ବିବାହ ପ୍ରତିଶ୍ରୃତି ଦେଇ ଶାରିରୀକ ସମ୍ପର୍କ ରଖୁଥିଲା ବ୍ୟାଙ୍କ ମ୍ୟାନେଜର : ତାପରେ ନେଇଗଲା ୧୫ଲକ୍ଷ ଟଙ୍କା

Published By : Prameya-News7 Bureau | October 21, 2019 IST

ଗୁରୁଗ୍ରାମ ୨୧/୧୦: ଜଣେ ୩୪ବର୍ଷ ବୟସ୍କା ମହିଳାଙ୍କୁ ବିଦେଶୀ ବ୍ୟାଙ୍କର ମ୍ୟାନେଜର ବିବାହ ପ୍ରତିଶ୍ରୃତି ଦେଇ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ସାମନାକୁ ଆସିଛି। ମ୍ୟାନେଜର ୧୫ଲକ୍ଷ ଟଙ୍କା ଠକେଇ କରିଥିବାର ଅଭିଯୋଗ ମଧ୍ୟ ମହିଳା କରିଛନ୍ତି।

ସୂଚନା ଅନୁଯାୟୀ ପୀଡ଼ିତା ୨୦୧୭ମସିହାରେ ଶାଦି ଡଟ୍ କମ୍ ଜରିଆରେ ଅଭିଯୁକ୍ତ ବିଶାଲ ଶର୍ମାଙ୍କ ସଂସ୍ପର୍ଶରେ ଆସିଥିଲେ। ଅଭିଯୁକ୍ତ ବିଶାଲ ରାଜସ୍ଥାନର କୋଟା ବାସିନ୍ଦା ଏବଂ ପୀଡ଼ିତା ଗୁରୁଗ୍ରାମର ବାସିନ୍ଦା। ପ୍ରଥମେ ଉଭୟଙ୍କ ମଧ୍ୟରେ ଫୋନ୍ ଏବଂ ଭିଡିଓ ଚାଟିଙ୍ଗ ଦ୍ବାରା କଥାବାର୍ତ୍ତା ହୋଇଥିଲା। ଗତ ଜାନୁୟାରୀ ମାସରେ ବିଶାଲ ପୀଡ଼ିତାଙ୍କୁ ଭେଟିବାକୁ କହିଥିଲା। ଏହା ପରେ ପୀଡ଼ିତା ତାକୁ ଗୁରୁଗ୍ରାମ ଡକାଇଥିଲେ। ଦୁହେଁ ଏକ ହୋଟେଲରେ ଦେଖା କରିଥିଲେ ଏବଂ ସେଠାରେ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ। ଏହା ପରଠୁ ଅଭିଯୁକ୍ତ ବିଶାଲ ପୀଡ଼ିତାଙ୍କୁ ନିୟମିତ ଭାବରେ ଭେଟୁଥିଲା।

ବିଶାଲ ପୀଡ଼ିତାଙ୍କୁ ୩ମାସ ତଳେ କହିଥିଲା ଯେ ତାକୁ ୧୫ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି। ପୀଡ଼ିତା ବ୍ୟାଙ୍କରୁ ଋଣ ନେଇଥିଲେ ଏବଂ ତାକୁ ଦେଇଥିଲେ। ଏହା ପରଠୁ ବିଶାଲ ତାଙ୍କୁ ନଜରଅନ୍ଦାଜ କରିଥିଲା। ଏପରିକି ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲା।

ଏହା ପରେ ପୀଡ଼ିତା ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସମସ୍ତ ପ୍ରମାଣ ଠୁଳ କରିଥିଲେ। ଗୁରୁଗ୍ରାମ ହୋଟେଲର ବିଲ୍,ତାଙ୍କ ଆକାଉଣ୍ଟରେ ଥିବା ଋଣ ରାଶି ହସ୍ତାନ୍ତରିତ କରିବାର ପ୍ରମାଣ ଏବଂ ଟେକ୍ସଟ ମ୍ୟାସେଜ ଏବଂ ଉଭୟଙ୍କର ଫଟୋ ଆଦି ପୀଡ଼ିତା ଥାନାରେ ପ୍ରମାଣ ଆକାରରେ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.