ଡ୍ରଗ୍ସ ସହ ଧରାପଡ଼ିଥିଲେ ମହିଳା, ଫାଶୀଦଣ୍ଡ ଶୁଣାଇଲେ କୋର୍ଟ

Published By : Prameya-News7 Bureau | October 21, 2021 IST

ନୂଆଦିଲ୍ଲୀ, ୨୧/୧୦: ନିଶା କାରବାରକୁ ନେଇ ବିଭିନ୍ନ ଦେଶରେ ଅଲଗା ଅଲଗା ଆଇନ୍‌ ରହିଛି । କିଛି ଦେଶରେ କଠୋର ରୁ କଠୋର ଦଣ୍ଡ ବିଧାନ ମଧ୍ୟ କରାଯାଇଥାଏ । ଏହି ଦେଶ ମାନଙ୍କ ମଧ୍ୟରେ ମାଲେସିଆ ରହିଛି । ଯେଉଁଠାରେ ଏକ ନିଶା କାରବାର ଜଡ଼ିତ ମାମଲାର ଶୁଣାଣି କରି ଜଣେ ମହିଳାଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ୩ ବର୍ଷ ତଳେ ମହିଳାଙ୍କ ପାଖରୁ ଡ୍ରଗ୍ସ ଜବତ କରାଯାଇଥିଲା । ସେବେଠାରୁ ଏହି ମାମଲା ବିଚରାଧୀନ ରହିଥିଲା । ଗତ ସପ୍ତାହରେ ଏହାର ରାୟ ପ୍ରକାଶ କରି କୋର୍ଟ ଫାଶୀ ସଜା ଶୁଣାଇଛନ୍ତି ।

ଏହି ମାମଲା ଘଟଣା ମାଲେସିଆର ତୱାଡ ସହରର ହୋଇଥିବା ଜଣାପଡ଼ିଛି । ଦ ଇଣ୍ଡିପେଣ୍ଡେଣ୍ଟ୍‌ର ଏକ ରିପୋର୍ଟ ମୁତାବିକ, ସେଠାକାର ହାଇକୋର୍ଟ ୧୫ ଆକ୍ଟୋବର ଏହି ରାୟ ଦେଇଛନ୍ତି । ଦୋଷୀ ମହିଳା ଜଣେ ସିଙ୍ଗିଲ୍‌ ମଦର୍‌ । ରିପୋର୍ଟ ଅନୁସାରେ ୨୦୧୮ ମସିହାରେ ମହିଳାଙ୍କୁ ଡ୍ରଗ୍ସ କାରବାର କରୁଥିବା ସମୟରେ ପୋଲିସ୍‌ ଗିରଫ କରିଥିଲା ।

ମହିଳା ଜଣକ ମତ୍ସ୍ୟଜୀବୀ ଭାବରେ କାର୍ଯ୍ୟ କରୁଥିବାବେଳେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଏହି ସମୟର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। କୋର୍ଟ ରାୟ ଶୁଣାଇଲା ବେଳେ ମହିଳା କାଠଗଡ଼ାରେ ଖସିପଡିଥିଲେ । ଏହାକୁ ନେଇ ମାଲେସିଆରେ ମହିଳାଙ୍କ ଅଧିକାର ଏବଂ ମୃତ୍ୟୁଦଣ୍ଡକୁ ନେଇ ତୀବ୍ର ଆାଲୋଚନା ଆରମ୍ଭ ହୋଇଥିଲା। ଭିଡିଓରେ ଜଣେ ହାତ ବାନ୍ଧିଥିବା ମହିଳା କୋର୍ଟ ପରିସର ଆଡକୁ ଯାଉଥିବାର ନଜର ଆସିଛନ୍ତି।

ରିପୋର୍ଟରେ ଦର୍ଶାଯାଇଛି ଯେ, ବିଶେଷ କରି ମହିଳାଙ୍କ ପାଇଁ ଏହି ଦଣ୍ଡ ଅତ୍ୟଧିକ ଭାରୀ। ମାଲେସିଆରେ ଏଭଳି ମାମଲାରେ ଅଧିକାଂଶ ମହିଳା ମୃତ୍ୟୁଦଣ୍ଡ ପାଇଛନ୍ତି । ତେବେ ମାଲେସିଆରେ ଯଦି କେହି ଡ୍ରଗ୍ସ ସହ ଧରାପଡ଼ନ୍ତି ତାଙ୍କୁ ଜରିମାନା, ଜେଲ କିମ୍ବା ଦେଶରୁ ବିତାଡିତ କରାଯାଇପାରିବ। କେବଳ ଏତିକି ନୁହେଁ, ଯେଉଁମାନେ ଡ୍ରଗ୍ସ ବିକ୍ରୟ କରନ୍ତି ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଏ। ମାଲେସିଆ ନିୟମ ଅନୁଯାୟୀ, ଯେଉଁମାନେ ୫୦ ଗ୍ରାମରୁ ଅଧିକ ମିଥାମଫେଟାମାଇନ୍ ରଖିଥାନ୍ତି ସେମାନଙ୍କୁ ନିଶ୍ଚିତ ମୃତ୍ୟୁଦଣ୍ଡ ଦିଆଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.