୧୨ ମିନିଟ୍‌ ହୃଦ୍‌ ସ୍ପନ୍ଦନ ବନ୍ଦ ହୋଇଯିବା ପରେ ମୃତ୍ୟୁକୁ ପାଖରୁ ଦେଖିଲେ ମହିଳା, ଅନୁଭୂତି ଥିଲା ଏମିତି...

Published By : Prameya-News7 Bureau | April 04, 2021 IST

ନୂଆଦିଲ୍ଲୀ ୪/୪: ମୃତ୍ୟୁ କିଏ ଦେଖିଛି ?  ଅନେକ ଲୋକ ବିଭିନ୍ନ ଦାବି କରୁଥିଲେ ବି ମୃତ୍ୟୁର ପ୍ରକୃତ ଚେହେରା  ଜଣାପଡ଼ିନାହିଁ।   କିଛି ଲୋକ  ମୃତ୍ୟୁକୁ ପାଖରୁ ଅନୁଭବ କରିବା କିମ୍ବା ନିଅର ଡେଥ୍‌ ଏକ୍ପପେରିଏନ୍ସ (ଏନଡିଇ)କୁ ନେଇ ଦାବି କରନ୍ତି ଯେ, ମୃତ୍ୟୁ ଶାନ୍ତିପୂର୍ଣ୍ଣ। ମୃତ୍ୟୁ ଲୋକଙ୍କୁ ଉତ୍ସାହ ପ୍ରଦାନ କରେ ଏବଂ ଅନ୍ତିମ ନିଶ୍ବାସ ତ୍ୟାଗ କରିବା ପରେ ମଣିଷର ଆତ୍ମା ଭିନ୍ନ ଏକ ଆଧ୍ୟାତ୍ମିକ କ୍ଷେତ୍ରରେ ପହଞ୍ଚିଯାଏ ବୋଲି ଅନ୍ୟ କିଛି ଲୋକ ଦାବି କରନ୍ତି। କିନ୍ତୁ ସାଣ୍ଡି ନାମକ ଜଣେ ମହିଳା ମୃତ୍ୟୁକୁ ନେଇ ନିଜର ଅଭିଜ୍ଞତା ବଖାଣିଛନ୍ତି।

୧୨ ମିନିଟ୍‌ ହୃଦ ସ୍ପନ୍ଦନ ବନ୍ଦ ହେବା ପରେ ସାଣ୍ଡି ମୃତ୍ୟୁକୁ ଅନୁଭବ କରିଛନ୍ତି। ତାଙ୍କ ମତରେ ମୃତ୍ୟୁ ଏକ ଭୟଙ୍କର ଅନୁଭବ। ହୃଦଘାତ ଆସିବା  ପରେ ତାଙ୍କର ହୃଦ ସ୍ପନ୍ଦନ ୧୨ ମିନିଟ୍‌ ପାଇଁ ବନ୍ଦ ହୋଇଯାଇଥିଲା। ଏହି ସମୟରେ ତାଙ୍କ ଶରୀରରେ କୌଣସି ଗତି ହେଉନଥିଲା। ପଲ୍‌ସ୍‌ କାମ କରୁନଥିଲା କି ବ୍ରେନ୍‌। ଏମିତି ଚାଲିବା ପରେ ସମୟର ଶେଷରେ ଯେଉଁ ଅନୁଭବ ହେଲା ତାହା ଅତ୍ୟନ୍ତ ଭୟଙ୍କର ଥିଲା ବୋଲି  ଏନଡିଇଆରଏଫକୁ  ସାକ୍ଷାତକାର ଦେଇ କହିଛନ୍ତି।

ସାଣ୍ଡି ଆହୁରି କହିଛନ୍ତି, ‘ମୋ ଶରୀର ଉଭାନ ହେବା ପରି ମନେ ହେଉଥିଲା। କିନ୍ତୁ ମୁଁ କେଉଁଠି ପଡ଼ିରହିଥିଲା ତାହା ଜାଣିପାରୁଥିଲି। ଯଦିଓ ମୁଁ ସେଠାରେ ଥିଲି, କିନ୍ତୁ ବହୁ ମିଲିୟନ ଦୂରରେ ଥିବା ଭଳି ମନେ ହେଉଥିଲା। ମୋ ବନ୍ଧୁମାନେ କହୁଥିଲେ ମୋ ଶରୀର କିଛି ରେସପନ୍ସ କରୁନଥିଲା। ମୋ ବିଷୟରେ ସେମାନେ କଣ କଥା ହେଉଥିଲେ, ସେମାନେ କେଉଁଠି ଛିଡ଼ା ହୋଇଥିଲେ , ସବୁ କିଛି ମୋ ଆଖି ବନ୍ଦ ଥାଇ  ମଧ୍ୟ ଦେଖିପାରୁଥିଲି। ସେଗୁଡ଼ିକୁ ମନେ ରଖିବାକୁ ଚେଷ୍ଟା କରୁଥିଲି କିନ୍ତୁ କିଛି କାମ ହେଉନଥିଲା ସବୁ କିଛି ଉଭାନ ହୋଇଯାଉଥିଲା। ପରେ ମୋ ସହିତ କିଛି ଥିଲା। ଏହା ମୋତେ ଡରାଉଥିଲା। ମୁଁ ଦେଖିଲି ସମ୍ପୂର୍ଣ୍ଣ ଅନ୍ଧକାର ଘୁଟିଆସୁଛି ଏବଂ ଧିରେ ଧିରେ ସୈତାନର ରୂପ ନେଉଛି। ମୁଁ ସେଥିରୁ ମୁକୁଳିବାକୁ ଚାହୁଁଥିଲି କିନ୍ତୁ ପାରିନଥିଲି।’

 ହସ୍ପିଟାଲ ବେଡ୍‌ରେ ସେ ଦେଖିଥିବା ଭୟଙ୍କର ଦୃଶ୍ୟକୁ ଏବେ ଭୁଲି ପାରୁନାହାନ୍ତି ବୋଲି  ସାଣ୍ଡି କହୁଛନ୍ତି। ସାଣ୍ଡିଙ୍କ ଅନୁଭୂତି ଭାଇରାଲ ହେବା ପରେ ଲୋକେ ଏହାକୁ ମୃତ୍ୟୁ ପରର ଜୀବନ ବୋଲି କହୁଥିବା ବେଳେ ବିଶେଷଜ୍ଞ ସାମ୍‌ ପାର୍ନିଆ ଏହାକୁ ବ୍ରେନ୍‌ର ବଞ୍ଚିବାର ଶୈଳୀ ବୋଲି କହିଛନ୍ତି। ମଣିଷର ମୃତ୍ୟୁ କୌଣସି କଳା, ଧଳା ମୁହୂର୍ତ୍ତ ନୁହେଁ ବରଂ ଏହା ଏକ ପ୍ରକ୍ରିୟା। ଯେତେବେଳେ ବ୍ରେନ୍‌ କାର୍ଯ୍ୟ କରିବା ବନ୍ଦ କରିଦିଏ ସେତେବେଳେ ମଣିଷର ମୃତ୍ୟୁ ହୋଇଯାଏ ବୋଲି ପାର୍ନିଆ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.