ମୋବାଇଲ୍ ଛଡ଼ାଇ ଯୁବତୀଙ୍କୁ ଟ୍ରକ୍ ଆଗକୁ ଠେଲିଦେଲା ଦୁର୍ବୃତ୍ତ, ସାହସର ସହ ଜୀବନ ବଞ୍ଚାଇ ଲୁଟେରାକୁ କଲେ କାବୁ
19/01/2021 at 4:58 PM

ବୁଲନ୍ଦଶର ୧୯/୦୧: ଭାରତର ନାରୀ ଆଜି ଅବଳା କି ଦୁର୍ବଳା ନୁହେଁ। ନାରୀ ଶସକ୍ତିକରଣ ଦିଗରେ ଦେଶ ଅଗ୍ରଗତି କରୁଛି। ନାରୀମାନେ ବି ଗୋଟିଏ ପରେ ଗୋଟିଏ ଉଦାହରଣ ସୃଷ୍ଟି କରୁଛନ୍ତି। ପୁଣି ଜଣେ ଯୁବତୀ ମୀନା ନାରୀ ଶକ୍ତିର ଉଦାହରଣ ଦେବା ସହ ଝିଅଙ୍କୁ କମ୍ ଭାବୁଥିବା ଅସାଧୁମାନଙ୍କୁ ଚେତାବନୀ ଦେଇଛନ୍ତି। ନାଁ ମୀନା, ବୟସ ୨୬ ବର୍ଷ। ସାହାସିକତାର ପରିଚୟ ଦେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ମୀନା। ନିଜ ଜୀବନକୁ ବଞ୍ଚାଇବା ସହ ମୋବାଇଲ ଲୁଟେରାକୁ ସାବାଡ କରିଛନ୍ତି।
ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ, ମୀନା ଗୋଟିଏ କଲେଜରେ କାମ କରନ୍ତି। ଉତ୍ତରପ୍ରଦେଶର ବୁଲନ୍ଦଶରରେ ଏକ ଗଳି ଦେଇ ମୀନା ଯାଉଥିବା ବେଳେ ମୋବାଇଲ୍ ଲୁଟେରା ତାଙ୍କ ପାଖରୁ ମୋବାଇଲ୍ ଝାମ୍ପି ନେବାକୁ ଉଦ୍ୟମ କରିଥିଲା। ମୋବାଇଲ ତ ନେଲା କିନ୍ତୁ ମୀନାଙ୍କୁ ଏକ ଚଳନ୍ତା ଟ୍ରକ୍ ଆଗକୁ ଠେଲି ଦେଇଗଲା। ଉପସ୍ଥିତ ବୁଦ୍ଧି ଖଟାଇ ମୀନା କାଳବିଳମ୍ବ ନକରି ଟ୍ରକ୍ ସାମ୍ନାରୁ ନିଜକୁ ରକ୍ଷା କରିଦେଇଥିଲେ।
ଏହା ପରେ ହଠାତ ଉଠି ଲୁଟେରାକୁ ପିଛା କରିଥିଲେ ମୀନା। ଚୋରକୁ ପିଛା କରି ତାକୁ ଧରିବାରେ ମଧ୍ୟ ସଫଳ ହେଲେ। କିଛି ପଥଚାରୀଙ୍କ ସହାୟତାରେ ଚୋରକୁ ଧରି ଉତ୍ତମ ମଧ୍ୟମ ଦେବା ସହ ସେ ଥାନାକୁ ନେଇଥିଲେ । ତେବେ ଏନେଇ ଏକ ଭିଡିଓ ଭାଇରାଲ୍ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଭିଡିଓରେ ମୀନା ମୋବାଇଲ୍ ଲୁଟେରା ଗାଲରେ ଶକ୍ତ ଚାପୁଡ଼ା ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି।
ଅନ୍ୟପଟେ ଲୁଟେରା ବିରୋଧରେ ମାମଲା ରୁଜୁ କରିବା ସହ ତାକୁ ଗିରଫ କରିଛି ପୋଲିସ। ମୀନାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ମିଳିଛି। ତେବେ ପୋଲିସର କାର୍ଯ୍ୟରେ ଜମା ସନ୍ତୁଷ୍ଟ ନାହାନ୍ତି ମୀନା। ଘଟଣାଟି ଥାନାରୁ କେବଳ ୫୦୦ ମିଟର ଦୂରରେ ଘଟିଥିବା ବେଳେ ପୋଲିସର ଅବହେଳା ପାଇଁ ଲୁଟେରାଙ୍କ ଉତ୍ପାତ ବଢ଼ୁଥିବା ସେ ଅଭିଯୋଗ କରିଛନ୍ତି। ପୋଲିସ କେବଳ ନାଁକୁ ଅଛି। କିନ୍ତୁ କିଛି କାମ କରୁନି। ଯଦି ପୋଲିସ ସଜାଗ ରୁହନ୍ତା ତେବେ ଏଭଳି ଘଟଣା ଘଟନ୍ତା ନାହିଁ ବୋଲି ମୀନା କହିଛନ୍ତି।