୨୮ ବର୍ଷ ବୟସରେ ଦୁଇଥର ବିକ୍ରି ହୋଇଥିଲେ, ୩ଜଣଙ୍କ ସହ ରହି ୭ଟି ଛୁଆ ଜନ୍ମ ଦେଲେ; ମହିଳା ଜଣକ ଏବେ ଅସହାୟ

Published By : Prameya-News7 Bureau | December 09, 2018 IST

ମନ୍ଦସୌର ୯/୧୨ : ଦେଶ ସ୍ୱାଧୀନ ହେବାର ୭୨ ବର୍ଷ ପରେ ମଧ୍ୟ ସମାଜରେ ନାରୀ ନିର୍ଯ୍ୟାତିତ | ଆଜି ମଧ୍ୟ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ କମିନାହିଁ | ମଧ୍ୟପ୍ରଦେଶ ମନ୍ଦସୌରର ମହିଳା ଏବଂ ଶିଶୁ ବିକାଶ ବିଭାଗର ୱାନ ସ୍ଟେପ ସେଣ୍ଟରରେ ରହୁଥିବା ଜଣେ ୨୮ ବର୍ଷ ବୟସ୍କା ମହିଳାଙ୍କ କାହାଣୀ ସମାଜରେ ନାରୀ ନିର୍ଯାତନା ଏକ ଭିନ୍ନ କାହାଣୀ କହିଛି |

ମହିଳାଙ୍କୁ ଯେତେବେଳେ ୧୧ ବର୍ଷ ବୟସ ହୋଇଥିଲା ତାଙ୍କ ମଦୁଆ ବାପା ତାଙ୍କୁ ମହୀଦପୁରର ନାହର ସିଂହକୁ ୫ ହଜାର ଟଙ୍କାରେ ବିକିଦେଇଥିଲେ | କିଛି ବର୍ଷ ପରେ ତାଙ୍କୁ ପୁଣି ବିକ୍ରି କରିଦିଆଯାଇଥିଲା | ଏଭଳି ତାଙ୍କୁ ୩ ଥର ବିକି ଦିଆଯାଇଥିଲା | ୩ ଜଣ ଭିନ୍ନ ଭିନ୍ନ ଲୋକଙ୍କ ସହ ରହି ସେ ୭ଟି ଛୁଆ ଜନ୍ମ କରିଥିଲେ | ୩ଜଣ ଯାକ ତାଙ୍କୁ ମାରପିଟ କରି ଘରୁ ବାହାର କରିଦେଇଥିଲେ | ନାହର ସିଂହ ସହ ମହିଳା ୮ ବର୍ଷ ରହିଥିଲେ ଏବଂ ୩ଟି କନ୍ୟା ଜନ୍ମ ଦେଇଥିଲେ | ପୁଅ ନହେବାରୁ ନାହର ସିଂହ ତାଙ୍କୁ ମାରପିଟ କରି ଘରୁ ବାହାର କରିଦେଇଥିଲା | କିନ୍ତୁ ୩ଜଣ ଝିଅଙ୍କୁ ନାହର ସିଂହ ନିଜ ପାଖେ ହିଁ ରଖି ପକେଇଲା |

ଏହାପରେ ମହିଳା କିଛି ବାଟ ନପାଇ ନିଜ ବାପାଙ୍କ ପାଖକୁ ଫେରି ଆସିଥିଲେ | ବାପ ଘରେ ସେ ପାଖାପାଖି ୩ ବର୍ଷ ରହିଲେ | ୩ ବର୍ଷ ପରେ ତାଙ୍କ ବାପା ଦେବାସ ଅଂଚଳର ରାକେଶ ଥାପାକୁ ପୁଣି ବିକ୍ରି କରିଦେଇଥିଲେ | ସେତେବେଳେ ତାଙ୍କ ବୟସ ୨୧ ବର୍ଷ ଥିଲା | ରାକେଶ ସହ ରହିଥିବା ବେଳେ ମହିଳା ଦୁଇଟି ପୁତ୍ର ଜନ୍ମ ଦେଇଥିଲେ | କିନ୍ତୁ ଦୁଇଟି ଯାକ ପୁଅଙ୍କ ମୃତ୍ୟୁ ହୋଇଯାଇଥିଲା | ସେଥିପାଇଁ ରାକେଶ ମଧ୍ୟ ମହିଳାଙ୍କୁ ସବୁବେଳେ ମାରପିଟ କରୁଥିଲା | ନିର୍ଯ୍ୟାତନା ସହି ନପାରି ମହିଳା ରାକେଶର ଘର ଛାଡି ଚାଲିଗଲେ |


