ହାଇଦ୍ରାବାଦ ନୃଶଂସତା ନେଇ ଫେସବୁକ୍ ରେ ମହିଳା ଅଧିକାରୀଙ୍କ ଅପିଲ ହେଲା ଭାଇରାଲ, ଜାଣନ୍ତୁ ନିବେଦନରେ ଲେଖିଛନ୍ତି କ’ଣ

Published By : Prameya-News7 Bureau | November 30, 2019 IST

ଭୋପାଲ ୩୦।୧୧: ହାଇଦ୍ରାବାଦରେ ଜନୈକା ମହିଳା ପ୍ରାଣୀଧନ ଚିକିତ୍ସକଙ୍କ ପ୍ରତି ହୋଇଥିବା ଘଟଣା ଲୋକଙ୍କ ମନରେ ପୁଣି ଦିଲ୍ଲୀ ନିର୍ଭୟାକାଣ୍ଡର ସ୍ମୃତିକୁ ତାଜା କରିଦେଇଛି। ଦେଶରେ ମହିଳାଙ୍କ ସୁରକ୍ଷାରେ ପୁଣି ପ୍ରଶ୍ନ ଚିହ୍ନ ଲାଗିଥିବା ବେଳେ ପ୍ରସଙ୍ଗ ପୁଣି ବିତର୍କର ବିଷୟ ହୋଇଛି। ଏଥିରେରେ ମଧ୍ୟପ୍ରଦେଶ ରାଜଧାନୀ ଭୋପାଲ ପୋଲିସ ମୁଖ୍ୟାଳୟରେ ମୁତୟନ ଜନୈକା ମହିଳା ପୋଲିସ ଅଧିକାରୀ ପଲ୍ଲବୀ ତ୍ରିବେଦୀ ଫେସବୁକ୍ ରେ ଜନତାଙ୍କୁ ଏକ ନିବେଦନ କରିଛନ୍ତି। ଯାହା ଏବେ ସୋସାଲ ମିଡିଆରେ ଭାଇରାଲ ହେଉଛି।

wp:html /wp:html

ଫେସବୁକ୍ ୱାଲରେ ଜାଣନ୍ତୁ କ’ଣ  ନିବେଦନ କରିଛନ୍ତି ପଲ୍ଲବୀ
କାଲି  ନିର୍ଭୟାଥିଲା, ଆଜି ପ୍ରିୟଙ୍କା । ତେବେ ନିର୍ଭୟା ଓ ପ୍ରିୟଙ୍କାଙ୍କ ମଧ୍ୟରେ ହଜାର ହଜାର ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ହେଲେ ସବୁ ଘଟଣା ଲୋକଲୋଚନକୁ ଆସିନଥିବା ବେଳେ ମାତ୍ର କିଛି ଘଟଣା ଚର୍ଚ୍ଚାକୁ ଆସିଛି। ଏଭଳି ଘଟଣା ଲୋକଙ୍କୁ ବ୍ୟଥିତ କରିଛି, ୨/୪ ଦିନ ଘଟଣା ଚର୍ଚ୍ଚାରେ ରହିଛି ପୁଣି ସବୁକିଛି ସ୍ୱଭାବିକ ହୋଇଯାଇଛି। ହେଲେ ସମାଜରେ ବାରମ୍ବାର ଏଭଳି ଘଟଣା ସବୁ ଘଟୁଥଲେ ହେଁ ଆମ ଆଖପାଖରେ ଯେପରି ଏଭଳି ଘଟଣା ନ ଘଟେ ଆମେ ପ୍ୟାରେଣ୍ଟ ଭାବେ, ବୟସ୍କ ଯୁବତୀ ଭାବେ, ଜଣେ ଦାୟିତ୍ୱବାନ ପଡୋଶୀ ଭାବେ ସର୍ବୋପରି ଦେଶର ଜଣେଜଣେ ନାଗରିକ ଭାବେ ଆମେ ଏପରି କ’ଣ କରିଛେ ? ଯଦିବି କିଛି କରିଛେ ତାହା ନିଶ୍ଚିତ ଯଥେଷ୍ଟ ନଥିଲା ବୋଲି ପ୍ରିୟଙ୍କା ଘଟଣା ପରେ କୁହାଯାଇପାରେ ବୋଲି ପଲ୍ଲବୀ ଲେଖିଛନ୍ତି।  

