ମହିଳାଙ୍କ ଗଳାକାଟି ହତ୍ୟା, ତା ପରେ ଲୁଟ୍…
23/01/2021 at 7:58 PM

ରାୟଗଡା ୨୩।୦୧: ରାୟଗଡା ଜିଲ୍ଲା କୁମ୍ଭିକଟା ଫାଣ୍ଡି ଅନ୍ତର୍ଗତ ହୁଲୁକାତୁଣ୍ଡା ଗ୍ରାମରେ ଜଣେ ମହିଳାଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତକ ହେଉଛନ୍ତି ବିଜୟ ହୁଲୁକାଙ୍କ ପତ୍ନୀ କାସାଇ ହୁଲୁକା (୩୨)। ତାଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରିଥିବା ଜଣା ପଡିଛି।
ସୂଚନା ଅନୁଯାୟୀ ଗତକାଲି ତାଙ୍କ ସ୍ଵାମୀ କୌଣସି କାମରେ ରାୟଗଡା ଯାଇଥିଲେ। ତାଙ୍କର ଫେରିବା ବେଳକୁ ପ୍ରାୟ ରାତି ୧୦ ହୋଇଥିଲା। ଘରକୁ ଫେରି ଦେଖିଲା ବେଳେ ଭିତରେ ପତ୍ନୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିଲା। ମହିଳାଙ୍କୁ କେହି ନିର୍ମମ ଭାବେ ହତ୍ୟା କରିଥିବା ପାରିପାର୍ଶ୍ଵିକ ସ୍ଥିତିରୁ ଜଣା ପଡିଛି। ମୃତ ଶରୀର ପାଖରେ ୪ ବର୍ଷର ଝିଅ ବସି କାନ୍ଦୁଥିବା ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଏହା ବ୍ୟତୀତ କାସାଇ ପିନ୍ଧିଥିବା ଗହଣା ଏବଂ କାନଫୁଲ ନଥିଲା। ତାଙ୍କ ଘରେ ଥିବା ବାକ୍ସ ଭଙ୍ଗା ହୋଇ ପଡ଼ିଥିଲା।
ସେହି ବାକ୍ସ ଭିତରେ ଥିବା ଆସବାପତ୍ର ଏବଂ କିଛି ଟଙ୍କା ନଥିବା ଦେଖିବାକୁ ମିଳିଛି। ଘଟଣାରେ ତାଙ୍କ ସ୍ବାମୀ ବିଜୟ କୁମ୍ଭିକଟା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଫାଣ୍ଡି ଅଧିକାରୀ ଫାଣ୍ଡିରେ ଉପସ୍ଥିତ ନଥିବାରୁ ରାୟଗଡ଼ା ଥାନାରେ ଯାଇ ତାଙ୍କ ସ୍ଵାମୀ ଏତଲା ଦେବାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତନାଘନା କରିଛନ୍ତି। ଶବକୁ ଜବତ କରି ବ୍ୟବଛେଦ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି।
ଆସନ୍ତାକାଲି ଶବକୁ ବ୍ୟବଚ୍ଛେଦ ପାଇଁ ରାୟଗଡା କରାଯିବ ବୋଲି ସୂଚନା ମିଳିଛି। ଡକାୟତି ଉଦ୍ଦେଶ୍ୟରେ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଏସପି ବିବେକାନନ୍ଦ ଶର୍ମାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଓ ସନ୍ଧାନି କୁକୁର ପହଞ୍ଚି ତଦନ୍ତ କରିଛନ୍ତି। ତେବେ ହତ୍ୟା ସମ୍ପର୍କରେ କୌଣସି ସୁରାକ ପୁଲିସକୁ ମିଳିନାହିଁ।