ସୋପିଆନରେ ମହିଳା ଏସପିଓ ଅଫିସରଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

Published By : Prameya-News7 Bureau | March 16, 2019 IST

ନୂଆଦିଲ୍ଲୀ ୧୬/୩ : ଫେବୃଆରୀ ୧୪ ତାରିଖରେ କାଶ୍ମୀରର ପୁଲୱାମାରେ ଆତଙ୍କୀ ହମଲାରେ ୪୦ ସିଆରପିଏଫ ଯବାନ ସହିଦ ହୋଇଥିଲେ | ଏହାପରେ ଫେବୃଆରୀ ୨୬ ତାରିଖରେ ଭାରତୀୟ ବାୟୁସେନା ପାକିସ୍ତାନ ଅନ୍ତର୍ଗତ ଵାଲାକୋଟରେ ଏୟାର ଷ୍ଟ୍ରାଇକ କରିଥିଲେ | ଏୟାର ଷ୍ଟ୍ରାଇକରେ ପାକିସ୍ତାନର ପାଖାପାଖି ୨୦୦ ଆତଙ୍କବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଥିଲା | ଏହାପରେ ପାକିସ୍ତାନ କହିଥିଲେ ଯେ, ସେ ୨ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଚି | ଗୋଟିଏ ପଟେ ପାକିସ୍ତାନ ଶାନ୍ତିର ବାର୍ତ୍ତା ଦେଉଛି ଅନ୍ୟପଟେ ନିଜ କାରନାମା ଜାରି ରଖିଛି |

ଜାମ୍ମୁ କାଶ୍ମୀର ପୁଂଛ ଜିଲ୍ଲାରେ ମାନକୋଟ ଅଂଚଳରେ ପାକିସ୍ତାନ ଯୁଦ୍ଧ ବିରତି ଉଲଂଘନ କରିଛି | ଭାରତୀୟ ସେନା ଏହାର ମୁହଁତୋଡ ଜବାବ ମଧ୍ୟ ଦେଇଛି | ଏଭଳି ସ୍ଥିତିରେ ସୋପିଆନ ଜିଲ୍ଲାର ବାହିଲ ଅଂଚଳରେ ଜଣେ ଏସପିଓ ବା ମହିଳା ବିଶେଷ ପୋଲିସ ଅଧିକାରୀ ଖୁଷବୁ ଜନଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି | ସୂଚନାଯୋଗ୍ୟ ଯେ, ଆତଙ୍କବାଦୀ ଦିନ ୨ଟା ୪୦ ମିନିଟରେ ମହିଳା ପୋଲିସ ଅଧିକାରୀ ଗୁଳି କରି ହତ୍ୟା କରିଛନ୍ତି |


ଗୁଳି ବାଜିବା ପରେ ଖୁଶବୁଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି | ପୋଲିସର ତଲାସୀ ଅଭିଯାନ ଜାରି ରହିଛି | ସିଆରପିଏଫ ପୁରା ଇଲାକାକୁ ଚାରିପଟୁ ଘେରି ରଖିଛି | ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି |


ସେନା ଦ୍ୱାରା କାଶ୍ମୀର ଘାଟିରେ ମିଶନ ଅଲଆଉଟ ଅଭିଯାନ ଆରମ୍ଭ ହେଇଛି | ଲଗାତାର କିଛି ଆତଙ୍କବାଦୀଙ୍କୁ ମଧ୍ୟ ସଫା କରାଯାଇଛି | ସେନା ଅଭିଯାନ ଆଗକୁ ମଧ୍ୟ ଜାରି ରହିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.