ତେବେ ନିଜେ ଜଣେ ଯୁବତୀ, ଦାୟିତ୍ୱବାନ ନାଗରିକ ତଥା ଜଣେ ପୋଲିସ ଅଧିକାରୀଭାବେ  ଏଠାରେ କିଛି ପ୍ରିଭେଣ୍ଟିଭ ଆକ୍ସନ ଓ ଜରୁରୀ ପଦକ୍ଷେପ ନେବାକୁ ସଜେଷ୍ଟ କରିବାକୁ ଚାହୁଁଛି ଯାହାକୁ ସମସ୍ତେ ପ୍ରତ୍ୟେକ ମହିଳା ଓ ତାଙ୍କ ପରିଜନଙ୍କ ନିକଟକୁ ପହଞ୍ଚାଇବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ବୋଲି ଉଲ୍ଲେଖ କରିଛନ୍ତି।

୧-ନାବାଳିକାଙ୍କ କ୍ଷେତ୍ରରେ ଅଭିଭାବକ ଓ ସ୍କୁଲ ପରିଚାଳନାର ସବୁଠୁ ଅଧିକ ଦାୟିତ୍ୱ ରହୁଛି। ନାବାଳିକା ନିଜ ସହିତ ହେଉଥିବା ଘଟଣାକୁ ନ ସହଜରେ ବୁଝିପାରେ ନା କାହାକୁ ଏ ନେଇ ଠିକ୍ ଭାବେ କହିପାରେ। ଏଣୁ ପ୍ରତିମୂହୁର୍ତ୍ତରେ ତାକୁ ନଜରରେ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ଏଣୁ ଖାସ କରି ପୁରୁଷ କର୍ମଚାରୀ ଯେପରି ଡ୍ରାଇଭର, ଚାକର, ସମ୍ପର୍କୀୟ ଓ ଟ୍ୟୁସନ ଶିକ୍ଷକ ଆଦିଙ୍କ ଦେଖରେଖରେ ସେମାନଙ୍କୁ ଏକାକୀ ଛାଡନ୍ତୁ ନାହିଁ କି ସେମାନଙ୍କ ଦ୍ୱାରା ପିଲାଙ୍କ ପୋଷାକ ପରିବର୍ତ୍ତନ, ଗାଧୋଇ ଦେବା ଆଦି କାର୍ଯ୍ୟ କରାନ୍ତୁ ନାହିଁ। ଶିଶୁକୁ ୩ ବର୍ଷ ବୟସରୁ ଭଲ ଓ ଖରାପ ସ୍ପର୍ଷ ସମ୍ପର୍କରେ ସଚେତନ କରାନ୍ତୁ ଓ ଏହାକୁ ନିଜର ମୌଳିକ କର୍ତ୍ତବ୍ୟ ଭାବେ ପାଳନ କରନ୍ତୁ।

୨-ବାଳିକା ୮ ବର୍ଷର ହୋଇଗଲେ ତାକୁ ଅଶ୍ଲୀଳତା ଓ ରେପ ସମ୍ପର୍କରେ ବୁଝାଇ ଦିଅନ୍ତୁ। ତାକୁ ଏ ସମ୍ପର୍କରେ ବାରମ୍ବାର ବୁଝାନ୍ତୁ ଯେପରି ଏପରି ଘଟଣାକୁ ନେଇ ସେ ନିଜ ସତର୍କତା ଅବଲମ୍ବନ କରେ। ଏଥି ଲାଗି ନିଜେ ପିଲାଙ୍କ ସହ ସମ୍ପର୍କ ସ୍ଥାପନା କରନ୍ତୁ ତାକୁ ଜଣେ ସାଙ୍ଗ ଭାବେ ଏ ନେଇ ସତର୍କ କରାନ୍ତୁ। ଯଦି ତା ଆଖାପଖରେ ଏଭଳି କିଛି ହରକତ କେହି  କରୁଥାଏ ତେବେ ସେ ଯେପରି ଏ ସମ୍ପର୍କରେ ଖୋଲାଖୋଲି ଅଭିଭାବକଙ୍କନିକଟରେ ଅଭିଯୋଗ କରିପାରେ। କାରଣ ନାବାଳିକା ଆଖପାଖରେଏଭଳି ଆଚରଣ କରୁଥିବା ଲୋକେ ହିଁ ପୋଟେନସିଆଲ ରେପିଷ୍ଟ ହୋଇପାରନ୍ତି।

