ଏ କୂଳର ହେଲେ ନା ସେ କୂଳର ହେଲେ, ଶେଷରେ ସ୍ବାମୀଙ୍କୁ ଛାଡି ଯାଇଥିବା ମହିଳାଙ୍କ ଗଳା ଚିପି ମାରିଲା ପ୍ରେମିକ
16/10/2020 at 1:12 PM

ଭୁବନେଶ୍ବର ୧୬।୧୦: ପୁରୀ ଜିଲ୍ଲା ଗଡ଼ିଶାଗୋଦା ଥାନା କଳାପଦର ଗାଁ ନିକଟ ଦୟାନଦୀରୁ ମହିଳାଙ୍କ ମୃତଦେହ ଜବତ ଘଟଣାରେ ଏବେ ବିସ୍ଫୋରକ ତଥ୍ୟ ପଦାକୁ ଆସିଛି । ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅଞ୍ଚଳରୁ ଜଣେ ବିବାହିତା ମହିଳାଙ୍କୁ ଖୋର୍ଦ୍ଧା ବଙ୍ଗିତା ଗାଁରେ ହତ୍ୟା କରି ନଦୀକୁ ଫିଙ୍ଗି ଦେଇଥିଲା ମନୋଜ ନାୟକ ନାମକ ଜଣେ ବ୍ୟକ୍ତି । ପୋଲିସ ନିକଟରେ ଅଭିଯୁକ୍ତ ମନୋଜ ଆତ୍ମସମର୍ପଣ କରିଛି । ପୋଲିସ ମହିଳାଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । କିନ୍ତୁ ମହିଳାଙ୍କ ସ୍ବାମୀ ଏପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ କରିନାହାନ୍ତି ।
ପ୍ରାଥମିକ ତଦନ୍ତରୁ ଏହା ପ୍ରେମ ଜନିତ ହତ୍ୟା ବୋଲି ଜଣାପଡ଼ିଛି । ମଞ୍ଚେଶ୍ବର ଥାନା ରଙ୍ଗମାଟିଆ ଅଞ୍ଚଳରେ ରହୁଥିଲେ ପ୍ରତାପ ପଣ୍ଡା, ତାଙ୍କ ପତ୍ନୀ ମୋନାଲି । ମୋନାଲିଙ୍କର ଅନେକ ପୁରୁଷ ବନ୍ଧୁ ଥିଲେ । ଗତ ୮ ତାରିଖରେ ମୋନାଲି ସେକ ନେବାକୁ କାଳୁପଡ଼ା ଯାଉଛନ୍ତି କହି ଘରୁ ବାହାରି ଆସିଥିଲେ । ରସୁଲଗଡ଼ ଛକରେ ମୋନାଲିଙ୍କୁ ଅପେକ୍ଷା କରିଥିଲେ ତାଙ୍କ ପୁରୁଷ ବନ୍ଧୁ ବଙ୍ଗିତା ଗାଁର ମନୋଜ ନାୟକ । ଉଭୟ ବାଇକରେ ବଙ୍ଗିତା ଯାଇଥିଲେ । ସେଠାରେ ଏକ ଘରେ ୨ ଦିନ ରହିଥିଲେ । ତା’ପରେ ଭୁବନେଶ୍ବର ଆସିଥିଲେ ।
ଭୁବନେଶ୍ବରରେ ଗୋଟିଏ ଦିନ ରହି ପୁଣି ସେଠାକୁ ଯାଇଥିଲେ। ତେବେ ଏହି ସମୟରେ ଉକ୍ତ ଗାଁର ଅନ୍ୟ ଜଣେ ଯୁବକ ଆସି ମୋନାଲିକୁ ତାଙ୍କ ପ୍ରେମିକା ବୋଲି କହିଥିଲା । ଏହାକୁ ନେଇ ମନୋଜ ଓ ମୋନାଲିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ରାଗରେ ମନୋଜ ଗାମୁଛାରେ ମୋନାଲିଙ୍କ ବେକ ଚିପି ହତ୍ୟା କରିଥିଲେ । ଏହାପରେ ମନୋଜ ଜଣେ ସାଙ୍ଗକୁ ଡାକି ଏକ ବସ୍ତାରେ ଶବକୁ ପୂରାଇ ସେଠାରୁ ପ୍ରାୟ ୪୫ କିମି ଦୂରରେ ଥିବା ଦୟାନଦୀ ଚୁପ୍ରିମ୍ ବ୍ରିଜ୍ ତଳକୁ ପକାଇ ଦେଇଥିଲେ ।
୧୩ ତାରିଖ ଦିନ ଗଡ଼ିଶାଗୋଦା ଥାନା ଅନ୍ତର୍ଗତ କଳାପଦର ଗାଁ ନିକଟରେ ଦୟାନଦୀରୁ ପୁଲିସ ଶବ ଜବତ କରିଥିଲା । ହେଲେ ପରିଚୟ ପାଇ ନଥିଲା । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ହତ୍ୟାକାରୀ ମନୋଜ ଭୟରେ ଖୋର୍ଦ୍ଧା ସଦର ଥାନା ପୁଲିସ୍ ପାଖରେ ଆତ୍ମସର୍ମପଣ କରିଥିଲା । ପୁଲିସ୍ ଶବ ବ୍ୟବଚ୍ଛେଦ କରି ମୋନାଲିଙ୍କ ସ୍ୱାମୀଙ୍କୁ ହସ୍ତାନ୍ତର କରିଛି । ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି ବୋଲି ପୁରୀ ସଦର ଏସ୍ଡିପିଓ କିଶୋର ଚନ୍ଦ୍ର ମୁଣ୍ଡ ସୂଚନା ଦେଇଛନ୍ତି ।