ଲକ୍‌ଡାଉନ୍‌ କାରଣରୁ ଘୁଞ୍ଚି ଚାଲିଥିଲା ବିବାହ ତାରିଖ, ନିରାଶ ହୋଇ ଆତ୍ମହତ୍ୟା କଲେ ଯୁବତୀ

Published By : Prameya-News7 Bureau | July 30, 2020 IST

ରାୟପୁର ୩୦।୦୭: ଛତିଶଗଡର ଦୁର୍ଗ ସୁପେଲା ଥାନା ଅନ୍ତର୍ଗତ ରାଧିକା ନଗର ଅଞ୍ଚଳରେ ଜଣେ ୨୬ ବର୍ଷୀୟ ଯୁବତୀ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। କୁହାଯାଉଛି ଲକ୍‌ଡାଉନ୍ କାରଣରୁ ପରିବାର ଲୋକ ଯୁବତୀଙ୍କ ବିବାହ ତାରିଖକୁ ଘୁଞ୍ଚାଇ ଦେଇଥିଲେ। ପ୍ରଥମେ ବିବାହ ମାର୍ଚ୍ଚ ମାସରେ ହେବାର ଥିଲା। ମାତ୍ର କରୋନା ମହାମାରୀ ପ୍ରକୋପ କାରଣରୁ ପରିଜନ ବିବାହକୁ ଡିସେମ୍ଵର ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ। ଏଥିରେ ଯୁବତୀ ଏତେ ମର୍ମାହତ ହୋଇ ପଡିଥିଲେ ଯେ, ଆତ୍ମହତ୍ୟା ପରି ଚରମପନ୍ଥା ଆପଣେ ନିଜର ଜୀବନ ହାରି ଦେଲେ।

ପୋଲିସ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ମାମଲାର ତଦନ୍ତ ଆରମ୍ଭ କରିଛି। ଯୁବତୀଙ୍କ ଘର ଲୋକଙ୍କ କହିବାନୁଯାୟୀ ସେମାନେ ରାତିରେ ଏହି ଘଟଣା ବିଷୟରେ ଟେର ମଧ୍ୟ ପାଇନଥିଲେ। ସକାଳେ କୋଠରୀରୁ  କୌଣସି ଶବ୍ଦ ନଶୁଭିବାରୁ ପରିବାର ଲୋକ ଯେବେ ଝରକାପଟୁ ଦେଖିଲେ ଯୁବତୀଙ୍କ ଶବ ପଙ୍ଖାରେ ଝୁଲୁଛି। ପରିବାର ଲୋକ ତୁରନ୍ତ ପୋଲିସକୁ ଏହାର ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ତଳକୁ ଓହ୍ଲାଇଥିଲେ।

{"id":307906,"sizeSlug":"large"}

ଉଲ୍ଲେଖନୀୟ ଯୁବତୀଙ୍କ ବିବାହ ଯେଉଁ ଯୁବକଙ୍କ ସହିତ ସ୍ଥିର ହୋଇଥିଲା ସେ ଦୁବାଇରେ କାମ କରନ୍ତି। ଗତ ଅନେକ ମାସ ହେବ ବିବାହ ତାରିଖ ଘୁଞ୍ଚି ଘୁଞ୍ଚି ଚାଲିଥିଲା। ଏହି କାରଣରୁ ଯୁବତୀ ଚିନ୍ତିତ ହୋଇ ପଡିଥିଲେ ଏବଂ ଅଚାନକ ଆତ୍ମହତ୍ୟା କଲେ। ଘଟଣାସ୍ଥଳରୁ ପୋଲିସକୁ କୌଣସି ପ୍ରକାରର ସୁଇସାଇଡ୍‌ ନୋଟ୍ ମିଳିନାହିଁ। ପୋଲିସ୍‌ ଆତ୍ମହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଥାନା ଅଧିକାରୀ ଗୋପାଲ ବୈଶ୍ୟ କହିଛନ୍ତି, ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଆମକୁ ସୂଚନା ମିଳିଥିଲା। ଘଟଣାସ୍ଥଳରେ ପହଞ୍ଚି ଦେଖିଲୁ ଶବ ପଙ୍ଖାରେ ଝୁଲୁଛି। ଏହା ପରେ ଶବକୁ ତଳକୁ ଓହ୍ଲାଇ ତଦନ୍ତ ଆରମ୍ଭ କଲୁ। ଜଣା ପଡିଲା ଯେ ଲକ୍‌ଡାଉନ୍‌ କାରଣରୁ ବିବାହ ତାରିଖ ଗଡି ଚାଲିଥିଲା। ଏହି କାରଣରୁ ଯୁବତୀ ହତୋତ୍ସାହିତ ହୋଇ ପଡିଥିଲା। ଶେଷରେ ଆଜି ଆତ୍ମହତ୍ୟା କରି ନିଜ ଜୀବନ ହାରି ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.