ତଲାକ୍ ଦେବାକୁ ଚାହୁଁଥିଲା ସ୍ବାମୀ, ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କୁ ୩ ଦିନଧରି ଦୁଷ୍କର୍ମ କଲେ ଥାନାବାବୁ
8/03/2021 at 4:07 PM

ଜୟପୁର ୦୮/୦୩ : ରକ୍ଷକ ଯେବେ ଭକ୍ଷକ ସାଜେ ସେତେବେଳେ ଅଭିଯୋଗ କରିବା କାହାକୁ । ରାଜସ୍ଥାନର ଅଲଓ୍ବର ଜିଲ୍ଲାରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଖାକିରେ ଲାଗିଛି କଳଙ୍କ । ଅଭିଯୋଗ କରିବାକୁ ଆସିଥିବା ଜଣେ ମହିଳାଙ୍କୁ ସଂପୃକ୍ତ ଥାନାର ସବ୍ ଇନ୍ସପେକ୍ଟର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଖେଡଲୀ ଥାନାର ସବ୍ ଇନ୍ସପେକ୍ଟର ମହିଳାଙ୍କୁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡିତା ମହିଳା ।
ସୂଚନା ମୁତାବକ, ମହିଳାଜଣଙ୍କୁ ଅଭିଯୁକ୍ତ ଏସ୍ଆଇ ୩ ଦିନ ଧରି ଦୁଷ୍କର୍ମ କରିଥିଲେ । ମହିଳାଜଣକ ଦୁଷ୍କର୍ମ ମାମଲା ରୁଜୁ କରିଥିବା ସୂଚନା ମିଳିଛି । ଅଭିଯୋଗରେ ପୀଡିତାଜଣକ କହିଛନ୍ତି, ମାର୍ଚ୍ଚ ୨ ତାରିଖରେ ସ୍ବାମୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ଥାନାକୁ ଯାଇଥିଲେ । ମହିଳାଙ୍କ ସ୍ବାମୀ ତାଙ୍କୁ ତଲାକ୍ ଦେବାକୁ ଚାହୁଁଥିଲେ କିନ୍ତୁ ସେ ତଲାକ୍ ଦେବାକୁ ଚାହୁଁନଥିଲେ । ତେଣୁ ବାଧ୍ୟ ହୋଇ ଥାନାର ଆଶ୍ରୟ ନେଇଥିଲେ ମହିଳାଜଣକ ।
ତେବେ ଖେଡଲୀ ଥାନାର ଏସ୍ଆଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ବିବାଦକୁ ସମାଧାନ କରିଦେବାକୁ କହି ତାଙ୍କୁ ୩ ଦିନ ଧରି ଦୁଷ୍କର୍ମ କରିଥିଲେ । ଏହା ପରେ ମଧ୍ୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି ସମାଧାନ କରିନଥିଲେ । ପୀଡିତା ମହିଳାଜଣକ ବାଧ୍ୟ ହୋଇ ଉପରିସ୍ଥ ଥାନାରେ ଏସ୍ଆଇ ଭରତ ସିଂହଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ।
ମାମଲା ରୁଜୁ ପରେ ଜୟପୁର ଆଇଜି ହଓ୍ବା ସିଂହ ଘୁମାରିୟା, ଏସ୍ପି ତେଜସ୍ବିନୀ ଗୌତମ ଖେଡଲୀ ଥାନାରେ ପହଞ୍ଚି ତଦନ୍ତ କରିଥିଲେ । ପ୍ରାଥମିକ ତଦନ୍ତରୁ ଏସ୍ଆଇ ଭରତ ସିଂହ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଘଟଣାର ପୁନଃତଦନ୍ତ ପରେ ଅଭିଯୁକ୍ତ ଏସ୍ଆଇ ଭରତ ସିଂହଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଜି ହଓ୍ବା ସିଂହ ଘୁମାରିୟା କହିଛନ୍ତି ।