୩-ସେହିପରି କିଶୋରୀମାନଙ୍କୁଏକାକୀ କେଉଁଠାକୁ ଯିବାକୁ ରୋକନ୍ତୁ ନାହିଁ। ହେଲେ ତାକୁ ସୁରକ୍ଷା  ସମ୍ପର୍କରେ ସମ୍ପୂର୍ଣ୍ଣ ସଚେତନ କରନ୍ତୁ। ସମାଜରେ ନିତ୍ୟ ଘଟୁଥିବା ଏଭଳି ଘଟଣା ସମ୍ପର୍କରେ ତା ଆଖପାଖରେ ଆଲୋଚନା କରନ୍ତୁ ଓ ତା ମୋବାଇଲ ଫୋନରେ ୱାନଟଚ୍ ନମ୍ବର ରଖନ୍ତୁ। ଏହି ନମ୍ବର ପୋଲିସ ଥାନାର ରଖିଲେ ଆହୁରି ଭଲ। ତା ବ୍ୟାଗରେ ଚାକୁ, ସ୍ପ୍ରେ, ସେଫ୍ଟିପିନ ଓ ଲଙ୍କଗୁଣ୍ଡ ଆଦି ସୁରକ୍ଷା ସାମଗ୍ରୀ ନିଶ୍ଟିତ ରଖନ୍ତୁ। ଏ ସବୁର ଡେମୋ ଦେଇ ତାକୁ ସମ୍ପୂର୍ଣ୍ଣ ପ୍ରଶିକ୍ଷିତ କରନ୍ତୁ। ନଚେତ ସାଙ୍ଗରେ ସୁରକ୍ଷା ଉପକରଣ ଥାଇ ମଧ୍ୟ ଘାବରେଇ କରି ସେ ସବୁର ସେ ଉପଯୋଗ କରିପାରିବନି।

୪-ଯୁବତୀଙ୍କ କ୍ଷେତ୍ରରେ ପର୍ସର ଉପର ଭାଗରେ ନିଶ୍ଚିତ ହତିଆର ରଖନ୍ତୁ ଓ ଆବଶ୍ୟକ ପଡିଲେ ଭୟଭୀତ ନ ହୋଇ ଅସ୍ତ୍ରର ଉପଯୋଗ କରନ୍ତୁ। ଏ ସବୁ ଅସ୍ତ୍ରଶସ୍ତ୍ର ସହ ଜୋରରେ ବାଜୁଥିବା ହ୍ୱିସିଲ ଅଥବା ସେହିପରି କିଛି ରଖନ୍ତୁ ଯାହାକୁ ବଜେଇ ଆଖପାଖ ଲୋକଙ୍କ ଧ୍ୟାନ ନିଜପ୍ରତି ଆକର୍ଷିତ କରନ୍ତୁ। ଯଦି ଏପରି କୌଣସି ସାଇରନ ପାଖରେ ରଖିହୁଅନ୍ତା ତେବେ ଏହା ଆହୁରି ଉପାଦେୟ ସାବ୍ୟସ୍ତ ହୋଇପାରନ୍ତା। ଯଦି କେହି ଏପରି ସାଇରନ ବିକଶିତ କରନ୍ତି କି କରିଛନ୍ତି ଯାହା ବଟନ ଦବାଇବା କ୍ଷଣି ଭିଷଣ ଆବାଜ କରିବ ତାକୁ ତୁରନ୍ତ ଲୋକଙ୍କ ଆବଶ୍ୟକତାକୁ ଆଣନ୍ତୁ। ଏଭଳି ସାଇରନ ଅତ୍ୟନ୍ତ ପ୍ରଭାବିସିଦ୍ଧ ହେବ।

୫-ସାଙ୍ଗରେ ପୋଲିସ କଣ୍ଟ୍ରୋଲ ରୁମ ଅଥବା କୌଣସି ପୋଲିସ ଅଧିକାରୀଙ୍କ ନମ୍ବର ନିଶ୍ଚିତ ରଖନ୍ତୁ। ସବୁଠୁ ପ୍ରଥମେ ତାଙ୍କୁ ହିଁ ଘଟଣା ସମ୍ପର୍କରେ ରିଂ କରି କୁହନ୍ତୁ। ଆପଣଙ୍କ ମନରେ ପୋଲିସର ଛବି ଯାହାବି ହୋଇଥାଉ ନା କାହିଁକି ମହିଳା ମାମଲାରେ ପୋଲିସ ତତ୍ପରତା ସହ ନିଶ୍ଚିତ କାମ କରେ। ଏଣୁ ଆପଣଙ୍କ ଆଖପାଖରେ ଥିବା ପୋଲିସ ବାହାନ ଖୁବ୍ ଶୀଘ୍ର ଆପଣଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ କରିବ। ମୋବାଇଲରେ ପୋଲିସ ଆପ ଡାଉନଲୋଡ କରି ରଖନ୍ତୁ ଓ ନିଜର ଲୋକେସନ ତୁରନ୍ତ ପୋଲିସ କୁ ଜଣାନ୍ତୁ। ନିକଟସ୍ଥ ପୋଲିସ ଷ୍ଟେସନକୁ ଯାଇ କର୍ମଚାରୀ ଓ ଅଧିକାରୀଙ୍କ ସହ ସମ୍ପର୍କ ସ୍ଥାପନା କରନ୍ତୁ ଦେଖିବେ ସେମାନେ ଆପଣଙ୍କ ଶତ୍ରୁ ନୁହଁନ୍ତି ବିପଦରେ କିପରି ଆପଣଙ୍କୁ ସହାୟତା କରିବେ।

