ସ୍ୱାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ : ହେ ଭଗବାନ.. ଯାହା ଦେଇଥିଲ ନେଇଗଲ, ଏବେ ସହିବାକୁ ଶକ୍ତି ଦିଅ

Published By : Prameya-News7 Bureau | May 10, 2020 IST

ଭୁବନେଶ୍ୱର ୧୦।୦୫: ସବୁ ସାମାଜିକ କଟକଣା ଓ ପରମ୍ପରାକୁ ବାଦ୍‌ ଦେଇ ଶ୍ମଶାନରେ ସ୍ୱାମୀଙ୍କୁ ମୁଖାଗ୍ନି ଦେଇଛି ସ୍ତ୍ରୀ । ସ୍ୱାମୀଙ୍କ ଆତ୍ମାକୁ ଶାନ୍ତି ଦେବାକୁ ଯାଇ ବର୍ଷକ ତଳେ ମୃତ୍ୟୁବରଣ କରିଥିବା ପୁଅର ଫଟୋକୁ କାଖରେ ଜାକି ସ୍ୱାମୀଙ୍କ ଶେଷକୃତ୍ୟ କରିଛନ୍ତି । ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ଅଞ୍ଚଳରେ ଘଟିଛି ଏଭଳି ହୃଦୟବିଦାରକ ଘଟଣା । ପୁଅ ଓ ସ୍ୱାମୀଙ୍କୁ ହରାଇ ଛାତିକୁ ପଥର କରି ଏଭଳି କାର୍ଯ୍ୟ କରିଥିବା ଜଣେ ମହିଳାଙ୍କ ପାଇଁ ଯେତିକି ଦୁଃଖଦ, ଅନ୍ୟମାନଙ୍କ ପାଇଁ ସେତିକି ପ୍ରେରଣାଦାୟକ । ଉକ୍ତ ପ୍ରେରଣାଦାୟୀ ମହିଳା ହେଉଛନ୍ତି ପାତ୍ରପଡ଼ା ଶ୍ରେୟା ପ୍ୟାଲେସ୍‌ରେ ରହୁଥିବା ଅଧ୍ୟାପିକା ଅମୀୟବାଳା ଦାସ ।

{"id":267556,"sizeSlug":"large"}

ସୂଚନା ମୁତାବକ, ଅମୀୟବାଳାଙ୍କ ସ୍ୱାମୀ ଚଣ୍ଡୀପ୍ରସାଦ ବାଗ ୧୦ ବର୍ଷ ତଳେ ବ୍ରେନ୍‌ ଷ୍ଟ୍ରୋକ୍‌ରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଥିଲେ । ଏକମାତ୍ର ପୁତ୍ର ଗିରିଜା ଶଙ୍କର ବାଗ (୧୮) ଖଣ୍ଡଗିରିସ୍ଥିତ ଏକ ଘରୋଇ ସ୍କୁଲରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିଲେ । ଗତବର୍ଷ ମେ ୨୫ରେ ବରମୁଣ୍ଡା ଓଭରବ୍ରିଜ୍‌ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗିରିଜାଙ୍କ ମୃତ୍ୟୁ ଘଟିଥିଲା । ଏକୋଇରବଳା ପୁଅର ମୃତ୍ୟୁ ଖବରପାଇ ବାପା ଚଣ୍ଡୀପ୍ରସାଦ ପୂରା ଭାଙ୍ଗି ପଡ଼ିଥିଲେ । ସେପଟେ ପୁଅକୁ ହରାଇ ଶଯ୍ୟାଶାୟୀ ସ୍ୱାମୀଙ୍କ ସେବାରେ ନିଜକୁ ନିୟୋଜିତ କରି କାଳ କାଟୁଥିଲେ ଅମୀୟବାଳା । ହେଲେ ବିଧିର ବିଧାନ ବଡ଼ ବିଚିତ୍ର । ଶେଷରେ ଗତ ୩ ତାରିଖରେ ସ୍ୱାମୀ ଚଣ୍ଡୀପ୍ରସାଦଙ୍କୁ ସବୁଦିନ ପାଇଁ ଅମୀୟବାଳାଙ୍କ ଠାରୁ ଛଡ଼ାଇ ନେଇଥିଲେ ଇଶ୍ୱର । ପୁଅ ବିନା ସ୍ୱାମୀଙ୍କ କେମିତି କରିବେ ଅନ୍ତିମ ସଂସ୍କାର । ସେପଟେ ଭାବିବାକୁ ବି ବେଳ ନଥିଲା । ଶେଷ ନିଷ୍ପତ୍ତି ନେଇଥିଲେ ନିଜେ ହିଁ ସ୍ୱାମୀଙ୍କ ମୁହଁରେ ନିଆଁ ଦେବେ ।

