ହତ୍ୟାକାରୀ ମା’କୁ ଆଜୀବନ ଜେଲ୍, ୩ ଶିଶୁଙ୍କୁ କୂଅରେ ପକାଇ ନିଜେ କରିଥିଲେ ଆତ୍ମହତ୍ୟା ଉଦ୍ୟମ

Published By : Prameya-News7 Bureau | March 04, 2020 IST

ଆଠମଲ୍ଲିକ ୪।୩: ହତ୍ୟାକାରୀ ମା’କୁ ଆଜୀବନ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କାର ଜରିମାନା ଆଦେଶ ଦେଲେ କୋର୍ଟ । ଆଠମଲ୍ଲିକ ଉପଖଣ୍ଡର କିଶୋରନଗର ଥାନା ଅନ୍ତର୍ଗତ ଗୁରୁଜାଙ୍ଗ ଗ୍ରାମରେ ନିଜର ୩ ଶିଶୁପୁତ୍ରଙ୍କୁ କୂଅରେ ପକାଇ ନିଜେ ଆତ୍ମହତ୍ୟା କରିବାକୁ ଡେଇଁପଡିଥିଲେ ଶୋଭାଗିନୀ ବେହେରା । ୨୦୧୬ ମସିହା ସେପ୍ଟେମ୍ବର ୧୦ ତାରିଖରେ ଘଟିଥିଲା ଏହି ଅଭାବନୀୟ ଘଟଣା । ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ କୋର୍ଟ ମଙ୍ଗଳବାର ମାମଲାର ରାୟ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁରୁଜାଙ୍ଗ ଗ୍ରାମର ବିନୋଦ ବେହେରାଙ୍କ ସ୍ତ୍ରୀ ହେଉଛନ୍ତି ଶୋଭାଗିନୀ ବେହେରା । ଏକ ଅପରାଧିକ ମାମଲାରେ ବିନୋଦ ଜେଲ୍‌ ଯିବା ପରେ ଘରେ ଶାଶୂ, ଶ୍ବଶୁରଙ୍କ ସହ ଘରେ ନିଜର ତିନି ଶିଶୁପୁତ୍ରଙ୍କୁ ଧରି ରହୁଥିଲା ଶୋଭାଗିନୀ । ନିଜର ୩ ଶିଶୁପୁତ୍ରଙ୍କୁ କୂଅରେ ପକାଇ ନିଜେ ଆତ୍ମହତ୍ୟା କରିବାକୁ ଡେଇଁପଡିଥିଲେ ଶୋଭାଗିନୀ । ପରେ ଦମକଳ ବାହିନୀ ପହଞ୍ଚି କୂଅ ମଧ୍ୟରୁ ଶୋଭାଗିନୀକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଥିଲେ ।

୮ ମାସର ରୋହନ, ଅଢ଼େଇ ବର୍ଷର ରୋହିତ ଓ ୪ ବର୍ଷର ଶିଶୁ ପୁତ୍ର ବୃନ୍ଦାବନର ମୃତଦେହ ମଧ୍ୟ କୂଅରୁ ବାହାର କରାଯାଇଥିଲା । ବିନୋଦଙ୍କ ବାପା ବସନ୍ତ ବେହେରାଙ୍କ ଏତାଲା କ୍ରମେ କିଶୋରନଗର ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା । ହତ୍ୟାକାରୀ ମା’ ଶୋଭାଗିନୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.