୬- ମୁଁ ଚାହୁଁଛି ମହିଳାଙ୍କ ଲାଗି ଦେଶ ଓ ଦୁନିଆ ଏତେ ସୁରକ୍ଷିତ ହେଉ କି ଅଧରାତିରେ ବି ମହିଳା, ଯୁବତୀ ସଡକରେ ମୁକ୍ତଭାବେ ବୁଲିପାରନ୍ତୁ। ତେବେ ବିଳମ୍ବିତ ରାତ୍ରିରେ ଏକାକୀ ସଡକ ନିତ୍ୟାନ୍ତ ଆବଶ୍ୟକତା ଥିଲେ ହିଁ ବାହାରନ୍ତୁ। ଆପଣଙ୍କ ପ୍ରତି ପଦକ୍ଷେପରେ ପୋଲିସ ଆପଣଙ୍କ ସହ ରହି ନପାରେ ସେହିପରି ଅପରାଧୀ ଓ ନୃଶଂସଙ୍କୁ ରାତାରାତ ସୁଧାର ବି କରାଯାଇପାରିବ ନାହିଁ। ଏଣୁ ବିଳମ୍ବିତ ରାତ୍ରିରେ କ୍ଲବ ଅଥବା ପାର୍ଟିରୁ ଫେରିବା ବେଳେ ପ୍ରଥମେ ନିଜର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ। କ୍ୟାବ୍ ଅଥବା ଟ୍ୟାକ୍ସିରେ ଫେରିବାକୁ ହେଉଥିଲେ ଲାଇଭ ଲୋକେସନ ପରିବାରକୁ ଜଣାନ୍ତୁ ଓ ଏହାର ଫଟୋ ବି ପଠାନ୍ତୁ। ଡ୍ରାଇଭରକୁ ବି ଏ ସମ୍ପର୍କରେ ଜଣାଇ ଦିଅନ୍ତୁ।

୭-ମାର୍ଶଲ ଆର୍ଟ ଓ ଅନ୍ୟ କୌଣସି ସୁରକ୍ଷାତ୍ମକ କଳା ଶିଖିବା ଝିଅଙ୍କ ନିମନ୍ତେ ଅନିବାର୍ଯ୍ୟ କରନ୍ତୁ।

୮-ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ସଭା ଶେଷରେ ଉଲ୍ଲେଖ କରି ସମାଜକୁ ମହିଳାଙ୍କ ଲାଗି ସୁରକ୍ଷିତ କରିବା ଲାଗି ପ୍ରଥମେ ନିଜ ଘରୁ ହିଁ ଉଦ୍ୟମ ଆରମ୍ଭ କରନ୍ତୁ। ନିଜ ପରିବାର, ପଡୋଶୀରେ ରହୁଥିବା ପୁଅଙ୍କୁ ସେମାନଙ୍କ ବାଲ୍ୟକାଳରୁ ହିଁ ଶିକ୍ଷିତ କରାନ୍ତୁ। ପିଲା ଯେପରି ବିକୃତ ମାନସିକତାର ଶିକାର ନ ହୁଏ ତା ଉପରେ ବରାବର ନଜର ରଖନ୍ତୁ। ତାର ସାଙ୍ଗସାଥୀ, ମୋବାଇଲ ଓ ବ୍ୟବହାର କୁ ନିୟମିତ ନିରିକ୍ଷଣ କରନ୍ତୁ। ସେମାନଙ୍କ ମନରେ ମହିଳାଙ୍କ ପ୍ରତି ସମ୍ମାନ  ଉଦ୍ରେକ କରାନ୍ତୁ ବୋଲି ମହିଳା ପୋଲିସ ଅଧିକାରୀ ନିବେଦନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.