ପ୍ରେମ ସମ୍ପର୍କରେ ବାଧା ଦେବାରୁ ନିଜ ବୁଢ଼ା ବାପାକୁ ପେଟ୍ରୋଲ ଢ଼ାଳି ଜାଳିଲା ଝିଅ, ସ୍ତ୍ରୀ ଓ ପୁଅ ବି ଥିଲେ ସାମିଲ୍
6/01/2021 at 9:53 PM

ବୁଡାନ ୦୬/୦୧: ପ୍ରେମ ସମ୍ପର୍କକୁ ବାଧା ଦେବାରୁ ମମତା ଭୁଲି ବାପାକୁ ଜାଳି ଦେଲା ଝିଅ। ୫୫ ବର୍ଷୀୟ ବୃଦ୍ଧଙ୍କ ଶରୀର ୫୦ ପ୍ରତିଶତ ଜଳିଯାଇଥିବା ବେଳେ ଏବେ ସେ ହସ୍ପିଟାଲ୍ ବେଡ୍ରେ ମରଣ ସହ ଲଢ଼େଇ କରୁଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ବୁଡାନରେ ଘଟିଛି।
ମହିଳା ଜଣଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ସହ ମିଶି ନିଜ ବାପାକୁ ଜାଳିଥିବା ଜଣାପଡ଼ିଛି। ଜଣେ ବୃଦ୍ଧ ନିଜକୁ ଜାଳିଦେଇଥିବା ନେଇ ଜଣେ ଅଚିହ୍ନା ଲୋକ ପୋଳିସକୁ ଖବର ଦେଇଥିଲେ। ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧ ଯନ୍ତ୍ରାଣାରେ ଛଟପଟ ହେଉଥିବା ଦେଖିବାକୁ ପାଇଥିଲା। ପୋଲିସ ସମ୍ପୃକ୍ତ ବୃଦ୍ଧଙ୍କୁ ମେଡିକାଲ୍କୁ ନେଇଥିଲା। ଏବେ ବୃଦ୍ଧଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ ୫୫ ବର୍ଷୀୟ ବୃଦ୍ଧଙ୍କ ନାଁ ମହମ୍ମଦ ଅମିର ହୋଇଥିବା ବେଳେ ସେ ଓ୍ବାଜିରଗଞ୍ଜ ହତରା ଗାଁର ବାସିନ୍ଦା। ସେ ଜଣେ ଚାଷୀ ହୋଇଥିବା ବେଳେ ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ପୋଡ଼ିଯାଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ଉଦ୍ଧାର କରିବା ସହ ପୋଲିସ ତାଙ୍କ ପାଖରୁ ସମସ୍ତ ଘଟଣା ଶୁଣିଛି।
ବୃଦ୍ଧ ଜଣଙ୍କ କହିଛନ୍ତି, ‘ମୋ ଝିଅର ପ୍ରେମ ସମ୍ପର୍କ ଥିଲା। ଏହାକୁ ମୁଁ ବିରୋଧ କରିବାରୁ ମୋ ଝିଅ, ପୁଅ, ସ୍ତ୍ରୀ ଓ ଭଣଜା ମିଶି ମୋ ଉପରେ ପେଟ୍ରୋଲ୍ ଢ଼ାଳି ନିଆଁ ଲଗାଇଦେଇଥିଲେ। ସେମାନେ ମୁଁ ମରିଯାଏ ବୋଲି ଚାହୁଁଛନ୍ତି।’ ଅନ୍ୟପଟେ ପୋଲିସ ଏନେଇ କୌଣସି ଅଭିଯୋଗ ପାଇନାହିଁ। କିନ୍ତୁ ପରିବାର ଲୋକଙ୍କୁ ଡାକି ପଚରା ଉଚରା କରୁଛି। ଡାକ୍ତର ଲଗାତର ବୃଦ୍ଧ ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି ଅତିରିକ୍ତ ଏସ୍ପି ସିଦ୍ଧାର୍ଥ ବର୍ମା।