣ କରି ନେଇଗଲେ ଯୁବତୀ | କୌଣସି ପ୍ରକାରେ କୌଶଳ କରି ଯୁବକ ସେଠାରୁ ନିଜକୁ ରକ୍ଷା କରି ପଳେଇ ଆସିଥିଲା | ସେ ହସ୍ପିଟାଲରେ ଭର୍ତ୍ତି ହୋଇ ପୋଲିସକୁ ଖବର ଦେଇଥିଲା | ଯୁବକ ପୋଲିସକୁ କହିଥିଲା ଯେ, ଯୁବତୀ ନିଜ ସାଙ୍ଗମାନଙ୍କ ସହ ମିଶି ତାଙ୍କର ହତ୍ୟା କରିବାକୁ ଯୋଜନା କରିଥିଲା |


ଯୁବକ ବୟାନ ଆଧାରରେ ପୋଲିସ, ଯୁବତୀ ଏବଂ ତାଙ୍କ ୫ଜଣ ସାଙ୍ଗଙ୍କୁ ଗିରଫ କରିଥିଲା | ପୋଲିସ ଯୁବତୀ ଏବଂ ତାଙ୍କ ୫ଜଣ ସାଙ୍ଗଙ୍କ ବିରୋଧରେ ଅପହରଣ ଏବଂ ହତ୍ୟା ଉଦ୍ୟମ ମାମଲା ରୁଜ୍ଜୁ କରିଛି | ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚୁରା କରୁଛି | ପୋଲିସ ସମସ୍ତ ମହିଳାଙ୍କୁ ଅପିଲ କରିଛି ଯେ, ଯେକୌଣସି ପରିସ୍ଥିତିରେ ମଧ୍ୟ ଆଇନକୁ ନିଜ ହାତକୁ ନନେଇ ଆଇନକୁ ସାହାଯ୍ୟ କରନ୍ତୁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.