ସବୁ ସାମାଜିକ କଟକଣା ଓ ଲୋକ ନିନ୍ଦାକୁ ପଛକରି ସାହସ ଜୁଟାଇଥିଲେ ଅମୀୟବାଳା । ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର କରିବା ପାଇଁ ପୁଲିସ ଠାରୁ ଅନୁମତି ଆଣିଲେ । ସେହି ରାତିରେ ହିଁ ୬ ଜଣ ଜ୍ଞାତିକୁଟୁମ୍ବଙ୍କୁ ଧରି ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲେ । ପୁଅର ଫଟୋକୁ କାଖରେ ଜାକି ସ୍ୱାମୀଙ୍କ ମୁହଁରେ ନିଆଁ ଦେଇଥିଲେ । ଏମିତି ଢଙ୍ଗରେ ସ୍ୱାମୀଙ୍କୁ ମୁକ୍ତି ଦେଇଥିଲେ ହତଭାଗିନୀ ଅମୀୟବାଳା । ବର୍ଷକ ଭିତରେ ପୁଅ ଓ ସ୍ୱାମୀଙ୍କୁ ହରାଇ ଅମୀୟବାଳା ଏବେ ଏକା ହୋଇ ଯାଇଛନ୍ତି ।

wp:heading {"level":3}

ସ୍ମୃତିକୁ ସାଇତି ରଖିବାକୁ ମହତ ପ୍ରୟାସ

/wp:heading

ବର୍ଷକ ଭିତରେ ପୁଅ ଓ ସ୍ୱାମୀଙ୍କୁ ହରାଇଛନ୍ତି ଅମୀୟବାଳା । ହେଲେ ଆପଣାର ଏହି ୨ ମଣିଷଙ୍କୁ ଚିରକାଳ ଅମର ରଖିବାକୁ ଅମୀୟବାଳା ଯେଉଁ ମହତ ପ୍ରୟାସ ଚଳାଇଛନ୍ତି ତାହା ବେଶ୍‌ ପ୍ରଶଂସନୀୟ । ରାସ୍ତା ଦୁର୍ଘଟଣାରେ ନିଜ ଲୋକଙ୍କ ହରାଇବା ଭଳି ଦୁଃସ୍ଥିତି ଯେମିତି ଆଉ କାହା ଭାଗ୍ୟରେ ନ ଆସେ ସେଥିପାଇଁ ବର୍ଷକ ତଳୁ ପୁଅ ନାଁରେ ‘ରୋଡ୍‌ ସେଫ୍ଟି ଫାଉଣ୍ଡେସନ୍‌’ଗଢ଼ିଛନ୍ତି । ଏହି ଫାଉଣ୍ଡେସନ୍‌ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟ କରି ଆସୁଛି । ସେହିଭଳି ସ୍ୱାମୀଙ୍କ ନାମରେ ମଧ୍ୟ ପୂର୍ବରୁ ‘ଚଣ୍ଡୀପ୍ରସାଦ ଫାଉଣ୍ଡେସନ୍‌ ଟ୍ରଷ୍ଟ’ ନାମରେ ଏକ ସଂସ୍ଥା କରିଛନ୍ତି । ଉକ୍ତ ସଂସ୍ଥାରେ ସ୍ଥାନୀୟ ଅଞ୍ଚଳର ଗରିବ ପିଲାମାନଙ୍କୁ ପାଠପଢ଼ା ସାଙ୍ଗକୁ ଖାଦ୍ୟପେୟ ଓ ନାଚଗୀତ ଶିକ୍ଷା ଦିଆଯାଉଛି । ଯାହାକି ଆଗାମୀ ଦିନରେ ବଞ୍ଚିବାର ରାହା ଯୋଗାଇବ ବୋଲି ଅମୀୟବାଳା କୋହଭରା କଣ୍ଠରେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.