ସାପ କାମୁଡାରେ ଚାଲିଗଲା ମହିଳାଙ୍କ ଜୀବନ
10/08/2020 at 10:09 AM

ସୁନ୍ଦରଗଡ ୧୦।୮: ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର ସରୋଜ ପ୍ରଧାନଙ୍କ ସ୍ତ୍ରୀ ସାରଥୀ ପ୍ରଧାନଙ୍କ ସାପ କାମୁଡାରେ ମୃତ୍ୟୁ ହୋଇଛି । ଘରେ ଥିବା ଇଲେକ୍ଟ୍ରି ବଲ୍ ସ୍ବିଚ୍ ମାରୁଥିବା ବେଳେ ସାପ କାମୁଡିଥିଲା । ପରିବାର ଲୋକ ପ୍ରଥମେ ତାଙ୍କୁ ଗୋପାଳପୁର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତରଖାନା ବନ୍ଦ ଥିବାରୁ ଓ ଡାକ୍ତର ନଥିବାରୁ ସାରଥୀଙ୍କୁ ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନା ଆଣିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଗୋପାଳପୁର ଡାକ୍ତରଖାନା ବନ୍ଦ ରହିଥିବା ଓ ଡାକ୍ତର ନଥିବା ଯୋଗୁଁ ସାରଥୀଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିବା ସହ ସାରଥୀ ୭ ମାସର ଗର୍ଭବତୀ ରହିଥିବା ବେଳେ ଗୋପାଳପୁର ଡାକ୍ତରଖାନା ବନ୍ଦ ରହିବା ଓ ଡାକ୍ତର ନଥିବା ଏବଂ ଆମ୍ବୁଲାନ୍ସ ନଥିବାରୁ ଠିକ୍ ସମୟରେ ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନାରେ ନପହଞ୍ଚିବାରୁ ସାରଥୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ଓ ସାମାଜିକ କର୍ମୀ ।