ତାନ୍ତ୍ରିକ ସହ ଯୌନ ସମ୍ପର୍କ ରଖିବାକୁ ମନା କରିଦେବାରୁ ସ୍ତ୍ରୀକୁ ନଦୀରେ ବୁଡାଇ ମାରିଦେଲା ସ୍ୱାମୀ

Published By : Prameya-News7 Bureau | June 15, 2019 IST

ଆଲିଗଡ଼ ୧୫/୬ : ଉତ୍ତର ପ୍ରଦେଶ ଆଲିଗଡ଼ରେ ଏକ ଏହିଭଳି ହତ୍ୟା ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ନଦୀରେ ବୁଡାଇ ମାରିଥିବା ଅଭିଯୋଗ ହୋଇଛି । ଉକ୍ତ ବ୍ୟକ୍ତି ଜଣେ ତାନ୍ତ୍ରିକ ଠାରୁ କିଛି ଟଙ୍କା କରଜ କରିଥିଲେ । କିନ୍ତୁ କରଜ ଟଙ୍କା ଶୁଝିବା ପାଇଁ ସକ୍ଷମ ନଥିଲା । ସେଥିପାଇଁ ସେ ସ୍ତ୍ରୀକୁ ସେହି ତାନ୍ତ୍ରିକ ସହ ଯୌନ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲା । କିନ୍ତୁ ସ୍ତ୍ରୀ ଏଥିରେ ରାଜି ହୋଇନଥିଲେ । ସେ ସଫାସଫା ମନା କରିଦେଇଥିଲେ । ଏଥିରେ ରାଗିଯାଇ ସ୍ୱାମୀ ନିଜ ସ୍ତ୍ରୀକୁ ନଦୀରେ ବୁଡାଇ ହତ୍ୟା କରିଛି । ଘଟଣା ଗୁରୁବାର ଦିନ ଘଟିଛି । ପୋଲିସ ହତ୍ୟାକାରୀ ସ୍ୱାମୀ ଓ ତାନ୍ତ୍ରିକକୁ ଗିରଫ କରିଛି । ମହିଳାଙ୍କ ଭାଇ ପୋଲିସରେ କହିଛନ୍ତି ଯେ, ଯେତେବେଳେ ହତ୍ୟାକାରୀ ସ୍ୱାମୀ ତାଙ୍କ ସ୍ତ୍ରୀକୁ ନଦୀରେ ବୁଡେଇ ମାରିବାକୁ ଉଦ୍ୟମ କରୁଥିଲା ସେତେବେଳେ ଏ ସମସ୍ତ ଘଟଣା ତାଙ୍କ ପୁଅ ଦେଖିଥିଲା ଏବଂ ପାଟିକରି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଡାକିଥିଲା ।

ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ମହିଳାଙ୍କ ଭାଇ ଥାନାରେ ନିଜ ଭିଣୋଇ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ଭଉଣୀ ଦୁଇ ଦିନ ପୂର୍ବରୁ ତାଙ୍କୁ ଫୋନ କରିଥିଲେ ଏବଂ ତାନ୍ତ୍ରିକ ସମ୍ପର୍କରେ ସମସ୍ତ କଥା କହିଥିଲେ । ଏଥିପାଇଁ ସେ ତାଙ୍କ ସ୍ୱାମୀଙ୍କୁ ବୁଝାଇବାକୁ କହିଥିଲେ । ମହିଳାଙ୍କ ଭାଇ ଭିଣୋଇ ସହ କଥାବାର୍ତ୍ତା କରିଥିଲେ । ଏହାପରେ ମହିଳାଙ୍କ ସ୍ୱାମୀ ଶାନ୍ତ ହୋଇଯାଇଥିଲେ । ସେ ଭାବିଲେ ସହମତି ପୁର୍ବକ ସମସ୍ୟାର ସମାଧାନ ହୋଇଯାଇଛି । କିନ୍ତୁ ଗୁରୁବାର ଦିନ ମହିଳାଙ୍କ ସ୍ୱାମୀ ତାଙ୍କୁ ମିଛ କଥା କହି ନଦୀକୁ ନେଇଯାଇଥିଲା ଏବଂ ତାଙ୍କୁ ଗଭୀର ପାଣିରେ ବୁଡାଇ ହତ୍ୟା କରିଥିଲା । ମହିଳାଙ୍କୁ ହତ୍ୟା କରିବା ପରେ ହତ୍ୟାକାରୀ ସ୍ୱାମୀ ଓ ତାନ୍ତ୍ରିକ ପହଁରି ପହଁରି ନଦୀ ପାରି କରି ବନ୍ଦାୟୁ ଜିଲ୍ଲାକୁ ପଳାଇଯାଇଥିଲେ । ମାମଲା ରୁଜ୍ଜୁ ପରେ ପୋଲିସ ଉଭୟଙ୍କୁ ଗିରଫ କରିଛି । ୩୨ ବର୍ଷ ବୟସ୍କ ମହିଳାଙ୍କ ଶବ ଜବତ କରିଛି ପୋଲିସ । ତାନ୍ତ୍ରିକ ବିରୋଧରେ ଏହା ପୂର୍ବରୁ ମଧ୍ୟ ଅପରାଧିକ ମାମଲା ରହିଥିଲା । ତାନ୍ତ୍ରିକ ଠାରୁ ବହୁ ମାତ୍ରାରେ ହିରୋଇନ ଜବତ ହୋଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.