ଏହାପରେ ମହିଳାଙ୍କ ଜଣେ ଦୂର ସମ୍ପର୍କୀୟ ଦେବେନ୍ଦ୍ର ନିଜ ସହିତ ନେଇଯାଇଥିଲା | ସେ ମହିଳାଙ୍କୁ ବିବାହ କରିବା ବୋଲି କହି ନିଜ ପାଖେ ରଖିଲା | ଦେବେନ୍ଦ୍ର ସହ ରହିଲାବେଳେ ସେ ପୁଣି ଏକ ପୁତ୍ରକୁ ଜନ୍ମ ଦେଲେ | କିଛି ବର୍ଷ ପରେ ସେ ପୁଣି ଗର୍ଭବତୀ ହେଲେ | ତେବେ ଦେବେନ୍ଦ୍ର ଆଉ ଏକ ଛୁଆ ଜନ୍ମ ହେଉ ବୋଲି ଚାହୁଁନଥିଲା | ସେଥିପାଇଁ ସେ ମହିଳାଙ୍କୁ ଗର୍ଭାପାତ କରିବା ପାଇଁ କହିଥିଲା କିନ୍ତୁ ମହିଳା ଏଥିରେ ରାଜି ହୋଇନଥିଲେ | ଫଳରେ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା | ତେବେ ମହିଳାଙ୍କ ପଡୋଶୀ ତାଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ | ତାଙ୍କ ଅବସ୍ଥା ଭଲ ନଥିବାରୁ ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ପଠାଇ ଦିଆଯାଇଥିଲା | ମନ୍ଦସୌରରେ ସେ ପୁଣି ଏକ ଛୁଆ ଜନ୍ମ ଦେଲେ | ତେବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ତାଙ୍କ ପଡୋଶୀ ମହିଳାମାନେ ତାଙ୍କୁ ପୁଣି ବିକି ଦେବା ପାଇଁ ଯୋଜନା କରିଥିଲେ | କିନ୍ତୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅନ୍ୟ ମହିଳାମାନେ ଏ ସମ୍ପର୍କରେ ଜାଣିପାରି ହସ୍ପିଟାଲ ପ୍ରଭାରୀଙ୍କୁ ସୂଚନା ଦେଇଥିଲେ | ଏହାପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା |


୪ଦିନ ପୂର୍ବରୁ ସମାଜସେବୀ ଅନାମିକା ଜୈନଙ୍କୁ ଖବର ମିଳିଥିଲା ଯେ, ଜଣେ ଅସହାୟ ମହିଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି | ଖବର ପାଇ ସେ ତୁରନ୍ତ ହସ୍ପିଟାଲରେ ପହଂଚି ମହିଳାଙ୍କୁ ଦେଖା କରିଥିଲେ | ଅସହାୟ ମହିଳା ଜଣକ ନିଜର ସବୁ ଦୁଃଖ ତାଙ୍କ ଆଗରେ ପ୍ରକାଶ କରିଥିଲେ | ସେ ସେହି ହସ୍ପିଟାଲରେ ଶିଶୁ ଜନ୍ମ ଦେବା ଦେବା ପରେ ତାଙ୍କୁ ୱାନ ସ୍ଟେପ ସେଣ୍ଟରକୁ ନିଆଯାଇଥିଲା | କିନ୍ତୁ ସେଠାରେ ସେ ମହିଳାଙ୍କୁ ୧୦ ଦିନରୁ ଅଧିକ ରଖି ପାରିବେ ନାହିଁ | ତେଣୁ ସମାଜସେବୀ ଅନାମିକା ମହିଳାଙ୍କୁ ନିଜ ଗାଁକୁ ନେଇଯିବେ ବୋଲି ଚିନ୍ତା କରିଛନ୍ତି | ତେବେ ମହିଳା ଜଣକ ଏବେ ଯାଏଁ କାହା ବିରୋଧରେ ଏତଲା ଦେଇନାହାନ୍ତି | ସେ ଏତଲା ଦେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.