ନିଜ ଉପରେ କିରୋସିନ ଢାଳି ନିଆଁ ଲଗାଇଦେଲେ ମହିଳା, ଶାଶୁ ଘର ଲୋକେ ବଞ୍ଚାଇବା ବଦଳରେ ମୋବାଇଲରେ କରୁଥିଲେ ଭିଡିଓ
26/11/2020 at 2:58 PM

ସିକର ୨୬/୧୧ : ରାଜସ୍ଥାନ ସିକରରୁ ଏକ ଲୋମଟାଙ୍କୁରା ଭିଡିଓ ସାମ୍ନାକୁ ଆସିଛି। ଜଣେ ବିବାହିତା ମହିଳା ଘରୋଇ କଳହ ଯୋଗୁଁ ନିଜ ଉପରେ କିରୋସିନ ଢାଳି ନିଆଁ ଲଗାଇଦେଇଛନ୍ତି। ଏତିକିବେଳେ ଶାଶୂଘର ଲୋକ ମହିଳାଙ୍କୁ ବଞ୍ଚାଇବାକୁ ଉଦ୍ୟମ ନ କରି ଓଲଟା ମୋବାଇଲରେ ଭିଡିଓ ରେକର୍ଡିଙ୍ଗ କରୁଥିଲେ। ପରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଦିନ ପରେ ମହିଳାଙ୍କ ମୃତ୍ୟୁ ହୋଇଛି। ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି। ମହିଳା ନିଜକୁ ନିଆଁ ଲଗାଇଥିବା ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ସୂଚନା ଅନୁଯାୟୀ, ଘଟଣା ସିକର ଫତେହପୁର ରୋଡ଼ ସ୍ଥିତ ପିଙ୍କ ହାଉସ ଗଳିରେ ନଭେମ୍ବର ୨୦ ତାରିଖରେ ଘଟିଥିଲା। ପିଙ୍କ ହାଉସ୍ ଗଳିରେ ରହୁଥିବା ପବନ ଟେଲରଙ୍କ ଭଉଣୀ ମନୀଷାଙ୍କ ବାହାଘର ୨୦୧୨ ମସିହାରେ ଅନିଲ କୁମାରଙ୍କ ସହ ହୋଇଥିଲା। ଅନିଲଙ୍କ ଘର ଝୁଂଝୁନୁ ଜିଲ୍ଲା ଭୌଡକି ଗାଁରେ। ସେ ମଧ୍ୟ ପିଙ୍କ ହାଉସ ଗଳିରେ ରହେ। ମୃତ ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ ବାହାଘର ପରେ ମନୀଷାଙ୍କୁ ଶାଶୂଘର ଲୋକ ନିର୍ଯ୍ୟାତନା ଦେଉଥିଲେ। ୨୦୧୯ ରେ ମନୀଷା ସ୍ଥାନୀୟ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ କିନ୍ତୁ ପୋଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଶେଷରେ ମନୀଷା ବିତୃଷ୍ଣା ହୋଇ ୨୦ ତାରିଖରେ ନିଜକୁ ନିଆଁ ଲଗାଇ ଦେଇଥିଲେ। ତାଙ୍କ ଶରୀରର ଅଧିକାଂଶ ଅଙ୍ଗ ଜାଳି ଯାଇଥିଲା। ଶାଶୂଘର ଲୋକ ତାଙ୍କୁ ରକ୍ଷା କରିବା ଛାଡି ଭିଡିଓ କରିବାରେ ବ୍ୟସ୍ତ ଥିଲେ। ପରେ ମନୀଷାଙ୍କୁ କଲ୍ୟାଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଉପଚାର ପରେ ତାଙ୍କୁ ଜୟପୁର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।
ମନୀଷାଙ୍କ ଦୁଇ ଶିଶୁ। ୪ ବର୍ଷ ଓ ୭ ବର୍ଷର ଦୁଇ ପୁଅ ଅଛନ୍ତି। ମନୀଷାଙ୍କ ଲାଇଭ ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କ ଘରଲୋକ ମନୀଷାଙ୍କ ଶାଶୂଘର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ପୋଲିସ ମାମଲାର ତଦନ୍ତ କରୁଛି।