ହତ୍ୟାଘଟଣା ପାଇଁ ଯୁବତୀଙ୍କୁ ୪୦ ବର୍ଷ ଜେଲଦଣ୍ଡ ଶୁଣାଇଲେ ଅଦାଲତ, ୧୩ଥର ଛୁରୀ ମାରି ୧୫ ବର୍ଷର ନାବାଳିକାଙ୍କ ନେଇଥିଲା ଜୀବନ
17/08/2019 at 4:44 PM

ଭର୍ଜିନିଆ ୧୭/୮: ଏକ ହତ୍ୟା ଘଟଣାର ରାୟ ପ୍ରକାଶ ପାଇବା ପରେ ଅଭିଯୁକ୍ତ ଯୁବତୀ କହିଛନ୍ତି ଯେ ସେ ସବୁଠୁ କୁତ୍ସିତ ଅପରାଧ କରିଛନ୍ତି । ହେଲେ ଏହାପରେ ତାଙ୍କୁ ଏତେ ଖରାପ ସ୍ବପ୍ନ ଆସୁଛି ଯେ ସେ ଜମା ଶୋଇପାରୁ ନାହାନ୍ତି।

ଭର୍ଜିନିଆର ଫେୟାରଫ୍ୟାକ୍ସ କାଉଣ୍ଟିରେ ରହୁଥିବା ଭିନସ୍ ରୋମେରୋ ଇରାହିତାଙ୍କୁ ଗତକାଲି କୋର୍ଟ ଏକ ହତ୍ୟା ମାମଲାରେ ୪୦ ବର୍ଷ ଜେଲଦଣ୍ଡ ଶୁଣାଯାଇଛନ୍ତି। ୧୫ବର୍ଷ ବୟସ୍କା ଡିମାରେସ୍ ଆଲେକ୍ସାଣ୍ଡ୍ରାଙ୍କୁ ୧୩ଥର ଛୁରୀ ଭୁଷି ସେ ହତ୍ୟା କରିଥିଲା । ଡିମାରେସଙ୍କୁ ହତ୍ୟା କରିବା ପୂର୍ବରୁ ତାଙ୍କୁ ବହୁତ ନିର୍ଯ୍ୟାତନା ଦିଆଯାଇଥିଲା। ତାଙ୍କ ଶରୀରରେ ଯେଉଁଠି ଯେଉଁଠି ଟାଟୁ ହୋଇଥିଲା ସେଗୁଡ଼ିକ ଛୁରୀରେ କାଟି ବାହାର କରାଯାଇଥିଲା ଏବଂ ଏହାର ଭିଡିଓ ମଧ୍ୟ କରାଯାଇଥିଲା ବୋଲି କୋର୍ଟ ଶୁଣାଣି ବେଳେ ଜଣାପଡିଥିଲା।

୨୦୧୭ ମସିହା ଫେବୃୟାରୀ ମାସରେ ଏହି ଘଟଣା ପାଇଁ ଫେୟାରଫ୍ୟାକ୍ସ କୋର୍ଟ ଗତକାଲି ଭିନସଙ୍କୁ ଫାଷ୍ଟ ଡିଗ୍ରୀ ମର୍ଡ଼ର ଏବଂ କ୍ରିମିନାଲ୍ ଆକ୍ଟ ଅନୁସାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଯାହା ଫଳରେ ତାଙ୍କୁ ଏବେ ୪୦ବର୍ଷ ଜେଲରେ ବିତାଇବାକୁ ପଡ଼ିବ। ଦଣ୍ଡ ଶୁଣାଯିବା ପରେ ଡିମାରେସଙ୍କ ମାଆ କହିଥିଲେ ଯେ ଭିନସକୁ ସେ କେବଳ ଏତିକି କହିବାକୁ ଚାହୁଁଛନ୍ତି ଯେ ସେ ତାଙ୍କର ଆଉ ତାଙ୍କ ଝିଅ ଜୀବନ ବରବାଦ କରିଛି। ତାଙ୍କ ଝିଅ ତ ସ୍ବର୍ଗ ଯିବ କିନ୍ତୁ ତାକୁ ନର୍କରେ ହିଁ ସ୍ଥାନ ମିଳିବ।

ଅଭିଯୁକ୍ତା ଭିନସ୍ ମଧ୍ୟ କହିଛନ୍ତି ଯେ ତାଙ୍କ ଦ୍ବାରା ବହୁତ ବଡ ପାପ ହୋଇଛି। ରାତିରେ ଶୋଇବାବେଳେ ବିଚିତ୍ର ସ୍ବପ୍ନ ତାଙ୍କୁ ଶୋଇବାକୁ ଦେଉନାହିଁ। ଡେମାରେସଙ୍କ ମୃତ୍ୟୁ ସହ ଜଡ଼ିତ ସମସ୍ତ ଘଟଣା ତାଙ୍କର ମନେ ପଡ଼ୁଛି। ସେ ଚାହୁଁଛନ୍ତି ଏସବୁରୁ ତାଙ୍କୁ ମୁକ୍ତି ମିଳୁ।
